ସେଦିନ ‘ଚିଲିକା ତୀରେ’ ସିନେ ଜଗତକୁ ପ୍ରବେଶ କରିଥିଲେ ବିଜୟ। କିନ୍ତୁ ‘ନାଗଫାଶ’ ତାଙ୍କୁ ଖଳନାୟକ ସଜାଇଦେଲା। ରୁପେଲି ପରଦାରେ ସେ ‘ସୁନା ସଂସାର’ ଗଢ଼ିଲେ। ‘ସହରୀ ବାଘ’ ସାଜି ଡରେଇଲେ। ‘ବାବୁ ପର୍ଶୁରାମ’ ସାଜି ସାବାଡ଼ କଲେ। ମାତ୍ର ଶେଷରେ ‘ଜୀବନ ସଂଗ୍ରାମ’ରେ ‘ଅଗ୍ନି ପରୀକ୍ଷା’ ଦେଉ ଦେଉ ‘ମିଛ ମାୟା ସଂସାର’ରୁ ବିଦାୟ ନେଇଗଲେ। ତାଙ୍କ ପାଇଁ ଆଜି ଲୁହ ଝରାଉଛନ୍ତି କୋଟି କୋଟି ଓଡ଼ିଆ। ଓଲିଉଡ୍‌ର ଏଇ ବେତାଜ ବାଦଶାହଙ୍କୁ ‘ସମ୍ବାଦ’ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
ପ୍ରସ୍ତୁତି: ସତ୍ୟନାରାୟଣ ରାଉତରାୟ / ଅଳଙ୍କରଣ: କମଳ ପଣ୍ଡା

Advertisment

ସଫଳ ନାଟ୍ୟକାର ଭାବେ ବି ମନେ ରହିବେ ବିଜୟ
ସେ କେବଳ ରୁପେଲି ପରଦା ଭିତରେ ସୀମିତ ରହିଯାଇ ନ ଥିଲେ। ବରଂ ଅନେକ ଚର୍ଚ୍ଚିତ ନାଟକର ସେ ଥିଲେ ନାଟ୍ୟକାର। ଧର୍ମାବତାର, ଶେଷରେ ଧରମା କହିଲା, ଆମରି ଭଗବାନ ଓ ଅଜାତି ଭଳି ୭ଟି ନାଟକ ସେ ରଚନା କରିଥିଲେ। ‘ଅଜାତି’ ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ପାଇଥିଲେ। ତେବେ ସେ ଏହି ପୁରସ୍କାର ପାଇବା ବର୍ଷ ‌ତାଙ୍କୁ ମିଶାଇ ୩ଜଣଙ୍କୁ ନାଟକ ପାଇଁ ମନୋନୀତ କରାଯାଇଥିଲା। ତେଣୁ ‌ମୋଟ୍‌ ପୁରସ୍କାର ରାଶି ଥିବା ୩୦ ହଜାର ଟଙ୍କାକୁ ୩ ଭାଗ କରାଯାଇ ପୁରସ୍କୃତ କରାଯାଇଥିଲା। ‘ମନନ’ ପକ୍ଷରୁ ବିଜୟଙ୍କ ରଚିତ ‘ଆମରି ଭଗବାନ’ ନାଟକ ୩୦ ବର୍ଷ ହେଲା ପରିବେଷିତ ହୋଇଆସୁଛି ବୋଲି ମନନର ନିର୍ଦେଶକ ମନୋଜ ପଟ୍ଟନାୟକ କହିଛନ୍ତି। ଏହା ବ୍ୟତୀତ ସେ ୧୫ଟି ନାଟକର ଅନୁବାଦ ମଧ୍ୟ କରି ମଞ୍ଚସ୍ଥ କରାଇଥିଲେ। ତାଙ୍କ ରଚିତ ନାଟକଗୁଡ଼ିକୁ ଅନ୍ୟମାନେ ବି ନିର୍ଦେଶନା ଦେଇଥିଲେ।

ହିନ୍ଦୀ ଶିଖାଇଥିଲେ ଓମ୍‌ପୁରୀ, ମଞ୍ଚରେ ଦେଖି ଅଭିଭୂତ ହୋଇଥିଲେ ନାସିରୁଦ୍ଦିନ ଶାହ
ବିଜୟ ମହାନ୍ତି ଏନ୍‌ଏସ୍‌ଡିରେ ପଢ଼ିବା ପାଇଁ ମନୋନୀତ ସିନା ହୋଇଗଲେ କିନ୍ତୁ ହିନ୍ଦୀ ଜାଣିନଥିଲେ। ତେବେ ଏନ୍‌ଏସ୍‌ଡିରେ ତାଙ୍କର ସହପାଠୀ ଥିବା ଦିବଂଗତ ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ଓମ୍‌ପୁରୀ ତାଙ୍କୁ ହିନ୍ଦୀ ଶିଖାଇଥିଲେ। ଅନ୍ୟତମ ବିଶିଷ୍ଟ ଅଭିନେତା ନାସିରୁଦ୍ଦିନ ଶାହଙ୍କର ସୋମବାର ଜନ୍ମଦିନ ଥିବା ବେଳେ ତାଙ୍କ ବନ୍ଧୁ ବିଜୟ ମହାନ୍ତିଙ୍କ ଦେହାବସାନ ଖବର ପହଞ୍ଚିଥିଲା। ୪ ବର୍ଷ ତଳେ ସେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଏକ ନାଟକ କରିବା ପାଇଁ ଆସିଥିବାବେଳେ ବିଜୟ ମହାନ୍ତିଙ୍କ ବାବଦରେ ମତ ରଖି କହିଥିଲେ, ବିଜୟ ବହୁ ଗମ୍ଭୀରତାର ସହ କାମ କରୁଥିଲେ। ବିଜୟ ଓ ଓମ୍‌ପୁରୀଙ୍କର ୩ ବର୍ଷରେ ଯେତିକି ଉନ୍ନତି ହୋଇଥିଲା ସେଥିରୁ ଅନେକ କିଛି ଶିଖିବାର ଥିଲା। ସେ ଏକଥା ବି କହିଥିଲେ, ବିଜୟ ଯେବେ ପ୍ରଥମ ବର୍ଷ ଏନ୍‌ଏସ୍‌ଡିରେ ପଢ଼ୁଥିଲେ ଭାରି ଲାଜକୁଳା ଥିଲେ। ମାତ୍ର ୩ ବର୍ଷ ପୂରିବା ବେଳକୁ ଦକ୍ଷ ପାଲଟି ଯାଇଥିଲେ। ତାଙ୍କୁ ମଞ୍ଚରେ ଦେଖିବା ବେଳେ ସେ ଅଭିଭୂତ ‌ହୋଇଯାଇଥିଲେ।

publive-image

୨ଟି ଫିଲ୍ମକୁ ମିଳିଥିଲା ରାଷ୍ଟ୍ରୀୟ ପୁରସ୍କାର
ଏନ୍‌ଏସ୍‌ଡିର ପାଠସାରି ଓଡ଼ିଶା ଫେରିବା ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ମୁଖ୍ୟ ଅଧ୍ୟାପକ ଭାବେ ଚାକିରି କରୁଥିଲେ ବିଜୟ। ଏତିକିବେଳେ ନିର୍ଦେଶକ ବିପ୍ଳବ ରାୟ ଚୌଧୁରୀ ଗୀତିକାର ଶିବବ୍ରତ ଦାସଙ୍କ ସହ ଯୋଗାଯୋଗ କରି ବିଜୟଙ୍କୁ ‘ଚିଲିକା ତୀରେ’ ଫିଲ୍ମରେ ଅଫର୍‌ ଦେଲେ। ତେବେ ବିଜୟଙ୍କୁ ମିଳିଲା କେଉଟ ଭୂମିକା। ଏ ଭୂମିକା ତୁଲାଇବା ସହଜ ନଥିଲା। ମାତ୍ର ଏନ୍‌ଏସ୍‌ଡିର ପାଠ ସହଯୋଗ କରିଥିଲା। ଫିଲ୍ମଟି ରାଷ୍ଟ୍ରୀୟ ପୁରସ୍କାର ଲାଭ କଲା। ସେହିପରି ‘ହାକିମ ବାବୁ’ରେ ତାଙ୍କୁ ଏକ ମଫସଲି ଆଦିବାସୀ ସଂସ୍କୃତି ଭିତରେ ବଢ଼ିଥିବା ଲୋକର ଚରିତ୍ର ମିଳିଲା। ଏହାକୁ ‌ବି ସାବ୍ୟସ୍ତ କଲେ। ଅମିୟ ପଟ୍ଟନାୟକଙ୍କ ପ୍ରଯୋଜିତ ‘ହାକିମ ବାବୁ’ ବି ରାଷ୍ଟ୍ରୀୟ ପୁରସ୍କାର ଲାଭ କଲା। ଏହି ଦୁଇ ଚଳଚ୍ଚିତ୍ର ତାଙ୍କ ଜୀବନର ଅଭୁଲା ସ୍ମୃତି ବୋଲି ବିଜୟ କହିଥିଲେ।

ସେ ମୋ’ ‘ସୁନା ପଞ୍ଜୁରୀ’ ଅଜା, ମୁଁ ତାଙ୍କ ନାତୁଣୀ
ସୁନା ପଞ୍ଜୁରୀ ଚଳଚ୍ଚିତ୍ରରେ ‘ଶୋଇ ଯା ମାମା..ଗୀତରେ ବିଜୟ ମହାନ୍ତି ସେଦିନ ଅଝଟିଆ ନାତୁଣୀ ଶ୍ବେତା ମିଶ୍ରଙ୍କୁ ‌ଗୀତ ଗାଇ ଶୁଆଇ ଦେଇଥିଲେ। ଦୀର୍ଘ ବର୍ଷ ବିତି ଯାଇଛି। କିନ୍ତୁ ବିଜୟ-ଶ୍ବେତାଙ୍କ ମଧ୍ୟରେ ସେଇ ଅଜା ନାତୁଣୀର ସମ୍ପର୍କ ସବୁଦିନ ପାଇଁ ରହିଯାଇଥିଲା। ଶ୍ବେତା କହିଛନ୍ତି ରିଲ୍‌ ଲାଇଫ୍‌ରେ ସେ ମୋ ସହ ଯେମିତି ଜଡ଼ିତ, ବାସ୍ତବ ଜୀବନରେ ମଧ୍ୟ ସେମିତି ଆମ ଭିତରେ ଅଜା ନାତୁଣୀ ସମ୍ପର୍କ‌ ହୋଇଯାଇଥିଲା। ଦିନେ ଫିଲ୍ମରେ ସେ ‌ମତେ ଅଝଟ ନହେବାକୁ ଗୀତ ଗାଇ ଶୁଆଇ ଦେଉଥିଲେ, ଆଜି କିନ୍ତୁ ନିଜେ ଶୋଇଗଲେ। ‌ଯେତେ ସମୟ ଅଭିନୟ କରୁଥିଲି ମୁଁ ତାଙ୍କ କୋଳରେ ରହୁଥିଲି। ଅଜା ନାତୁଣୀ ଭଳି ବନ୍ଧନରେ ବାନ୍ଧି ହୋଇଯାଇଥିଲି। ତା’ ପରେ ଜୀବନସାଥୀ, ଲକ୍ଷ୍ମୀ ପ୍ରତିମା ଏବଂ ପରେ ବସୁଧା ସିନେମାରେ ସେ ମୋ ବାପା ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ଆଜି ବି ସେ ମୋ ପାଇଁ ସେଇ ‘ସୁନା ପଞ୍ଜୁରୀ’ର ଅଜା ଓ ମୁଁ ତାଙ୍କ ନାତୁଣୀ।publive-image

ଯେବେ ୧୯୭୫ ମସିହାରେ ବିଜୟ ମହାନ୍ତି ଏନ୍‌ଏସ୍‌ଡିରୁ ଫେରି ନାଟକ ବିଭାଗର ମୁଖ୍ୟ ଅଧ୍ୟାପକ ଭାବେ ଯୋଗଦେଲେ ସେତେବେଳେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରଥମ ବ୍ୟାଚ୍‌ର ଛାତ୍ର ଥିଲେ ଧୀରେନ୍ଦ୍ର ନାଥ ମଲ୍ଲିକ, ରତିରଂଜନ ମିଶ୍ର, ସୂର୍ଯ୍ୟ ମହାନ୍ତି ଓ ପ୍ରସନ୍ନ ମିଶ୍ରଙ୍କ ଭଳି ନାଟ୍ୟ ବ୍ୟକ୍ତିତ୍ବ। ସେତେବେଳ ନାଟକ ପାଠ ପଢ଼ିବା ପାଇଁ ବୟସର ଧରାବନ୍ଧା ନଥିଲା। କ୍ଲାସ୍‌ରୁମ୍‌ରେ ପ୍ରବେଶ କରିବା ପରେ ସେ ଶିକ୍ଷକ ଅପେକ୍ଷା ବନ୍ଧୁ ଭଳି ଆଚରଣ କରୁଥିଲେ। ତାଙ୍କଠୁ କିଛି ଶିଖିବା ପାଇଁ ସେ ଆମକୁ ସହଜ କରି‌ଦେଉଥିଲେ। କଥା ଛଳରେ ଅନେକ କିଛି ଶିଖେଇ ଦେଉଥିଲେ ବୋଲି ତାଙ୍କ ଛାତ୍ର ତଥା ନିର୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ କହିଛନ୍ତି। ‘ଏବଂ ଇନ୍ଦ୍ରଜିତ୍‌’ ଓ ‘ଅଙ୍ଗାର’ ନାଟକରେ ଶ୍ରୀ ମଲ୍ଲିକ ବିଜୟ ମହାନ୍ତିଙ୍କ ନିର୍ଦେଶନାରେ କାମ କରିଥିବା ବେଳେ ସେଇଠାରୁ ହିଁ ସେ ନିର୍ଦେଶନା ଶୈଳୀ ଶିଖିଥିବା କହିଛନ୍ତି।

ଅଭିନୟରେ ବି ସାର୍‌ ଭୂମିକାରେ
‘ପଥର ଖସୁଛି ବଡ଼ ଦେଉଳୁ’ରେ ବିଜୟ ମହାନ୍ତି ଜଣେ ଅଧ୍ୟାପକ ଭୂମିକାରେ ଅଭିନୟ କରୁଥିବା ବେଳେ ସେଇ କଲେଜର ଖଳ ଛାତ୍ର ଭାବେ ଅଭିନୟ କରୁଥିଲେ ରାଇମୋହନ ପରିଡ଼ା। ବିଜୟ ମହାନ୍ତି ରାଇମୋହନ ପରିଡ଼ାଙ୍କ ଗୁରୁ ହୋଇଥିବା ବେଳେ ଏହି ଦୃଶ୍ୟଟି ସଂଯୋଗବଶତଃ ସେହିପରି ଥିଲା। ମାତ୍ର ସେଇ ଦୃଶ୍ୟରେ ରାଇମୋହନ ଛୁରି ମାରି କପି କରୁଥିଲେ। ଏ ଦୃଶ୍ୟ ସରିବା ପରେ ବିଜୟ ରାଇମୋହନଙ୍କୁ ଖୁବ୍‌ ସାବାସୀ ଦେଇଥିଲେ। ‘ଏହା ମୋ ଭାଗ୍ୟରେ ଜୁଟିଥିବାରୁ ବହୁତ ଗର୍ବିତ। ସେ ଅନେକଙ୍କୁ କୁହନ୍ତି, ମୁଁ ଅନେକ ପିଲା ଉତାରିଥି‌ବା ବେଳେ ରାଇ ତା’ ମଧ୍ୟରୁ ଗୋଟେ। ଜଣେ କଳାକାର ଭାବେ ଏହାଠୁ ଆଉ ବଡ଼ ସ୍ମୃତି ମୋ ପାଇଁ ଆଉ କିଛି ହୋଇନପାରେ’ ବୋଲି ରାଇମୋହନ କହିଛନ୍ତି।