ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌.ଭେଙ୍କିୟା ନାଇଡ଼ୁ

ଭୁବନେଶ୍ୱର :  ରବିବାର ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌.ଭେଙ୍କିୟା ନାଇଡ଼ୁ। ଏକ ସ୍ବତନ୍ତ୍ର ବିମାନ ଯୋଗେ ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ ପାଛୋଟି ଆଣିବେ। ସେଠାରୁ ଉପରାଷ୍ଟ୍ରପତି କିଟ୍‌ ବିଶ୍ବବିଦ୍ୟାଳୟ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ରାଜଭବନ‌ ଫେରି ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ ୩ଟା ବେଳେ ସେ କଟକ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ‘ସମାଜ’ର ବାର୍ଷିକ ଉତ୍ସବରେ ଯୋଗ ଦେବେ। ସେଠାରୁ ସିଧା ଭୁବନେଶ୍ବର ବିମାନବନ୍ଦରକୁ ଫେରିବେ। ସନ୍ଧ୍ୟା ୬ଟା ବେଳେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଉପରାଷ୍ଟ୍ରପତିଙ୍କର ଏହି ଯାତ୍ରା ପାଇଁ ଭୁବନେଶ୍ବରରେ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ସ୍ବତନ୍ତ୍ର ଅଧିକାରୀ ଦାୟିତ୍ବରେ ରହିବେ। ଆଜି ସକାଳେ ଏଥିପାଇଁ କାର୍‌କେଡ୍‌ ଅଭ୍ୟାସ କରାଯାଇଛି। କାର୍‌କେଡ୍‌ ବିମାନବନ୍ଦରରୁ ବାହାରି କିଟ୍‌ ପର୍ଯ୍ୟନ୍ତ ଯାଇଥିଲା। କିଟ୍‌ରୁ ଫେରି ରାଜଭବନ ଆସିଥିଲା। ପରେ ରାଜଭବନରୁ ବାହାରି କଟକ ଅଭିମୁଖେ ଯାଇଥିଲା। ୧୬ ନମ୍ବର ଜାତୀୟ ରାଜପଥରୁ କଟକ ପୁଲିସ କାର୍‌କେଡ୍‌ର ନେତୃତ୍ବ ନେଇଥିଲା।

ସମ୍ବନ୍ଧିତ ଖବର