ବିଧାୟକଙ୍କ ପୁଅ ଧମକ ଦେବା ଘଟଣା: ଏସ୍‌ପିଙ୍କୁ ଭେଟି ସୁରକ୍ଷା ମାଗିଲେ ପୀଡ଼ିତା

ମୁଖ୍ୟ ଅଭିଯୁକ୍ତ ଗିରଫ, ଅନ୍ୟମାନଙ୍କ ସମ୍ପର୍କରେ ତଦନ୍ତ ଚାଲିଛି : ଏସ୍‌ପି

କେନ୍ଦୁଝର : ପ୍ରେମ ପ୍ରତାରଣାର ଶିକାର ହୋଇଥିବା କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଦନପୁର ଗ୍ରାମର ଜଣେ ଯୁବତୀ ଆଜି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ତାଙ୍କ ଜୀବନ ପ୍ରତି ବିପଦ ଅଛି, ତାଙ୍କୁ ସୁରକ୍ଷା ସହ ନ୍ୟାୟ ପ୍ରଦାନ କରାଯାଉ ବୋଲି ନିବେଦନ କରିଛନ୍ତି। ଅନ୍ୟମାନଙ୍କ ସହ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ତାଙ୍କୁ ଧମକ ଦେବା ସହ ଚାପ ସୃଷ୍ଟି କରୁଥିବା ପରିପ୍ରେକ୍ଷୀରେ ଯୁବତୀ ଏସ୍‌ପିଙ୍କୁ ଭେଟିଥିଲେ। ଏହା ସହ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ଏସ୍‌ପିଙ୍କୁ ଭେଟି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି ଜଣାଇଛନ୍ତି।

ଆଜି ଏସ୍‌ପିଙ୍କୁ ଭେଟିବା ପରେ ପୀଡ଼ିତା କହିଛନ୍ତି, କିଛିଦିନ ହେଲା ମାମଲା ରଫାଦଫା କରିବାକୁ ଶାସକ ବିଜେଡି ଦଳର ବରିଷ୍ଠ ନେତାମାନେ ତାଙ୍କ ଉପରେ ଚାପ ପକାଇ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମେ ଅଭିଯୁକ୍ତ ସୁଜିତ୍ ଜେନାର ଭାଇ ମାମଲା ପ୍ରତ୍ୟାହାର ପାଇଁ ଧମକାଇଥିଲା। ମାମଲା ପ୍ରତ୍ୟାହାର ନ କଲେ ହତ୍ୟା ଧମକ ଦେଇଥିଲା। ପରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ ଓରଫ ଟୁଲୁ ମଧ୍ୟ ମାମଲା ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ଚାପ ପକାଇଥିଲେ। ଏହାପରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ତାଙ୍କ ଘରକୁ ଯାଇ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଇଥିଲେ। ମାମଲା ପ୍ରତ୍ୟାହାର ନ କରିବାରୁ ତାଙ୍କ ଘର ଉପରେ ଆକ୍ରମଣ ‌ହୋଇଛି। ମୁଖାପିନ୍ଧା ଯୁବକମାନେ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ମାମଲାରେ ବିଜେଡି ନେତାଙ୍କ ସଂପୃକ୍ତି ରହୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଯୁବତୀ ଜଣଙ୍କ ଏସ୍‌ପିଙ୍କୁ ଅବଗତ କରିଛନ୍ତି। ଗତକାଲି ଏହି ଯୁବତୀ ଦେବାଶିଷଙ୍କ ବିରୋଧରେ ଧମକ ଏବଂ ଚାପ ସୃଷ୍ଟି କରୁଥିବା ନେଇ ଅଭି‌ଯୋଗ କରିଥିଲେ, ଯାହାର ଅଡିଓ ଭାଇରାଲ ହୋଇଥିଲା।

ଏହି ଘଟଣାକୁ ନେଇ ବିଜେପି ନେତା ପୃଥ୍ବୀରାଜ କୁଅଁର, ବିଜେପି ଯୁବମୋର୍ଚ୍ଚା ସଭାପତି ହେମରଂଜନ ବାରିକ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞପ୍ରସାଦ ସାହୁ ପ୍ରମୁଖ ଏସ୍‌ପିଙ୍କୁ ଭେଟି ନ୍ୟାୟ ଦାବି ସହ ସଂପୃକ୍ତ ବିଜେଡି ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଏ ନେଇ ଏସ୍‌ପି ଶ୍ରୀ ମହାପାତ୍ର କହିଛନ୍ତି, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁଜିତ ଜେନା ଗିରଫ ହୋଇସାରିଛି। ବର୍ତ୍ତମାନ ପୀଡ଼ିତା ଯେଉଁମାନଙ୍କ ସଂପର୍କରେ ଅଭିଯୋଗ କରିଛନ୍ତି ତାହାର ତଦନ୍ତ ଚାଲିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ‌ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର