ବ୍ରହ୍ମପୁର: ରାଜ୍ୟ ଓ ରାଜ୍ୟ ବାହାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ରାଗିଂର ସମ୍ମୁଖୀନ ହେଉଛନ୍ତି। ଏହାକୁ ଗୁରୁତ୍ବଦେଇ ରାଜ୍ୟସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିଲେ ସୁଧା ଆଜି ବ୍ରହ୍ମପୁର ସହରରେ ଯେଉଁଭଳି ଭାବେ ରାଗିଂକୁ ନେଇ ଘଟଣା ଘଟିଛି ତାହା ସବୁ ସୀମା ଟପିଯାଇଥିବା ଭଳି ମନେ ହେୁଛି।
ମିଳିଥିବା ସୂଚନାନୁଯାୟୀ ବଡ଼ବଜାର ଥାନା ଅନ୍ତର୍ଗତ ହରଡ଼ାଖଣ୍ଡି ଛକସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ସାଙ୍ଘାତିକ ରାଗିଂ ହୋଇଛି। କଲେଜର କିଛି ବିଦ୍ୟାର୍ଥୀ ମିଶି ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ରାଗିଂ କରିଛନ୍ତି, ଯାହାର ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ୍କୁ ଘୁରି ବୁଲୁଛି। ଭାଇରାଲ ଭିଡିଓ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ରାଗିଂ କରିଥିବା ଛାତ୍ରକୁ ଗିରଫ କରିଛି। ଗିରଫ ଛାତ୍ର ଜଣକ ହେଲେ ହରଡ଼ାଖଣ୍ଡିସ୍ଥିତ ଶାନ୍ତି ନଗରର ଅଭିଷେକ ନାହାକ (୨୪)।
ସୂଚନାନୁଯାୟୀ, ବଡବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜର କିଛି ବିଦ୍ୟାର୍ଥୀ ମିଶି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଓ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ରାଗିଂ କରିଛନ୍ତି। ଗିରଫ ଛାତ୍ର ଅଭିଷେକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରକୁ ବଳପୂର୍ବକ ‘ଆଇ ଲଭ୍ ୟୁ’ କହିବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଚୁମ୍ବନ କରିବାକୁ ବାଧ୍ୟ କରିଥିଲେ। ଏପରିକି ଛାତ୍ରୀଙ୍କୁ ଅସଦାଚରଣ କରିବା ସହଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ସେହିପରି ଛାତ୍ର ଜଣକ କଥା ନମାନିଲେ ଗିରଫ ଛାତ୍ର ଅଭିଷେକ ତାଙ୍କୁ ଏକ ପାଇପ ରଡରେ ମାଡ଼ ମାରୁଥିବା ଭାଇରଲ ହୋଇଥିବା ଭିଡ଼ିଓରୁ ସ୍ପଷ୍ଟ ଜଣାପଡିଛି। କେବଳ ସେତିକି ନୁହେଁ ଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଯୋଗୁଁ ଗିରଫ ଛାତ୍ର ଅଭିଷେକ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ଏଭଳି ବିବାହ ସିନେମାର ମଜା ନିଅ ବୋଲି କହୁଥିଲେ।
ପ୍ରଥମ ବର୍ଷର ଛାତ୍ରୀ ଜଣକ ସିନିୟରଙ୍କ ଏଭଳି କାର୍ଯ୍ୟକୁ ସହି ନ ପାରି ଘଟଣାସ୍ଥଳରୁ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଭିଷେକ ତାଙ୍କୁ ବିଭିନ୍ନ ଧମକ ଚମକ ଦେଇ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ଓ ବ୍ୟାଗ୍ ମଧ୍ୟ ଛଡାଇ ଦେଇଥିଲେ । ତେବେ ଏହି ଘଟଣା ଘଟୁଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଏହାର ମଜା ଉଠାଇ ସିନିୟର ଛାତ୍ର ଅଭିଷେକଙ୍କୁ ପ୍ରୋତ୍ସାହିତ କରୁଥିବା ଭାଇରଲ ହୋଇଥିବା ଭିଡ଼ିଓରୁ ଜଣାପଡିଛି ସବୁ ଠାରୁ ବଡ଼ ଆର୍ଚାଯ୍ୟ କଥା ହେଉଛି କି ଏହି ଘଟଣା ଆରମ୍ଭରୁ ଶେଷ ପଯ୍ୟନ୍ତ ପୁରା ଭିଡ଼ିଓ ରେକଡ଼ିଂ ହୋଇଛି , ତାହା ବି ଗିରଫ ଛାତ୍ର ଅଭିଷେକଙ୍କ ନିର୍ଦ୍ଦେଶରେ । କେବଳ ଜଣେ ନୁହେଁ ବହୁ ଜଣ ସେଠାରେ ଏହି ଘଟଣାର ମଜା ନେବା ସହ ରେକଡ଼ିଂ କରି ଏହାକୁ ସୋସିଆଲ ମେଡିଆରେ ଭାଇରଲ ମଧ୍ୟ କରିଛନ୍ତି।