ସମ୍ବଲପୁର : ବହୁ ବାଦବିବାଦ ପରେ ଶେଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲ ଶୁକ୍ରବାର ଜ୍ୟୋତିବିହାର ଛାଡ଼ିଛନ୍ତି। ହେଲେ ଯିବାବେଳେ ବି ବିବାଦ ତାଙ୍କ ପିଛା ଛାଡ଼ି ନଥିଲା। ସେ ଯିବା ବାଟରେ ଲୋକେ ବିରୋଧ କରିଥିବା, ଏପରିକି ଅଣ୍ଡା ମାଡ଼ କରିଥିବା କୁହାଯାଉଛି। ଗତ ୨୬ ତାରିଖରୁ ଛୁଟିରେ ଥିବା କୁଳପତି ମିତ୍ତଲ କିନ୍ତୁ ଜ୍ୟୋତିହାର କ୍ୟାମ୍ପସ୍ ଅତିଥିଶାଳାରେ ରହୁଥିଲେ। ଶୁକ୍ରବାର ପୂର୍ବାହ୍ନରେ ସେ ଏମ୍ସିଏ ବିଭାଗର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଡିଜିଟାଲ୍ ଲାବ୍ ଉଦ୍ଘାଟନ କରିଥିଲେ। ଏହାପରେ ସେଠାରୁ ବାହାରି ଝାରସୁଗୁଡ଼ାରୁ ବିମାନ ଯୋଗେ ଦିଲ୍ଲୀ ଯାଇଥିଲେ।
ହେଲେ ସେ ଯିବା ପରେ କିଛି ଲୋକ ଏମ୍ସିଏ ବିଭାଗରେ ପହଞ୍ଚି ଛୁଟିରେ ଥିବା କୁଳପତିଙ୍କୁ କାହିଁକି ଅତିଥି କରି ଡକା ଯାଇଥିଲା ବୋଲି ପ୍ରତିବାଦରେ ସେଠାରେ ଲାଗିଥିବା ଫଳକ ଉପରେ ଅଣ୍ଡାମାଡ଼ କରିଥିଲେ। ଏପରିକି ବିଶ୍ବବିଦ୍ୟାଳୟରୁ ବାହରି ଯିବାବେଳେ ବି କୁଳପତିଙ୍କୁ ବିରୋଧ କରାଯାଇଥିଲା। ସେହିପରି ଗତ ଦୁଇଦିନ ଭଳି ଶୁକ୍ରବାର ମଧ୍ୟ ମିତ୍ତଲଙ୍କ ଗିରଫ ଦାବିରେ ସମ୍ବଲପୁର ଓ ବୁର୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର୍ ଲଗାଯାଇଛି। ପୂର୍ବରୁ କଳାଧଳା ପୋଷ୍ଟର ଲାଗି ଥିବାବେଳେ ଆଜି ରଂଗୀନ ପୋଷ୍ଟର ଛାଇ ଯାଇଥିଲା। ଏଥିରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ୨୯ ଲକ୍ଷ ଟଙ୍କା ଆତ୍ମସାତ କରିଥିବା କୁଳପତି ସଂଜୀବ ମିତ୍ତଲକୁ ଗିରଫ କର ବୋଲି ଲେଖାଯାଇଛି। ସମ୍ବଲପୁର କଚେରି ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର୍ ଦେଖିବାକୁ ମିଳିଥିଲା।