ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଲାଗିଥିବା ବ୍ୟାନର୍‌ରେ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଫଟୋ ଲଗାଇଛି ଦଳ। ଅନୁଗୁଳ ବିଧ‌ାୟକ ଥିବା ଶ୍ରୀ ସିଂହ ଏକ ସାମ୍ବିଧାନିକ ପଦବିରେ ଥିବାରୁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିବା ଊଚିତ। ପୁଣି ଆଶ୍ଚର୍ଯ୍ୟର କଥା, ମୁଖ୍ୟମନ୍ତ୍ରୀଙ୍କ ପରେ ଦଳୀୟ ପର୍ଯ୍ୟବେକ୍ଷକ ଓ ଏହା ପରେ ଉପବାଚସ୍ପତିଙ୍କ ଫଟୋ ଲାଗିଛି।

Advertisment

ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆଜି ତାଳଚେରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଦଳର ବରିଷ୍ଠ ନେତ୍ରୀ ଓ ଜିଲ୍ଲାର ବିଜେଡି ବିଧାୟକମାନେ ଯୋଗ ଦେଇଥିଲେ। ଏହି ବୈଠକ ମଞ୍ଚରେ ଲାଗିଥିବା ବ୍ୟାନର୍‌କୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ବ୍ୟାନର୍‌ରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଫଟୋ ଲାଗିଥିଲାବେଳେ ତାଙ୍କ ପାଖରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ ଓ ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାଶଙ୍କ ଫଟୋ ରହିଛି। ଏହା ପରେ ଉପବାଚସ୍ପତି ତଥା ବର୍ତ୍ତମାନର ଭାରପ୍ରାପ୍ତ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଫଟୋ ଲାଗିଛି। ପାଖରେ ରହିଛି ଶଙ୍ଖ ଚିହ୍ନ। ଆଉ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବର୍ତ୍ତମାନ ବାଚସ୍ପତି ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ଫଟୋ କେମିତି ଦଳୀୟ ବ୍ୟାନର୍‌ରେ ଲାଗିଲା ଓ ପାଖରେ ଦଳୀୟ ଚିହ୍ନ ରହିଲା ତାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି। ଯଦି ତାଙ୍କ ଫଟୋ ଲାଗିଲା, ସଂଗଠନ ସଂପାଦକଙ୍କ ପ‌ରେ କାହିଁକି ରହିଲା ? ନା ଦଳ ଆଉ କ’ଣ ସରକାରୀ ପ୍ରୋଟୋକଲ ମାନିବ ନାହିଁ?

ଅନୁଗୁଳ ବିଧାୟକଙ୍କୁ ଉପବାଚସ୍ପତି କରାଯିବା ପରେ ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ। ତାଙ୍କ ଫଟୋ ବି ଦଳୀୟ ବ୍ୟାନର୍‌ରେ ଲାଗୁ ନଥିଲା। ତେବେ ନିର୍ବାଚନ ପାଖେଇ ଆସିବାରୁ ବିଜେଡି ସବୁ ନିୟମକୁ ଜଳାଞ୍ଜଳି ଦେଇଛି। ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ଏ ନେଇ କହିଛନ୍ତି, ଦଳୀୟ ବ୍ୟାନର୍‌ରେ ଉପବାଚସ୍ପତିଙ୍କ ଫଟୋ ଲଗାଇ ବିଜେଡି ଅସାମ୍ବିଧ‌ାନିକ କାମ କରିଛି। ଦଳର ସ୍ବାର୍ଥ ଆଗରେ ନୀତି, ନୈତିକତା ଓ ଆଦର୍ଶ କିଛି ନୁହେଁ ବୋଲି ଦଳ ବାର୍ତ୍ତା ଦେଇଛି। ଏହି ବେନିୟମ କାମର ଜବାବ ଲୋକମାନେ ଦେବେ ବୋଲି ଶ୍ରୀ ପାଣି ସତର୍କ କରାଇ ଦେଇଛନ୍ତି।