ଆସନ୍ତାକାଲିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ

ଭୁବନେଶ୍ବର: ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨ ତାରିଖ ପୂର୍ବାହ୍‌ଣ ୧୧ଟା ୨୦ ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ। ବିମାନ ବନ୍ଦରରୁ ସେ ୧୧ଟା ୩୦ସୁଦ୍ଧା ରାଜଭବନରେ ପହଁଚିବେ। ସେଠାରେ ମଧ୍ୟାହ୍ନଭୋଜନ କରିବା ପରେ ଅପରାହ୍ନ ୪ଟା ୪୫ସମୟରେ ରାଜପଥ ଜରିଆରେ କଟକ  ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ୫ଠଟା ୨୦ରେ ପହଁଚିବେ।ଏହା ପରେ ସନ୍ଧ୍ୟା ୫ଟା ୩୦ରୁ ୬ଟା ୩୦ପଯ୍ୟନ୍ତ ସାରଳା ଭବନ ଠାରେ ଅନୁଷ୍ଠିତ ୬୦୦ତମ ଆଦିକବି ସାରଳା ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗଦେବେ।

ଉପରାଷ୍ଟ୍ରପତି ସନ୍ଧ୍ୟା ୬ଟା ୩୦ ସମୟରେ ରାଜଭବନ ଫେରି ରାତ୍ରଯାପନ କରିବେ। ଏପ୍ରିଲ୍‌ ୩ତାରିଖ ଦିନ ୧୦ଟା ୧୦ ସମୟରେ ରାଜଭବନରୁ ବାହାରି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିମାନ ବନ୍ଦରରୁ ବାହାରିବା ପରେ ସ୍ୱତନ୍ତ୍ର କାରକେଡ଼ ବ୍ୟବସ୍ଥା କରାଯାଇଛି। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ କାରକେଡ଼ ରିହଲସଲ କରାଯାଇଛି।

ଆସନ୍ତା ୩ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟରେ ୫୦ତମ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ‌। ଏହାକୁ ନେଇ ଆଜିଠାରୁ ଚଳଚଞ୍ଚଳ ହୋଇ ଉଠିଛି ବାଣୀବିହାର ପରିସର। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ସମାରୋହରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫ ଜଣ ଓଡ଼ିଆ; ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଗିରୀଶ ଚନ୍ଦ୍ର ମୁର୍ମୁ, ରାଜ୍ୟ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଂଜୁ ପଣ୍ଡା, ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ପ୍ରଦାନ କରାଯିବ। ଏହା ସହ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଚୟନ ହୋଇଥିବା ୪୧ଜଣଙ୍କୁ ପିଏଚ୍‌ଡି ଡିଗ୍ରି ଏବଂ ୯୦ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର