କୁଳପତି ସମ୍ମିଳନୀ : ଉଚ୍ଚଶିକ୍ଷା ସ୍ଥିତିକୁ ନେଇ କୁଳାଧିପତିଙ୍କ ଉଦ୍‌ବେଗ

୨୦୧୮ ସୁଦ୍ଧା ସବୁ କ୍ୟାମ୍ପସରେ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବାକୁ ପରାମର୍ଶ

ଶ୍ରେଷ୍ଠ ଶହେରେ ସାମିଲ ଲାଗି ଭିତ୍ତିଭୂମି ସୁଦୃଢ଼ କର

ଭୁବନେଶ୍ୱର : ଦୋହଲି ଗଲାଣି ଓଡ଼ିଶାର ଉଚ୍ଚଶିକ୍ଷା। ଶିକ୍ଷକ ଅଭାବ ସାଙ୍ଗକୁ ଗବେଷଣାରେ ସରକାରୀ ବିଶ୍ୱବିଦ୍ୟାଳୟ ପଛରେ ପଡ଼ିଛି। ଶ୍ରେଷ୍ଠ ଶହେରେ ସାମିଲ ହେବାରେ ବାରମ୍ବାରର ବିଫଳ ହେଉଛୁ। ତା’ସାଙ୍ଗକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ବି ଓଡ଼ିଶା ପଛରେ ପଡ଼ିଥିବା ନେଇ ଉଲ୍ଲେଖ ହୋଇଛି। ସ୍ଥିତି ଦିନକୁ ଦିନ ବିଗିଡ଼ି ଯାଉଥିବା ବେଳେ ଆଜି କୁଳପତିଙ୍କୁ ଡାକି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି କୁଳାଧିପତି ତଥା ରାଜ୍ୟପାଳ ଏସ୍‌.ସି. ଜମିର। ଉଚ୍ଚଶିକ୍ଷାର ମାନ କିଭଳି ବୃଦ୍ଧି ପାଇପାରିବ ସେଥିପାଇଁ ରାଜ୍ୟର ୧୫ଟି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଡାକି ଆଲୋଚନା କରିଛନ୍ତି କୁଳାଧିପତି।

ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି କୁଳାଧିପତି ଡ. ଜମିର କହିଲେ, ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପ ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଛି। ତାହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ସହମତି ଭିତ୍ତିରେ ଉପାୟ ନିର୍ଦ୍ଧାରଣ କରି କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ କରନ୍ତୁ। ଏଥିସହ ବିଶ୍ୱବିଦ୍ୟାଳୟରେ ଗବେଷଣା ବୃଦ୍ଧି, ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼, କ୍ରୀଡ଼ା ଭିତ୍ତିଭୂମିର ବିକାଶ, ନିର୍ଧାରିତ ସମୟରେ ପରୀକ୍ଷା କରି ଫଳ ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇ କହିଲେ, ସମସ୍ତ ବିଶ୍ୱବିଦ୍ୟାଳୟ ଲାଗି ଏକକ ସିଲାବସ୍‌ ପ୍ରସ୍ତୁତ କରାଯିବ। ନିର୍ଧାରିତ ସମୟରେ ପରୀକ୍ଷା କରିବା, ଫଳ ପ୍ରକାଶ ଉପରେ ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେବାର ସମୟ ଆସିଛି। କୁଳପତିମାନେ ନିୟମିତ ବ୍ୟବଧାନରେ କଲେଜଗୁଡ଼ିକୁ ଗସ୍ତ କରି ଭିତ୍ତିଭୂମି ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଥିଲେ।

ସମ୍ମିଳନୀରେ ୯ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମୂଲ୍ୟାୟନ, ଫଳ ପ୍ରକାଶରେ ବିଳମ୍ବ, ସାର୍ଟିଫିକେଟ୍‌ ବଣ୍ଟନରେ ବିଳମ୍ବ ନେଇ ମାଳ ମାଳ ଅଭିଯୋଗ କୁଳାଧିପତି ସଚିବଙ୍କ ନିକଟରେ ଆସୁଛି। ପ୍ରତି ଶିକ୍ଷାବର୍ଷ ଆରମ୍ଭରୁ ପରୀକ୍ଷା, ଫଳ ପ୍ରକାଶ ଏବଂ ସାର୍ଟିଫିକେଟ୍‌ ବଣ୍ଟନ ନେଇ କୁଳାଧିପତିଙ୍କ ସଚିବଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିବାକୁ କୁଳପତିମାନଙ୍କୁ କୁହାଯାଇଥିଲେ ମଧ୍ୟ  ତାହା କାର୍ଯ୍ୟକାରୀ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଉତ୍ତରାଞ୍ଚଳ ଆରଡିସି ରହିବା ସମୟରେ ୭୦ ହଜାର ଡିଗ୍ର୍ରି ସାର୍ଟିଫିକେଟ୍‌ ଦିଆଯାଇଛି। ଏଭଳି କାର୍ଯ୍ୟକୁ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଗ୍ରହଣ କରିବାକୁ କୁଳାଧିପତି ପରାମର୍ଶ ଦେଇଛନ୍ତି।

ବିଭିନ୍ନ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣ ଶିକ୍ଷକ ପଦବି ପୂରଣ ଲାଗି ମଞ୍ଜୁରି ଦିଆଯାଇଥିଲେ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରାଯାଉ ନାହିଁ। ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରି ଶିକ୍ଷାବର୍ଷ ଆରମ୍ଭରୁ ପଦବି ପୂରଣ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀ ଏବେ ଇଣ୍ଟରନେଟ୍‌ରେ ଅଧିକ ସମୟ ବିତାଉଛନ୍ତି। ତାହାକୁ ହ୍ରାସ କରିବା ସହ ଆଉଟ୍‌ଡୋର ସ୍ପୋର୍ଟସ୍‌ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ। କେତେକ ବିଶ୍ୱବିଦ୍ୟାଳୟର ଆବଶ୍ୟକୀୟ ଭିତ୍ତିଭୂମି ନ ଥିବାରୁ ଛାତ୍ରଛାତ୍ରୀ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ସମସ୍ତ ବିଶ୍ୱବିଦ୍ୟାଳୟରେ ୨୦୧୮ ଶେଷ ସୁଦ୍ଧା ସ୍ପୋଟସ୍‌ କମ୍ପଲେକ୍ସ ନିର୍ମାଣ କରିବାକୁ ନିର୍ଦେଶ ଦିଆଯାଇଛି।

ଶ୍ରେଷ୍ଠ ଶହେରେ କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ପାଉ ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ କୁଳପତି ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ଆଧାରରେ ସେଣ୍ଟରାଲ ଇନ୍‌ଷ୍ଟମେଣ୍ଟେସନ ସେଣ୍ଟର(ସିଆଇସି) ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବା ସହ କ୍ୟାମ୍ପସକୁ ସେଣ୍ଟର ଅଫ୍‌ ଏକ୍ସେଲେନ୍ସ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଶିକ୍ଷାବର୍ଷ ଆରମ୍ଭରୁ କେତେକ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଯୋଗୁଁ ପିଲାଙ୍କ ପାଠପଢ଼ା ବ୍ୟାହତ ହେଉଛି। ତାହାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ଉପରେ କଟକଣା, ହଷ୍ଟେଲରୁ ଅଣଛାତ୍ର କାଢ଼ିବା ସହ ଲିଙ୍ଗଡୋ କମିସନଙ୍କ ନିୟମ ଅନୁଯାୟୀ ଶାନ୍ତିଶୃଙ୍ଖଳାର ସହ କିଭଳି ନିର୍ବାଚନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ନିୟମିତ ଭାବେ ଆକାଉଣ୍ଟ ଅଡିଟ୍‌ ଉପରେ ପ୍ରାଥମିକତା ଦିଆଯାଇଛି। ଏହିସହ ୟୁଜିସି ପକ୍ଷରୁ ମିଳୁଥିବା ଅର୍ଥର ସଠିକ୍‌ ବିନିଯୋଗ କରିବାକୁ କୁହାଯାଇଛି।

ଏହି ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ସଂସ୍କୃତି ସଚିବ, ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ, ରାଜ୍ୟପାଳକଙ୍କ ଅତିରିକ୍ତ ଓ ବ୍ୟକ୍ତିଗତ ସଚିବଙ୍କ ସହ ୧୫ ବିଶ୍ୱବିଦ୍ୟାଳୟ କୁଳପତି ଉପସ୍ଥିତ ଥିଲେ। ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ଓ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ଡକାଯାଇଥିଲେ ମଧ୍ୟ ଅନୁପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର