ଭୁବନେଶ୍ବର: ଏଣିକି ଯେଉଁ ବିଶ୍ବବିଦ୍ୟାଳୟରେ ପ୍ରଫେସର ନିଯୁକ୍ତି ଦିଆଯିବ ସେହି ବିଶ୍ବବିଦ୍ୟାଳୟର କୁଳପତି ହିଁ ସେହି ନିଯୁକ୍ତି ଦେବେ। ଆଉ ଓପିଏସ୍‌ସି ଦ୍ବାରା ବିଶ୍ବବିଦ୍ୟାଳୟରେ ପ୍ରଫେସର ନିଯୁକ୍ତି କରାଯିବନାହିଁ।  ବିଶ୍ବବିଦ୍ୟାଳୟର କୁଳପତିଙ୍କ ଦ୍ବାରା ଗଠିତ କମିଟି ହିଁ ପୂର୍ବଭଳି ପ୍ରଫେସରଙ୍କୁ ନିଯୁକ୍ତି ଦେବ। କେବଳ ପ୍ରଫେସର ନୁହେଁ, କୁଳପତି ଚୟନ କମିଟି ଢାଞ୍ଚାରେ ବି ପରିବର୍ତ୍ତନ ଅଣାଯାଇଛି। କୁଳପତି ଚୟନ ପାଇଁ ଗଠନ ହେଉଥିବା ସର୍ଚ କମିଟିରେ ଏଣିକି ରାଜ୍ୟପାଳ/କୁଳାଧିପତିଙ୍କ ଦ୍ବାରା ମନୋନୀତ ଜଣେ ଶିକ୍ଷାବିତ୍‌ କମିଟିର ଅଧ୍ୟକ୍ଷ ରହିବେ। ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ କେତେକ ପ୍ରଫେସରଙ୍କ ନାମ ରାଜ୍ୟପାଳ/କୁଳାଧିପତିଙ୍କୁ ସୁପାରିସ କରିବ। ସେଥିରୁ ଯାହାଙ୍କୁ କୁଳାଧିପତି ବାଛିବେ ସେ କମିଟିର ଜଣେ ସଦସ୍ୟ ରହିବେ। ଏହାସହ ୟୁଜିସି ଦ୍ବାରା ମନୋନୀତ ଜଣେ ଶିକ୍ଷାବିତ୍‌ ଏହି କମିଟିର ସଦସ୍ୟ ରହିବେ। ଏହିପରି ତିନି ଜଣ ଶିକ୍ଷାବିତ୍‌ଙ୍କୁ ‌ନେଇ ଗଠିତ କମିଟି କୁଳପତି ଚୟନ କରିବେ ବୋଲି ନିଷ୍ପତ୍ତି ହୋଇଛି। 

Advertisment

ଏହି ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଆଜି ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ,୧୯୮୯ରେ ସଂଶୋଧନ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବସିଥିବା କ୍ୟାବିନେଟ ବୈଠକରେ ଏହି ସଂଶୋଧନ ପ୍ରସ୍ତାବ ସମେତ ମୋଟ୍ ଦୁଇଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପୂର୍ବ ସରକାର ୨୦୨୦ରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ କରି ନିଷ୍ପତ୍ତି ନେଇଥିଲେ ‌ଯେ ବିଶ୍ବବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓପିଏସ୍‌ସି ଦ୍ବାରା ହେବ। ଏହାଦ୍ବାରା ବିଶ୍ବବିଦ୍ୟାଳୟ କୁଳପତିଙ୍କର ମନମାନି ରହିବନି। ହେଲେ କୋର୍ଟ କେସ୍ ଯୋଗୁ ବିଶ୍ବବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି କ୍ଷେତ୍ରରେ ବହୁ ସମସ୍ୟା ହୋଇଥିଲା। ସେହିପରି କୁଳପତି ଚୟନ କମିଟିରେ ଜଣେ ମୁଖ୍ୟ ସଚିବ ପାହ୍ୟାର ଅବସରପ୍ରାପ୍ତ ଅଧିକାରୀ କମିଟିର ଅଧ୍ୟକ୍ଷ ରହୁଥିବାବେଳେ ରାଜ୍ୟ ସରକାରଙ୍କର ଜଣେ ପ୍ରତିନିଧି ଓ ୟୁଜିସିର ଜଣେ ପ୍ରତିନିଧି ଏଥିରେ ସଦସ୍ୟ ରହୁଥିଲେ। 

୨ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର

କୁଳପତି ଚୟନ କମିଟି ଢାଞ୍ଚା ବି ବଦଳିଲା
‌ପ୍ରୋତ୍ସାହନ ପାଇବାକୁ ଶିଳ୍ପ ସଂସ୍ଥା ୨ବର୍ଷ ମଧ୍ୟରେ ଆବେଦନ କରିପାରିବେ

ଏହି ସଂଶୋଧନ ଦ୍ବାରା ରାଜ୍ୟ ସରକାର ଶି କ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ କୋର୍ଟ ମାମଲା ହେତୁ ଶିକ୍ଷକ ନିଯୁକ୍ତିରେ ଆସିଥିବା ସ୍ଥାଣୁତା ଦୂର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ନିଯୁକ୍ତି ପାଇଁ ଅଧିକ ସ୍ବଚ୍ଛ ଏବଂ ସମୟ ସୀମାବଦ୍ଧ ପ୍ରଣାଳୀ ସୃଷ୍ଟି କରିବାକୁ ଏହି ପରିବର୍ତ୍ତନ ଅଣାଯାଇଛି ବୋଲି କୁହାଯାଇଛି। ଆସନ୍ତା ୨୬ତାରିଖରୁ ବିଧାନସଭା ଅଧିବେଶନ ବସିବାକୁ ଥିବାବେଳେ ଏହି ଅଧିବେଶନରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ,୧୯୮୯ରେ ହୋଇଥିବା ସଂଶୋଧନ ପ୍ରସ୍ତାବ ଉପସ୍ଥାପିତ ହେବ ବୋଲି ମୁଖ୍ୟ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଏହାବ୍ୟତୀତ ଆଜି ସଂଶୋଧିତ ହୋଇଥିବା ଅଧିନିୟମରେ ସିନେଟ, ଅର୍ଥ କମିଟି ଏବଂ ବିଲଡିଂ ଓ ନିର୍ମାଣ କମିଟି ଗଠନ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସ୍ବାୟତ୍ତତା ଦିଆଯାଇଛି।  ବିଭିନ୍ନ କମିଟି ଗଠନ ନେଇ ପ୍ରଥମ ଥର ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅଧିକାର ପ୍ରଦାନ କରାଯାଇଛି। ଏହି ସଂଶୋଧନରେ ଜାତୀୟ ଶିକ୍ଷାନୀତି,୨୦୨୦ର ପରିବର୍ତ୍ତନଶୀଳ ଦିଗଗୁଡ଼ିକୁ  ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଯେପରିକି ବହୁମୁଖୀ ଶିକ୍ଷା ଉପରେ ଗୁରୁତ୍ବ, ନିଯୁକ୍ତି ପାଇଁ ଦକ୍ଷତା ବିକାଶ ଏବଂ ଦୂର ନିରନ୍ତର ଶିକ୍ଷା ଇତ୍ୟାଦି ମାଧ୍ୟମ‌େର ଅଧିକରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ହାସଲ କରିବେ। 

ସେହିପରି ଆଜିର କ୍ୟାବିନେଟ ବୈଠକରେ ଶିଳ୍ପ ନୀତି-୨୦୧୫ରେ ସଂଶୋଧନ ପାଇଁ ଆସିଥିବା ଦୁଇଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାଦ୍ବାରା ଯୋଗ୍ୟ ନିବେଶକମାନେ ‌ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବେ ଏବଂ ପ୍ରୋତ୍ସାହନ ରାଶି ଅଧିକ ଶିଳ୍ପ ସଂସ୍ଥାଙ୍କୁ ମିଳିବ। ବିଭିନ୍ନ ସମୟରେ ଅଜ୍ଞତା କାରଣରୁ ଏବଂ କୋଭିଡ-୧୯ ସମୟରେ ବହୁ ସଂସ୍ଥା ପ୍ରୋତ୍ସାହନ ରାଶି ପାଇବାକୁ ଆବେଦନ କରିପାରିପାରିନଥିଲେ। ଏହାକୁ ନଜରରେ ରଖି ଶିଳ୍ପ ସଂସ୍ଥାଗୁଡ଼ିକୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଓ ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାର ସମୟ ସୀମାକୁ ୧ବର୍ଷରୁ ୨ବର୍ଷକୁ ବୃଦ୍ଧି କରାଯାଇଛି। ୨ବର୍ଷରୁ ଅଧିକ ବିଳମ୍ବ ପାଇଁ ମୁଖ୍ୟ ସଚିବଙ୍କ ସ୍ତରରେ ବିଚାର କରିବା ପାଇଁ ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ସମୟରେ ଏକକ ପଦକ୍ଷେପ ଭାବେ ଯେଉଁ ନିବେଶକମାନେ ବ୍ୟାବସାୟିକ ଉତ୍ପାଦନ ଆରମ୍ଭ କରିସାରିଛନ୍ତି କିନ୍ତୁ ଧାର୍ଯ୍ୟ ତାରିଖ ମଧ୍ୟରେ ପ୍ରୋତ୍ସାହନ କିମ୍ବା ପ୍ରମାଣପତ୍ର ପାଇଁ ସେମାନଙ୍କ ଆବେଦନ ଦାଖଲ କରିବାରେ ବିଫଳ ହୋଇଥିଲେ, କିମ୍ବା  ୩୦.୦୬.୨୦୨୩ ମଧ୍ୟରେ ଦାଖଲ କରିଥିଲେ ମଧ୍ୟ ଅଯୋଗ୍ୟ ହୋଇଥିବେ ସେମାନଙ୍କ ଦରଖାସ୍ତ ଯୋଗ୍ୟ ଆବେଦନକାରୀ ଭାବେ ପୁନଃବିଚାର କରାଯିବ। ଏହି ଧାର୍ଯ୍ୟ ତାରିଖ ପରେ ଦାଖଲ ହୋଇଥିବା ଆବେଦନଗୁଡ଼ିକୁ ବିଚାର କରାଯିବ କି ନାହିଁ ବରଂ ମୁଖ୍ୟ ସଚିବଙ୍କ ସ୍ତରରେ ବିଚାର କରାଯିବ। 

ସେହିପରି ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ରେ ୧୩.୧୧.୨୦୧୮ରେ ହୋଇଥିବା ସଂଶୋଧନରେ ଦ୍ରବଣ ନିଷ୍କାସନ, ରିଫାଇନ ତୈଳ ପ୍ରସ୍ତୁତି ଏବଂ ପାନୀୟ ଜଳର ବିଶୋଧନ କାରଖାନା କାର୍ଯ୍ୟକଳାପକୁ ନକାରାତ୍ମକ ତାଲିକାରୁ ହଟାଯାଇଥିଲା। ଏହି ନୀତି ଅନୁଯାୟୀ ଉକ୍ତ ଶିଳ୍ପ ସଂସ୍ଥାଗୁଡ଼ିକ ପ୍ରୋତ୍ସାହନ ପାଇଁ ଯୋଗ୍ୟ ହେଉଥିଲା। କିନ୍ତୁ ୧୮.୮.୨୦୨୦ରେ ଶିଳ୍ପ ନୀତି-୨୦୧୫ରେ ସମାନ ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶା ଶିଳ୍ପ ନୀତି ଏବଂ କ୍ଷେତ୍ରୀୟ ନୀତିରେ ଉପରୋକ୍ତ ଅସଙ୍ଗତିକୁ ଦୃଷ୍ଟିରେ ରଖି ସରକାର ୧୮.୮.୨୦୨୦ରେ ଶିଳ୍ପ ନୀତି-୨୦୧୫ରେ କରାଯାଇଥିବା ସଂଶୋଧନ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ହୋଇଥିବା ସଂଶୋଧନ ତାରିଖ ଠାରୁ ଅର୍ଥାତ୍ ୧୩.୧୧.୨୦୧୮ରୁ ଏହାକୁ ଲାଗୁ କରିବାକୁ ଅନୁମୋଦନ କରିଛନ୍ତି। ଆଜିର କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ମେନାଜ ଆହୁଜା ଗଣମାଧ୍ୟମକୁ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ।