ଭୁବନେଶ୍ବର: ଏବେ ସବୁ ବ୍ଲକ ସ୍ତରରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ ଶେଷ ସୁଦ୍ଧା ସବୁ ଗ୍ରାମପଞ୍ଚାୟତରେ ଭିଡିଓ କନଫରେନ୍ସିଂ ସୁବିଧା ଉପଲବ୍ଧ ହେବ। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯିଏ ଯେତେବେଳେ ଚାହିଁବେ ସେତେବେଳେ ବିଭିନ୍ନ ଯୋଜନାର ଗ୍ରାମପଞ୍ଚାୟତସ୍ତରରେ କାର୍ଯ୍ୟ ସମୀକ୍ଷା କରିପାରିବେ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟର ସମସ୍ତ ପଞ୍ଚାୟତରେ ମୋ ସେବା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଇଛି। ଡିସେମ୍ବର ସୁଦ୍ଧା ୫ହଜାର ମୋ ସେବା କେନ୍ଦ୍ରକୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବ। ସେହିପରି ପ୍ରତି ବ୍ଲକରେ ଦୁଇରୁ ତିନିଟି ମୋ ସେବା କେନ୍ଦ୍ର କରିବାକୁ ଯୋଜନା ହେଉଛି। ଏହିପରି ରାଜ୍ୟରେ ମୋ ସେବା କେନ୍ଦ୍ର ସଂଖ୍ୟା ୮ହଜାରକୁ ବଢ଼ାଯିବ। ଏହାଦ୍ବାରା ଲୋକମାନେ ଗୋଟିଏ ସ୍ଥାନରେ ସରକାରଙ୍କ ବିଭିନ୍ନ ସେବାର ସୁଯୋଗ ପାଇବେ। ବ୍ଲକ ସ୍ତରରେ ସ୍ମାର୍ଟ ମୋ ସେବା କେନ୍ଦ୍ର ସ୍ଥାପନ କରାଯିବ।
ବିଭାଗର ସଚିବ ଶ୍ରୀ ମିଶ୍ର କହିଛନ୍ତି ଯେ, ଏବେ ୫୫୦୦ ଗାଁରେ ମୋବାଇଲ ଟାୱାର ନାହିଁ। ଏହି ସ୍ଥାନରେ ଟାୱାର ବସାଇବାକୁ ଟେଲିକମ୍ ମନ୍ତ୍ରଣାଳୟକୁ ବାରମ୍ବାର ଚିଠି ଲେଖାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ସୁନ୍ଦରଗଡ଼ ଏବଂ ଜୟପୁରରେ ଆଞ୍ଚଳିକ ଡାଟା ସେଣ୍ଟର ସ୍ଥାପନ ହେବ। ପୁରୀରେ କେବୁଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ ପ୍ରତିଷ୍ଠା ହେବ। ଏଥିପାଇଁ ରେଲଟେଲ୍ ଡିପିଆର୍ ପ୍ରସ୍ତୁତ କରୁଛି। ସେହିପରି ସେମିକଣ୍ଡକ୍ଟର ଡିଜାଇନ୍ କରୁଥିବା ଷ୍ଟାର୍ଟଅପ୍ ଏମଂ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଓ-ଚିପ୍ କାର୍ଯ୍ୟକ୍ରମ ଜରିଆରେ ଭିତ୍ତିଭୂମି ଓ ପୁଞ୍ଜିନିବେଶ ପାଇଁ ସହାୟତା ଯୋଗାଇ ଦିଆଯିବ। ଖୁବ୍ ଶୀଘ୍ର ଫାବ୍ ଏବଂ ଫାବ୍ ନୀତି ପ୍ରଣୟନ କରାଯିବ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକୁ ୱାଇଫାଇ ସଂଯୋଗ ଯୋଗାଇ ଦିଆଯିବ। ଏହାଦ୍ବାରା ୭ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ସେହିପରି ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ମହାବିଦ୍ୟାଳୟ ସ୍ତରରେ ସଂପୂର୍ଣ୍ଣ ନାମଲେଖା ପ୍ରକ୍ରିୟା ଅନଲାଇନ୍ ମୋଡରେ ହେଉଛି। ରାଜ୍ୟ ସରକାରଙ୍କୁ ବିଭିନ୍ନ ଯୋଜନାକୁ ସଫଳ କରିବାରେ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/65gd465g4jgjdjgdjgd.jpg)