ମାଲକାନଗିରି/ଚିତ୍ରକୋଣ୍ଡା : ଆଜି ସାରାଦେଶରେ ପାଳନ ହେବ ଗଣତନ୍ତ୍ର ଦିବସ। ତେବେ, ଦିନକ ପୂର୍ବରୁ ହିଁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳବାସୀ ବିଜୟ ଉତ୍ସବ ପାଳନ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ଏସ୍‌ଡିପିଓ ଆଲେକ୍ସିଅସ କିସ୍‌ପାଟା, ସମ୍ମାନିତ ଅତିଥି ଭାବେ ଦାର୍ଲାବେଡ଼ା ବିଏସ୍‌ଏଫ୍‌ କ୍ୟାମ୍ପ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆଶିଷ କୁମାର, ପୁଲିସ ଇନସ୍‌ପେକ୍ଟର ଲକ୍ଷ୍ମୀନାରାୟଣ ମୁଦୁଲି, ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ, ଓଆଇସି ଯୋଡ଼ାମ୍ବ ଓ ପାପରମେଟେଲା ସମେତ ସ୍ବାଭିମାନ ଅଞ୍ଚଳର ବହୁ ଗ୍ରାମବାସୀ ଯୋଗ ଦେଇଥିଲେ।

Advertisment

୨୦୨୦ ମସିହା ଜାନୁଆରି ୨୫ ତାରିଖ ମଧ୍ୟରାତ୍ରୀରେ ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ଗ୍ରାମବାସୀ ପ୍ରଥମଥର ପାଇଁ ଲାଲବାହିନୀ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଯୋଡ଼ାମ୍ବ, ଜନ୍ତୁରାଇ ଏବଂ ସିନ୍ଧିବାଡ଼ି ଗ୍ରାମବାସୀ ମିଳିତ ଭାବେ ମାଓବାଦୀଙ୍କ ଉପରେ ଆକ୍ରମଣ କରିଥିଲେ। ଭୀଷଣ ଲଢ଼େଇ ହୋଇଥିବା ବେଳେ କୁଡୁମୁଲୁଗୁମ୍ମା ଏରିଆ କମିଟି ସଦସ୍ୟ ଆଡ଼ମା ନିହତ ହୋଇଥିଲା। ସେହିପରି, ଏସିଏମ୍ କ୍ୟାଡର ଜିପ୍ରୋକୁ ଗ୍ରାମବାସୀ କାବୁକରି ପୁଲିସକୁ ହସ୍ତାନ୍ତର କରିଥିଲେ। ନିଜ ଗଡ଼ରୁ ହିଁ ମାଓବାଦୀଙ୍କୁ ବିତାଡ଼ିତ କରିଥିଲେ ଜନ୍ତୁରାଇ, ସିନ୍ଧିଗୁଡା ଓ ଯୋଡ଼ାମ୍ବ ଗ୍ରାମବାସୀ।

ଏହାର ପ୍ରତିଶୋଧ ନେବାକୁ ସଂଗଠନର ସିସିଏମ୍ ଉଦୟ ଏବଂ ଏସ୍‌ଜେଡସିଏମ କୃଷ୍ଣ ଓରଫ ସାରଥୀ ନେତୃତ୍ୱରେ ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ବୋର୍ଡର ଜୋନାଲ କମିଟି ଅନ୍ତର୍ଗତ ମାଲକାନଗିରି-କୋରାପୁଟ ବୋର୍ଡର ଡିଭିଜନ ଉପରୋକ୍ତ ତିନୋଟି ଗାଁରେ ପଶି ଆକ୍ରମଣ କରିଥିଲେ। କିନ୍ତୁ, ଗ୍ରାମବାସୀ ମାଓବାଦୀଙ୍କ ବିରୋଧରେ ପୁଣି ଲଢ଼େଇ କରିଥିଲେ। ଏହି ଘଟଣା ସ୍ବାଭିମାନ ଅଞ୍ଚଳର ଅନ୍ୟ ଗାଁର ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଥିଲା। ତେଣୁ ମାଓବାଦୀଙ୍କ ବିରୋଧରେ ଖୋଲାଖୋଲି ସ୍ୱର ଉତ୍ତୋଳନ କରିଥିଲେ। ଅନ୍ୟପକ୍ଷରେ, ନୂତନ ଶିବିର ପ୍ରତିଷ୍ଠା କରି ଏହି ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବକୁ ଦୂର କରିବା ପାଇଁ ଓଡ଼ିଶା ପୁଲିସ୍ ଏବଂ ବିଏସ୍‌ଏଫ୍‌ର ନିରନ୍ତର ପ୍ରୟାସର ଫଳାଫଳ ଏହା ଥିଲା।

ଠିକ୍‌ ୩ବର୍ଷ ତଳେ ଆଜିର ଦିନରେ ଅସତ୍ୟକୁ ହରାଇ ସତ୍ୟର ବିଜୟ ହୋଇଥିବାରୁ ଉପରୋକ୍ତ ଗ୍ରାମବାସୀ ଜାତୀୟ ପତାକା ଉତ୍ତୋଳନ କରି ବିଜୟ ଦିବସ ପାଳନ କରିଛନ୍ତି। ଏହି ବିଜୟ ଦିବସ ପ୍ରତିବର୍ଷ ପାଳନ ହେବ ବୋଲି ଗ୍ରାମବାସୀ କହିଛନ୍ତି।