ଭୁବନେଶ୍ବର: ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ ଲାଭ କରିଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲକ୍ଷ୍ୟରେ ନିଆଯାଇଥିବା ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ନୂଆ ଅଧିନିୟମ ଅନୁମୋଦନ ପାଇବାର ଦୁଇ ଦିନ ପରେ ବିଭାଗ ପକ୍ଷରୁ କୁଳପତିମାନଙ୍କ ସମ୍ମିଳନୀ ଡକାଯାଇଛି। ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଉତ୍କଳ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ ହଲ୍ରେ ହେବାକୁ ଥିବା ସମ୍ମିଳନୀରେ ଅଧିନିୟମ ଉପରେ ବ୍ୟାପକ ଆଲୋଚନା କରାଯିବ। ନିଯୁକ୍ତି ପ୍ରକ୍ରିୟା ପାଇଁ ଥିବା ନିୟମ, ପ୍ରଫେସର ଓ କର୍ମଚାରୀ ନିଯୁକ୍ତି ଯୋଜନା, ପାଠ୍ୟକ୍ରମରେ ସମାନତା, ବିଭିନ୍ନ ପିଜି ବିଭାଗଗୁଡ଼ିକୁ ମିଶାଇବା, ଅଣଶିକ୍ଷକ ପଦବିଗୁଡ଼ିକରେ ସମାନତା, ଭିତ୍ତିଭୂମି ପ୍ରକଳ୍ପ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ୧୫ଟି ସରକାରୀ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସମେତ ଧରଣୀଧର ବିଶ୍ବବିଦ୍ୟାଳୟ ଓ ବିକ୍ରମଦେବ ବିଶ୍ବବିଦ୍ୟାଳୟର ଓଏସ୍ଡି ବୈଠକରେ ଯୋଗ ଦେବେ। ଏମାନଙ୍କ ବ୍ୟତୀତ ବିଶ୍ବବିଦ୍ୟାଳୟ କୁଳସଚିବ, ଉପ କୁଳସଚିବ, ପିଜି କାଉନ୍ସିଲ୍ ଅଧ୍ୟକ୍ଷ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
୧୭ରୁ ୧୦ ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି
ସ୍ଥାୟୀ କୁଳପତି ଚୟନ ପାଇଁ ବିଜ୍ଞପ୍ତି କେବେ?
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ୮ଟିରେ ସ୍ଥାୟୀ କୁଳପତି ନାହାନ୍ତି। ଭାରପ୍ରାପ୍ତରେ ଚାଲିଛି ୮ଟି ବିଶ୍ବବିଦ୍ୟାଳୟ। ଦୁଇଟି ବିଶ୍ବବିଦ୍ୟାଳୟ ଓଏସ୍ଡିରେ ଚାଲିଛି। ଅର୍ଥାତ୍ ୧୦ଟି ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳପତି ନ ଥିବା ବେଳେ ସମ୍ମିଳନୀ ଡକାଯିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ନ କରି ସମ୍ମିଳନୀ ଡାକିବା ଦ୍ବାରା କ’ଣ ଲାଭ ବୋଲି ଶିକ୍ଷାବିତ୍ମାନେ ମତପ୍ରକାଶ କରିଛନ୍ତି। ଜଣେ ପୂର୍ବତନ କୁଳପତି କହିଛନ୍ତି ଯେ ଅଧିନିୟମ ସଂଶୋଧନ ହୋଇଥିବାରୁ ପ୍ରଥମେ କୁଳପତି ଚୟନ କରିବାର ଆବଶ୍ୟକତା ରହିଛି। କାରଣ ଯେଉଁମାନେ ଦାୟିତ୍ବରେ ରହିବେ ସେମାନେ ନୂତନ ଅଧିନିୟମ ବୁଝିବା ସହ ତାହାକୁ କାର୍ଯ୍ୟକାରୀ କରାଇବେ। ଏବେ ଯେଉଁମାନେ ଅଛନ୍ତି ସେମାନେ ଆସନ୍ତା ୪ରୁ ୫ ମାସ ମଧ୍ୟରେ ପଦବିରୁ ହଟିବେ। ତେଣୁ ସେମାନଙ୍କ ପାଇଁ ପୁଣି ଥରେ କୁଳପତି ସମ୍ମିଳନୀ ଡାକି ବୁଝାଇବାକୁ ପଡ଼ିବ। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳକୁ ୬ ମାସ ପର୍ଯ୍ୟନ୍ତ ବଢ଼ାଯାଇଛି, ଯାହାକି ଆସନ୍ତା ଦୁଇ ମାସ ମଧ୍ୟରେ ସରିବ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି ପଦବିରେ ବରିଷ୍ଠ ପ୍ରଫେସର ରହିଛନ୍ତି। ନୂଆ ନିଯୁକ୍ତି ହେବା ପରେ ସେମାନେ ଭାରପ୍ରାପ୍ତ ଦାୟିତ୍ବରୁ ହଟିବେ। ସେହିପରି ଭାରପ୍ରାପ୍ତ ଦାୟିତ୍ବରେ ରହିଥିବାରୁ ଅଧିକାଂଶ କୁଳପତିଙ୍କର ନିଯୁକ୍ତି ପ୍ରଦାନ କରିବାର କ୍ଷମତା ହିଁ ନାହିଁ। ତେଣୁ ସମ୍ମିଳନୀ ଡାକିବା ଅପେକ୍ଷା ସ୍ଥାୟୀ କୁଳପତି ନିଯୁକ୍ତି କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।