ଭିଡିଓ କନଫରେନ୍ସିଂରେ ମାମଲା ଶୁଣାଣିବେଳେ ଅପ୍ରୀତିକର ପରିସ୍ଥିତି : ହାଇକୋର୍ଟ କ୍ଷୁବ୍ଧ, ସର୍ବନିମ୍ନ ସୌଜନ୍ୟ ରକ୍ଷା ପାଇଁ ନିର୍ଦ୍ଦେଶ

କଟକ : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଅଦାଲତରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲା ଶୁଣାଣି ଚାଲିଥିବାବେଳେ ଏଥିରେ ଅଂଶଗ୍ରହଣ ସମୟରେ ଆଇନଜୀବୀମାନେ ସର୍ବନିମ୍ନ ସୌଜନ୍ୟ ରକ୍ଷା କରିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଶୁଣାଣି ସମୟରେ ଆଇନଜୀବୀମାନେ ମର୍ଯ୍ୟାଦା ରକ୍ଷା କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। କୋର୍ଟ ‌େପ୍ରାସିଡିଂରେ ଶୋଭନୀୟତା ଓ ମର୍ଯ୍ୟାଦା ଉଲ୍ଲଂଘନ ନ କରିବାକୁ ବାର୍ ସଦସ୍ୟଙ୍କୁ ଆବଶ୍ୟକ ପରାମର୍ଶ ତଥା ନିର୍ଦ୍ଦେଶ ଦେବା ପାଇଁ ଆଇନଜୀବୀ ପରିଷଦ ଅନ୍ତରୀଣ କମିଟି ଓ ବାର୍ ଆସୋସିଏସନକୁ ହାଇକୋର୍ଟ କହିଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ଏ ସଂପର୍କିତ ରାୟର ନକଲ ଆଇନଜୀବୀ ପରିଷଦ ଓ ବାର୍ ଆସୋସିଏସନକୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଖଣ୍ଡପୀଠଙ୍କ ନିକଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ମାମଲାର ଶୁଣାଣି ସମୟରେ ଜଣେ ଆଇନଜୀବୀ ରାସ୍ତାରେ ଯାଉଥିବା ଚଳନ୍ତା କାର୍ ଭିତରୁ ମାମଲାରେ ଯୁକ୍ତି ଉପସ୍ଥାପନ କରିବାକୁ ଉଦ୍ୟମ କରିଥିଲେ। ‌ଏକ ମାମଲା ପରିଚାଳନା ପାଇଁ ପୁରୀ ଯାଉଥିବାବେଳେ କଟକସ୍ଥିତ ଘରେ ରହି ଯୁକ୍ତି ଉପସ୍ଥାପନ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଆଇନଜୀବୀ ଦର୍ଶାଇଥିଲେ। ରାସ୍ତାରେ ଥିବା ଚଳନ୍ତା କାର ଭିତରୁ ମାମଲା ପରିଚାଳନା କରିବା ଘଟଣାକୁ ନେଇ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଅନେକ ସମୟରେ ସୃଷ୍ଟି ହେଉଥିବା ଏପରି ଅଶୋଭନୀୟ ପରିସ୍ଥିତିକୁ ନିନ୍ଦା କରିିଥିଲେ।

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ, ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି ସମୟରେ ନିକଟ ଅତୀତରେ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ଅନୁଭୂତ ହୋଇଛି। ପ୍ରଥମ ଘଟଣାରେ ଜଣେ ଆଇନଜୀବୀ ନିଜ ମାମଲା ଶୁଣାଣି ସାରିବା ପରେ ପତ୍ନୀଙ୍କୁ ଭିଡିଓ କନଫ‌େରନ୍ସିଂ ସାଇଟ ପରିସରକୁ ‌ଆଣିଥିଲେ ଓ ବାରମ୍ବାର ଅନୁରୋଧ ସତ୍ତ୍ବେ କିଛି ପରିବର୍ତ୍ତନ ଆଣିନଥିଲେ। ଶେଷରେ କୋର୍ଟ ନିଜ ଆଡ଼ୁ ସଂପୃକ୍ତ ସଂଯୋଗକୁ କାଟି ଦେଇଥିଲେ। ଦ୍ବିତୀୟ ଘଟଣାରେ ଆଇନଜୀବୀ ବଗିଚାରେ ରହି ନିଜ ମାମଲାରେ ଯୁକ୍ତି ଉପସ୍ଥାପନ କରୁଥିବା ଘଟଣା ନଜରକୁ ଆସିଥିଲା। ଏଥିସହିତ ଭିଡ଼ିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଶୁଣାଣି ଚାଲିଥିବା ବେଳେ ଆଇନଜୀବୀ ଖାଉଥିବା ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିକୁ ନେଇ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ କୋଭିଡ-୧୯ ପରିସ୍ଥିତିରେ କୋର୍ଟ ପରିସର ବାହାରେ ରହି ଯୁକ୍ତି ଉପସ୍ଥାପନ କରିବାକୁ ଅନୁମତି ଦେବା ଅର୍ଥ ନୁହେଁ ଯେ ଜଣଙ୍କୁ ଗାଡି ଭିତରୁ, ଲନ୍‌ରୁ, ଡ୍ରଇଂ ରୁମରୁ କୋର୍ଟ ପ୍ରସିଡିଂରେ ପତ୍ନୀଙ୍କୁ ଯୋଗ ଦେବାକୁ ସୁଯୋଗ ଦେଇ ଯୁକ୍ତି ଉପସ୍ଥାପନ କରିବାକୁ ଅନୁମତି ଦେବା। ଆଇନଜୀବୀମାନେ ଘରୁ କିମ୍ବା ସେମାନଙ୍କ ଅସ୍ଥାୟୀ ଆବାସରୁ ଭିଡିଓ କନଫରେନ୍ସିଂ ଶୁଣାଣିରେ ଅଂଶଗ୍ରହଣ କରିବା ସହିତ ଏହି ସମୟରେ ସର୍ବନିମ୍ନ ଶିଷ୍ଟତା ବଜାୟ ରଖିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅତୀତରେ ଭିଡିଓକନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସହିତ ରାଜସ୍ଥାନ ହାଇକୋର୍ଟ, କଲ୍‌କାତା ହାଇକୋର୍ଟରେ ମଧ୍ୟ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଘଟଣା ନଜରକୁ ଆସିଥିଲା। ମାମଲା ପରିଚାଳନା କରୁଥିବା ଆଇନଜୀବୀ ଉପଯୁକ୍ତ ପରିଧାନରେ ନଥିବା ଅଭିଯୋଗ ହୋଇଥିଲା। ଅନ୍ୟ ଏକ ମାମଲାରେ କୋର୍ଟ ଶୁଣାଣି ସମୟର ସ୍କ୍ରିନ୍ ସଟ୍ ନିଆଯାଇ ପ୍ରକାଶ କରାଯାଇଥିଲା।

ସମ୍ବନ୍ଧିତ ଖବର