ଭୁବନେଶ୍ବର : ରାଜ୍ୟର ୬ଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେଲାଣି। କାହାର ୨ମାସ ହେଲା ସରିଗଲାଣି ତ ଆଉ କାହାର ଦେଢ଼ ମାସ। ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୩ ମାସିଆ ବଢ଼ା ଯାଇଥିବାରୁ ସେମାନେ ଏବେ ବର୍ଦ୍ଧିତ କାର୍ଯ୍ୟକାଳରେ ରହିଛନ୍ତି। ନୂତନ କୁଳପତି ଚୟନ ନେଇ ପ୍ରକ୍ରିୟା ଜାରି ରହିଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ମନ୍ଥରତା ପାଇଁ ଏପର୍ଯ୍ୟନ୍ତ ଗୋଟିଏ ବି ବିଶ୍ୱବିଦ୍ୟାଳୟର ସଂକ୍ଷିପ୍ତ ପ୍ରଫେସର୍‌ଙ୍କ ତାଲିକା ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କୁ ଦିଆଯାଇନାହିଁ। ଏମିତିକି କୌଣସି ବିଶ୍ୱବିଦ୍ୟାଳୟ ଲାଗି ସର୍ଚ୍ଚ କମିଟି ବୈଠକ ଡକାଯାଇ ନାହିଁ। ଯେତେବେଳେ କି କୁଳପତି ପଦ ପାଇଁ ଆବେଦନ ସାରିବାର ୬୦ଦିନ ମଧ୍ୟରେ ସଂକ୍ଷିପ୍ତ ୩ ପ୍ରଫେସରଙ୍କ ତାଲିକା କୁଳଧିପତିଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ।

Advertisment

ଏଭଳି ସମୟରେ କ୍ୟାବିନେଟ୍‌ ନିଷ୍ପତ୍ତି ଆଧାରରେ ୬ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚତୁରତାର ସହ ପୂର୍ବ ଚୟନ ଆବେଦନ ପ୍ରକ୍ରିୟାକୁ ଏଡ଼ାଇ ଏବେ ଆଉ ଥରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି। କୁଳପତି ପଦ ପାଇଁ ଆବେଦନ କରିବାରୁ ବଞ୍ଚିତ ହୋଇଥିବା  କିଛି ପ୍ରଫେସର୍‌ଙ୍କୁ ସୁଯୋଗ ଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି କୁଳାଧିପତି ତଥା ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ଚିଠି ଆଉ ଥରେ ଆବେଦନ ପ୍ରକ୍ରିୟା କରିବାକୁ ଅନୁମତି ଲୋଡ଼ିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନକୁ ସଂଶୋଧନ କରାଯାଇ ସେପ୍ଟେମ୍ବର ୪ ତାରିଖରେ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ କୁଳପତିଙ୍କ କାର୍ଯ୍ୟକାଳ ୪ବର୍ଷ ଓ ୬୭ ବର୍ଷ ବୟସ ପର୍ଯ୍ୟନ୍ତ ଜଣେ ପ୍ରଫେସର କୁଳପତି ପଦରେ ରହିପାରିବ‌େ। ସେହି ଅନୁଯାୟୀ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ଓ ବୟସ ସୀମା ବଢ଼ା ଯାଇଥିବାରୁ ୬ଟି ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଆବେଦନ କରିବାକୁ ଆଉଥରେ ବିଜ୍ଞପ୍ତି ପ୍ରକାଶ କରାଯାଉ। ଫଳରେ ବୟସ କଟକଣା ଯୋଗୁଁ ଆବେଦନ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା କିଛି ପ୍ରଫେସର୍‌ ଆବେଦନ କରିବାକୁ ସୁଯୋଗ ପାଇବେ। କୁଳାଧିପତି ଏହା ଉପରେ ବିଚାରବିମର୍ଶ କରି ବିଜ୍ଞାପନ ପ୍ରକାଶ କରିବାକୁ ଅନୁମତି ଦେବାକୁ ଶ୍ରୀ ମିଶ୍ର ଚିଠିରେ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଏହାକୁ ନେଇ କୁଳପତି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ଏମିତିରେ କିଛି କୁଳପତିଙ୍କ କାର୍ଯ୍ୟକାଳକୁ ବାରମ୍ବାର ବୃଦ୍ଧି କରାଯାଉଛି। ଯଦି ଦେଖାଯାଏ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବାରମ୍ବାର ବୃଦ୍ଧି ହେଉଛି। ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଥିବା ପ୍ରଫେସର ପଦ୍ମଜା ମିଶ୍ରଙ୍କୁ ୨୦୧୫ରେ ପ୍ରଥମେ ବିଶ୍ୱବିଦ୍ୟାଳୟ ଓଏସଡି ଭାବେ ନିଯୁକ୍ତି ଦିଆଗଲା। ପରବର୍ତ୍ତୀ ସମୟରେ ପ୍ରଥମ କୁଳପତି ଭାବେ ବର୍ଷେ, ଏହାପରେ ୩ ବର୍ଷ, ଆଉ ଏବେ ୩ ମାସ ପାଇଁ ବୃଦ୍ଧି କରାଯାଇଛି। ଅନ୍ୟ ୫ଟି ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳକୁ ବି ୩ ମାସ ବଢ଼ାଇ ଦିଆଯାଇଛି। ପୂର୍ବରୁ ଦେଖିବାକୁ ମିଳୁଥିଲା, ଯେତେବେଳେ କୌଣସି କୁଳପତିଙ୍କ କାର୍ଯ୍ୟକାଳ ଶେଷ ହୁଏ, ଏହାପରେ ଆର୍‌ଡିସି ନ ହେଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁଳପତି ଭାବେ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଥାଏ। ତେବେ ଚଳିତଥର କୁଳପତି ଚୟନରେ ସବୁ ନିୟମ ବାରମ୍ବାର ଉଲଂଘନ ହେଉଥିବା ଦେଖିବାକୁ ମିଳିଛି।