ବିଜେଡି ମହିଳା ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ପରିବାର ଲୋକଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ୱର : ପରିବାର ଲୋକଙ୍କଠାରୁ ଏକାଧିକ ମିଥ୍ୟା ଅଭିଯୋଗ ଶୁଣିବା ପରେ ଶେଷରେ ବିଜେଡି ମହିଳା ମୋର୍ଚାର ଉପ-ସଭନେତ୍ରୀ ସଂଯୁକ୍ତା ମହଲ ଶୁକ୍ରବାର ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପରିବାର ଲୋକ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ଆଜି ସାମାନ୍ୟ ସୁସ୍ଥ ହେବା ପରେ ସଂଯୁକ୍ତା ଲକ୍ଷ୍ମୀସାଗର ଥାନାକୁ ଯାଇ ତାଙ୍କ ଭାଇଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଆତ୍ମହତ୍ୟା ଉଦ୍ୟମ ପାଇଁ ପରିବାର ଲୋକ ଦାୟୀ ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସେ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କି ତାଙ୍କ ମା’ ମମତା ପାତ୍ର, ଭାଇ ପ୍ରଦୀପ ପାତ୍ର, ଭଉଣୀ ରଶ୍ମିତା ମହାପାତ୍ର ଓ ଶୁଭସ୍ମିତା ବିଭିନ୍ନ ସମୟରେ ତାଙ୍କ ଚରିତ୍ରକୁ ନେଇ ବଦନାମ କରିଛନ୍ତି। ଯେଉଁ କାରଣରୁ ସେ ସାଧାରଣରେ ବଦନାମ ହୋଇଛନ୍ତି। ତାଙ୍କୁ ବିଜୁ ଜନତା ଦଳ ଶ୍ରମିକ ସାମ୍ମୁଖ୍ୟର ସାଧାରଣ ସମ୍ପାଦିକା ପଦବିରୁ ବହିଷ୍କାର କରାଯାଇଛି। ଏହା ତାଙ୍କୁ ମାନସିକସ୍ତରରେ ଆଘାତ ପହଞ୍ଚାଇଛି।

ତିନି ଦିନ ତଳେ ନେହରୁ ଯୁବ କେନ୍ଦ୍ରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ନମିତା ପାତ୍ର ନାମକ ଜଣେ ମହିଳା ସଂଯୁକ୍ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ କି, ତାଙ୍କ ପରିବାରକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ବିଭିନ୍ନ ଥାନାରେ ଓ କୋର୍ଟରେ ମିଥ୍ୟା ମକଦ୍ଦମା ରୁଜୁ କରିବା ସହିତ ସାନପୁଅ ଓ ବୋହୂକୁ ରାସ୍ତାରେ ଗୁଣ୍ଡା ପଠାଇ ମାଡ଼ ମାରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗପତ୍ର ଦିଆଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଇନାହିଁ। ବେଳକୁ ବେଳ ସଂଯୁକ୍ତାଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଛି। ତେଣୁ ଆସନ୍ତା ୧୫ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପୂରା ପରିବାର ଧାରଣାରେ ବସିବେ ବୋଲି ଶ୍ରୀମତୀ ପାତ୍ର କହିଥିଲେ। ଶ୍ରୀମତୀ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ୩ ଦିନ ପରେ ଶୁକ୍ରବାର ରାତିରେ ସଂଯୁକ୍ତା ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର