ସ୍ୱୟଂଶାସିତ କଲେଜର କ୍ଷମତା କମିବ

ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀ

ଭୁବନେଶ୍ୱର : ହ୍ରାସ ପାଇବ ସ୍ୱୟଂଶାସିତ କଲେଜ କ୍ଷମତା। କଲେଜଗୁଡ଼ିକ ଏବେ ନିଜସ୍ୱ ପାଠ୍ୟକ୍ରମ, ପ୍ରଶ୍ନପତ୍ର ପ୍ରସ୍ତୁତ କରୁଛନ୍ତି। ପରୀକ୍ଷା ବି ପରିଚାଳନା କରୁଛନ୍ତି। ଉତ୍ତର ଖାତା ମୂଲ୍ୟାୟନରେ ବି କଲେଜ କର୍ତୃପକ୍ଷଙ୍କ ହାତ ରହୁଛି। ତେଣୁ ପିଲାମାନେ ଭଲ ମାର୍କ ରଖି ପାସ୍‌ କରୁଥିଲେ ମଧ୍ୟ ଜାତୀୟସ୍ତରରେ ସେମାନଙ୍କ ପ୍ରଦର୍ଶନ ନୈରାଶଜନକ ହେଉଛି। ତେଣୁ ସ୍ୱୟଂଶାସିତ କଲେଜଗୁଡ଼ିକର କ୍ଷମତାକୁ ହ୍ରାସ କରାଯିବ। ଏନେଇ କୁଳପତିଙ୍କଠାରୁ ମତାମତ ଲୋଡ଼ିଛି ଉଚ୍ଚଶିକ୍ଷା ବିଭାଗ। କେବଳ ସେତିକି ନୁହେଁ। ଉଚ୍ଚଶିକ୍ଷା କ୍ଷେତ୍ରରେ ପାଠ୍ୟକ୍ରମଠାରୁ ପରୀକ୍ଷା ପଦ୍ଧତି ପର୍ଯ୍ୟନ୍ତ ବ୍ୟାପକ ପରିବର୍ତନ ହେବ। । ବର୍ତମାନ ସମୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଦିନତମାମ ରାଜ୍ୟର ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକଙ୍କୁ ନେଇ ୧୯ଟି ବିଷୟ ଉପରେ ମାନସମନ୍ଥନ ହୋଇଛି। କିଭଳି ପରିବର୍ତନର ଆବଶ୍ୟକତା ରହିଛି ସେନେଇ ରିପୋର୍ଟ ଦେବାକୁ ବିଭିନ୍ନ କମିଟି ଗଠନ କରାଯାଇଛି। ପ୍ରତି କମିଟିରେ ୪ରୁ ୫ ଜଣ ସଦସ୍ୟ ରହିଛନ୍ତି। କମିଟିର ରିପୋର୍ଟ ଆଧାରରେ ଉଚ୍ଚଶିକ୍ଷା ବିଭାଗରେ ବ୍ୟାପକ ପରିବର୍ତନ କରାଯିବ।

ବୈଠକରେ ଆଉ ଏକ ବଡ଼ ନିଷ୍ପତ୍ତି କ୍ରମେ ସାମ୍‌ସ ସେଣ୍ଟର ମାଧ୍ୟମରେ ବିଶ୍ୱବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନାମଲେଖା କରିବାକୁ ପ୍ରସ୍ତାବ ରହିଛି। ଯୁକ୍ତ୨ ଏବଂ ଯୁକ୍ତ୩ କଲେଜରେ ଯେଉଁଭଳି ନାମଲେଖା ହେଉଛି ପିଜିରେ ମଧ୍ୟ ସେଭଳି ହେବ। ଫଳରେ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ ଗୋଟିଏ ସ୍ଥାନରେ ରହିିବ। ପରବର୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ଲାଗି ହେଉଥିବା ବିଭିନ୍ନ ଯୋଜନା ପହଞ୍ଚିପାରିବ। ପ୍ରତିବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ ଯୁକ୍ତ୩ ପାସ୍‌ କରୁଥିଲେ ମଧ୍ୟ ସେମାନଙ୍କ ତଥ୍ୟ ରଖାଯାଇପାରୁ ନାହିଁ। ତେଣୁ ଅନ୍‌ ଟାଇମ୍‌ ଗ୍ରାଜୁଏସନ (ଓଟିଜି) ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି।

ନେଟ୍‌, ୟୁପିଏସ୍‌ସି ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ୟୁଜି ଓ ପିଜି ପାଠ୍ୟକ୍ରମରେ ପରିବର୍ତନ ଆଣିବାକୁ ପ୍ରସ୍ତାବ ରହିଛି। ଏବେ ରାଜ୍ୟର ବିଭିନ୍ନ ବିଶ୍ୱବିିଦ୍ୟାଳୟ ଏବଂ ସ୍ୱୟଂଶାସିତ କଲେଜଗୁଡ଼ିକ ନିଜ ନିଜ ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ଫଳରେ କଲେଜରେ ଛାତ୍ରଛାତ୍ରୀଙ୍କୁ ଯେଉଁ ଶିକ୍ଷା ମିଳୁଛି ତାହା ବିଶ୍ୱବିଦ୍ୟାଳୟରେ ମିଳୁନି। ସର୍ବଭାରତୀୟ ପରୀକ୍ଷାରେ ବି ଓଡ଼ିଆ ପିଲା ଭଲ କରିପାରୁ ନାହାନ୍ତି। ସେଥିରେ ଉନ୍ନତି ଆଣିବା ଲାଗି ୟୁଜି ଏବଂ ପିଜି ପାଠ୍ୟକ୍ରମରେ ସାମଞ୍ଜସ୍ୟ ରଖାଯିବ। ୟୁଜିରେ ପିଲାମାନେ ଯେଉଁ ପାଠ ପଢ଼ିବେ ପିଜି ବି ସେହି ଅନୁଯାୟୀ ପାଠ୍ୟକ୍ରମ ରହିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଲାଗି ନୂତନ ପାଠ୍ୟକ୍ରମ ଖୋଲିବାକୁ କୁହାଯାଇଛି।

ଯେଉଁମାନେ ନାକ୍‌ ମାନ୍ୟତା ପାଇ ନାହାନ୍ତି ସେମାନେ କିଭଳି ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ନିର୍ଦେଶ ଦଆଯାଇଛି। ୨୦୧୫-୧୬ ଶିକ୍ଷାବର୍ଷରୁ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ କଲେଜରେ ଲାଗୁ ହୋଇଥିବା ଚଏସ୍‌ ବେସଡ୍‌ କ୍ରେଡିଟ୍‌ ସିଷ୍ଟମକୁ କେତେକ କଲେଜ କର୍ତୃପକ୍ଷ ଠିକ୍‌ ଭାବେ ଜାଣିପାରୁ ନାହାନ୍ତି। ଏନେଇ ବିଶ୍ୱବିିଦ୍ୟାଳୟଗୁଡ଼ିକ ପୁଣିଥରେ ସଚେତନତା କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। ଓଡ଼ିଶା ରାଇଟ୍‌ ଟୁ ପବ୍ଲିକ ସର୍ଭିସ ଆକ୍ଟକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁହାଯାଇଛି।

ଅନ୍‌ଲାଇନ୍‌ ଆକାଉଣ୍ଟିଂ ସିଷ୍ଟମ ଲାଗୁ କରିବା ଲାଗି କଲେଜ ଆକାଉଣ୍ଟିଂ ପ୍ରୋସିଡ୍ୟୁୟର ଅଟୋମେସନ(ସିଏପିଏ) ଆରମ୍ଭ କରାଯାଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକ ଏଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ପ୍ରକାଶ କରିବାକୁ କୁହାଯାଇଛି। ରାଜ୍ୟ ବଜେଟ୍‌ରୁ ଦିଆଯାଉଥିବା ଅର୍ଥର ସଠିକ୍‌ ଓ ନିର୍ଧାରିତ ସମୟ ମଧ୍ୟରେ ବିନିଯୋଗ କରିବା, ରୁଷାରୁ ଆସୁଥିବା ଅର୍ଥରେ ଭିତ୍ତିଭୂମି ବିକାଶ କରିବା, ଟିଚିଂ ଏବଂ ନନ୍‌ ଟଚିଂ ପଦବି ପୂରଣ ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ କଡ଼ା ନିର୍ଦେଶ ଦିଆଯାଇଛି। ବିଶ୍ୱବିିଦ୍ୟାଳୟଗୁଡ଼ିକରେ ଚାଲିଥିବା ସିଭିଲ୍‌ ସର୍ଭିସ ପରୀକ୍ଷାର କୋଚିଂ, କ୍ୟାରିଅର କାଉନସେଲିଂ ସେଲ୍‌, ବାହ୍ୟ କ୍ରୀଡ଼ା ସୁବିଧା ଆଦି ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି।

ସମ୍ମିଳନୀରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇ କହିଛନ୍ତି ଯେ ସର୍ବଭାରତୀୟ ପରୀକ୍ଷାରେ ଓଡ଼ିଶାର ପିଲାମାନେ ଭଲ କରିପାରୁ ନ ଥିବାରୁ ପାଠ୍ୟକ୍ରମରେ ବ୍ୟାପକ ପରିବର୍ତନ କରିବାକୁ ଯୋଜନା ହେଉଛି। ୧୯ଟି ବିଷୟ ଲାଗି କମିଟି ଗଠିତ ହୋଇଛି। ସେମାନେ ରିପୋର୍ଟ ଦେବା ପରେ ବିଭାଗ ପକ୍ଷରୁ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି ଯେ ଦରକାର ପଡ଼ିଲେ ଉଚ୍ଚଶିକ୍ଷାକୁ ଦୃଷ୍ଟିରେ ରଖି ହାଇସ୍କୁଲ ଏବଂ ଯୁକ୍ତ୨ ବି ପରିବର୍ତନ ଦିଗରେ ପଦକ୍ଷେପ ନେବୁ। କୁଳପତିମାନେ ଯେଉଁ ପ୍ରସ୍ତାବ ଦେଉଛନ୍ତି ତାହାକୁ ଅନୁଧ୍ୟାନ କରାଯିବ। ଦୁଇଟି ଯାକ ବିଭାଗ ମିଳିତ ଭାବେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଉଦ୍ୟମ କରିବେ। ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାାର ଦାସ ବିଶିଷ୍ଟ ଅତିଥିଭାବେ ଯୋଗଦେଇ ଉଚ୍ଚଶିକ୍ଷାରେ କିଭଳି ସଂସ୍କାର ଆସିପାରିବ ତାହା ଉପରେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର