ଓଡ଼ିଶାରେ ଭେଙ୍କିୟା ନାଇଡୁ : ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ ସମାରୋହରେ କବି, ସାମ୍ବାଦିକଙ୍କୁ ମନ୍ତ୍ର ଦେଲେ

‘ଗଣମାଧ୍ୟମ ପଥଚ୍ୟୁତ ହେଲାଣି’

କଟକ : ‘ଗଣମାଧ୍ୟମ ସାଧାରଣ ଲୋକଙ୍କ ସ୍ବର। ପରିବର୍ତ୍ତନର ବାହକ। ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରି ସମାଜରେ ଗଠନମୂଳକ ଭୂମିକା ତୁଲାଇବା ହେଉଛି ଗଣମାଧ୍ୟମର ପ୍ରମୁଖ କାମ। କିନ୍ତୁ ଆଜିର ଆଧୁନିକ ଯୁଗର ପ୍ରତିଯୋଗିତା ଦୌଡ଼ରେ ସୋସିଆଲ୍ ମିଡିଆ ଓ କେତେକ ଗଣମାଧ୍ୟମ ସଂସ୍ଥା ତଥ୍ୟ ଗୁଡ଼ିକର ସତ୍ୟତା ନ ପରଖି ଯେପରି ଖବର ପ୍ରସାରଣ କରୁଛନ୍ତି, ତାହା ପୂରା ଗଣମାଧ୍ୟମର ବିଶ୍ବସନୀୟତାକୁ କାଠଗଡ଼ାକୁ ଟାଣି ଆଣୁଛି। ସାଧାରଣ ଲୋକଙ୍କ ଗଣମାଧ୍ୟମ ଉପରୁ ବିଶ୍ବାସ ଓ ଭରସା ତୁଟି ଯାଉଛି। ଏଭଳି ସ୍ଥିତିରେ ଗଣମାଧ୍ୟମ ଅଧିକ ଦାୟିତ୍ବବାନ୍ ଓ ଉତ୍ତରଦାୟୀ ହେବାର ଆବଶ୍ୟକତା ରହିଛି। ତଥ୍ୟକୁ ବିଶ୍ଲେଷଣ କରି ସାଧାରଣ‌ ଲୋକଙ୍କ ନିକଟରେ ସତ ଖବର ପହଞ୍ଚାଇଲେ ସମାଜର ହିତ ସାଧିତ ହେଇପାରିବ।’ ଦୈନିକ ଖବରକାଗଜ ‘ସମାଜ’ର ଶତବ‌ାର୍ଷିକୀ ସମାରୋହରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ଭାରତର ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡୁ।

କଟକସ୍ଥିତ ଇଣ୍ଡୋର ଷ୍ଟାଡିୟମ୍‌ରେ ଆଜି ଅପରାହ୍ନରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି କହିଲେ ସ୍ବାଧୀନତା ସଂଗ୍ରାମୀ ଗୋପବଂଧୁ ଦାସଙ୍କ ଖବରକାଗଜ ‘ସମାଜ’ ଶହେ ବର୍ଷରେ ପଦାର୍ପଣ କରିବା ଗୌରବର ବିଷୟ। ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା ଖବରକାଗଜଗୁଡ଼ିକ ସବୁବେଳେ ସ୍ଥାନୀୟ ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ଦିଗରେ କାମ କରିବା ସହିତ ଜନସାଧାରଣଙ୍କ ଅଧିକ ନିକଟତର ହେବା ଉଚିତ୍। ତାହା ହେଲେ ରାଜ୍ୟର ବିକାଶ ଘଟିବା ସଂଗେ ସଂଗେ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସାଧାରଣ ଲୋକଙ୍କ ବିଶ୍ବାସଭାଜନ ହୋଇପାରିବ ବୋଲି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଆଶାପୋଷଣ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେଇ କହିଲେ, ଗଣମାଧ୍ୟମ ସର୍ବଦା ନାରଦ ଭୂମିକା ତୁଲାଇଥାଏ। ‘ସମାଜ’ ଏହି ନୀତିକୁ ଅନୁସରଣ କରି ଶହେ ବର୍ଷରେ ପହଞ୍ଚି ପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଅମ୍ଲଜାନ। ଗଣମାଧ୍ୟମ ଯେତେ ସ୍ବାଧୀନ ହେବ, ଗଣତନ୍ତ୍ର ସେତେ ମଜବୁତ ହେବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ବାଢ଼ିଥିଲେ। ଅନ୍ୟତମ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ‘ସମାଜ’ ଖବର କାଗଜ ଓଡ଼ିଆ ଜନଜୀବନର ଦର୍ପଣ ବୋଲି କହିଥିଲେ।

ଉତ୍ସବରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଡାକ ବିଭାଗ ସଚିବ ଅନନ୍ତ ନାରାୟଣ ନନ୍ଦ, ଲୋକସେବକ ମଣ୍ଡଳ ଟ୍ରଷ୍ଟି ଡକ୍ଟର ଏସ୍‌.ଏନ୍‌. ସୁବ୍‌ବା ରାଓ, କୋଷାଧ୍ୟକ୍ଷ ଭୀମସେନ ଯାଦବ, ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ, ସମ୍ପାଦକ ବାମାପଦ ତ୍ରିପାଠୀ ମଂଚାସୀନ ଥିଲେ। ଏହି ଅବସରରେ ଅତିଥି ମାନେ ସମାଜର ଶତ ବାର୍ଷିକୀ ଲୋଗୋ, ଡାକ ଟିକଟ୍‌ ସହିତ ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନ ଓ କାର୍ଯ୍ୟ ଉପରେ ସୁବାସ ଚନ୍ଦ୍ର ମିଶ୍ରଙ୍କ ଦ୍ବାରା ଲିଖିତ ‘ଉତ୍କଳମଣି ଗୋପବନ୍ଧୁ’ ପୁସ୍ତକ ଉନ୍ମୋଚନ କରିଥିଲେ। ଲୋକସେବକ ମଣ୍ଡଳ ସଭାପତି ଦୀପକ ମାଲବ୍ୟ ସ୍ବାଗତ ଭାଷଣ ଦେଇଥିବା ବେଳେ ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ବିବରଣୀ ପାଠ କରିଥିଲେ।

ସମ୍ବନ୍ଧିତ ଖବର