କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ସଭାପତିଙ୍କ ନାଁରେ ଯୌନ ଶୋଷଣ ମାମଲା: ପୀଡ଼ିତାଙ୍କ ବୟାନ ରେକର୍ଡ
ଫରେନସିକ୍ ଲାବ୍କୁ ଏଯାଏ ଯାଇନି ଅଡିଓ ଟେପ୍
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କ ନାଁରେ ଆସିଥିବା ଯୌନ ଶୋଷଣ ମାମଲାରେ କେନ୍ଦ୍ରାପଡ଼ା ପୁଲିସର ଚରମ ବିଫଳତା ଏବେ ହାଟରେ ପଡ଼ି ଦାଣ୍ତରେ ଗଡ଼ୁଛି। ସବୁ ମହଲରୁ ସମାଲୋଚନାର ଶରବ୍ୟ ହେବା ପରେ ପୁଲିସ ଶେଷରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ସିଆରପିସି ଧାରା ୧୬୪ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଗତକାଲି ସଂଧ୍ୟାରେ ଅତିରିକ୍ତ ଏସ୍ପି ଅମିତା ପଟ୍ଟନାୟକ ପୀଡ଼ିତାଙ୍କୁ ଗରାପୁରସ୍ଥିତ ମାଜିଷ୍ଟ୍ରେଟ୍ଙ୍କ ବାସଭବନକୁ ନେଇ ସେଠାରେ ବୟାନ ରେକର୍ଡ କରିଥିଲେ। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ତାଙ୍କ ସହିତ ହୋଇଥିବା ନିର୍ଯାତନାର କାହାଣୀ ବଖାଣିଥିଲେ ପୀଡ଼ିତା।
ଅନ୍ୟପକ୍ଷରେ, ଏଯାଏ ପୀଡ଼ିତାଙ୍କ ସହିତ ଅଭିଯୁକ୍ତଙ୍କର ହୋଇଥିବା ବାର୍ତ୍ତାଳପର ଅଡିଓ ଟେପ୍ ଯାଞ୍ଚ ପାଇଁ ପୁଲିସ ଫରେନସିକ୍ ଲାବ୍କୁ ପଠାଇନାହିଁ। ଦୁଇ ଦିନ ତଳେ ଅଡିଓ ଟେପ୍ ଯାଞ୍ଚ ଚାଲିଛି ବୋଲି ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଥିଲେ। କିନ୍ତୁ ଆଜି ଟାଉନ ଥାନା ଆଇଆଇସି ଜ୍ୟୋତି ର˚ଜନ ସାମନ୍ତରାୟ କହିଛନ୍ତି ଯେ, ଅଡିଓ ଟେପ୍ ରାଜ୍ୟ ଫରେନସିକ୍ ଲାବ୍କୁ ପଠାଯାଇନାହିଁ। ଓରଜିନାଲ୍ ଡିଭାଇସ୍(ମୋବାଇଲ୍) ପଠାଯିବ। ଫେସବୁକ୍ ମେସେଞ୍ଜର୍ରେ ଚାଟ୍ ଓ ଭିଡିଓ କଲ୍ ହେଇଛି। ତେଣୁ ଫେସବୁକ୍ କର୍ତ୍ତୃପକ୍ଷଙ୍କୁ ଲେଖାଯାଇ ତାର ରେକର୍ଡ ମଗାଯିବା ପରେ ଯାଞ୍ଚ ପାଇଁ ପଠାଯିବ। କିନ୍ତୁ ପ୍ରଶ୍ନ ଉଠୁଛି, ଗଲା ତିନି ମାସ ହେବ ପୁଲିସ ଏ କାମ ନ କରି କି’ପ୍ରକାର ତଦନ୍ତ କରୁଥିଲା? ପୀଡ଼ିତାଙ୍କ କହିବା ଅନୁଯାୟୀ, ସେ ଅଭିଯୋଗ କରିବା ପରେ ପୁଲିସ କହିବା ମୁତାବକ ପ୍ରଥମେ ପେନ୍ଡ୍ରାଇଭ୍ରେ ବାର୍ତ୍ତାଳପର ରେକର୍ଡ ତଦନ୍ତ ଅଧିକାରୀଙ୍କୁ ଦେଇଥିଲେ। କିନ୍ତୁ ତଦନ୍ତ ଭାର ଅତିରିକ୍ତ ଏସ୍ପି ନେବା ପରେ ସିଡି କରି ଏହାକୁ ଦେବା ପାଇଁ କୁହାଯାଇଥିଲା। ତାହା ମଧୢ ଦେଲି। ଏଭଳି ସ୍ଥିତିରେ ଯଦି ଯା˚ଚ ପାଇଁ ଆଇଆଇସି କହିବା ମୁତାବକ ଏହି ସିଡି ଯଥେଷ୍ଟ ପ୍ରମାଣ ନୁହେଁ, ତେବେ ଓରିଜିନାଲ୍ ଡିଭାଇସ୍ ମୋବାଇଲ୍ ଜବତ୍ କରି ପଠାଇବା ପାଇଁ ପୁଲିସକୁ କିଏ ମନା କଲା ବୋଲି ପ୍ରଶ୍ନ ଉଠୁଛି? ଏଭଳି ବ୍ୟବସ୍ଥାରେ ତଦନ୍ତ ଚାଲିଲେ ପୀଡ଼ିତାଙ୍କୁ ନ୍ୟାୟ ମିଳିବାକୁ ଆଉ କେତେ ଦିନ ଲଗିବ? ଏହା ପ୍ରତ୍ୟକ୍ଷ ଭାବେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ଉଦ୍ୟମ କରୁଥିବା ନେଇ ପୀଡ଼ିତା ଯେଉଁ ଅଭିଯୋଗ କରି ଆସୁଥିଲେ, ତାର ପ୍ରମାଣ ଦେଉନାହିଁ କି’? ତେଣୁ ପୁଲିସ କେବେ ଉଭୟଙ୍କ ମୋବାଇଲ୍ ଯା˚ଚ ପାଇଁ ପଠାଇବା ସହ ଫେସବୁକ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବ, ତା’ ଉପରେ ସଭିଙ୍କ ନଜର ରହିଛି।
ଅନ୍ୟପକ୍ଷରେ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଏହି ପ୍ରସଙ୍ଗରେ ଆଜି ଏସ୍ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ପୁଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଛାଡ଼ି ତୁରନ୍ତ ଗିରଫ ନ କଲେ ଆଗାମୀ ଦିନରେ ଗଣଧାରଣା ଏବ˚ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେବାକୁ ବାଧୢ ହେବ ବୋଲି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି।