ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ୍ : ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ଟଣାଓଟରା କଲେ ବାବୁସାନଙ୍କ ପତ୍ନୀ

ଭୁବନେଶ୍ବର: ଏବେ ପୁଣି ଚର୍ଚ୍ଚାରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ଓ ନାୟିକା ପ୍ରକୃତି ମିଶ୍ର। ତେବେ ଏହି ଯୋଡ଼ି କୌଣସି ଫିଲ୍ମକୁ ନେଇ ଚର୍ଚ୍ଚାରେ ନାହାନ୍ତି, ବରଂ ଉଭୟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଆଲୋଡ଼ନ ଖେଳିଯାଇଛି। ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଲୋକ‌େ ଏହାର ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।

ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଫର୍ଚ୍ୟୁନର ଗାଡ଼ିରେ ଏକାଠି  ସକାଳୁ ସକାଳୁ  ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ଯାଉଥିବ‌ା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ସେମାନଙ୍କୁ ଅଟକାଇଛନ୍ତି। ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହି ଘଟଣାରେ ବାବୁସାନ୍ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଛି। ଏହାପରେ ତୃପ୍ତି  ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି। ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ବାବୁସାନଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିଥିବାର ଦେଖିବାକୁ ମିଳିଛି।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ। ଘଟଣାଟି ଭୁବନେଶ୍ଵରର ସତ୍ୟନଗର ଅଞ୍ଚଳରେ ଥିବା ପାଢ଼ୀ ଟ୍ୟୁଟୋରିଆଲ୍ ସାମ୍ନା ରାସ୍ତାର ବୋଲି ସୂଚନା ମିଳିଛି। ଏ ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି ଯେ ପ୍ରକୃତି ତାଙ୍କ ଘରଭାଙ୍ଗି ଦେଇଛନ୍ତି। ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ଧରିଛନ୍ତି ପତ୍ନୀ। ତେବେ ଏ ନେଇ ଥାନାରେ କେହି ଅଭିଯୋଗ କରିନାହାନ୍ତି।

ସୂଚନାଯୋଗ୍ୟ, ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ପ୍ରେମମ୍’ରେ ବାବୁସାନଙ୍କ ସହ ପ୍ରକୃତିଙ୍କୁ ଦେଖିବାକୁ ମିଳିଛି। ଏହି ସିନେମାରେ ଲୋକପ୍ରିୟ ନାୟକ ବାବୁସାନଙ୍କ ସହ ଅଭିନୟ କରିଛନ୍ତି ପ୍ରକୃତି ମିଶ୍ର।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଉଷସୀ, ଚୌଧୁରୀ ବିକାଶ ଦାସ ଓ ସାତ୍ୟକୀ ମିଶ୍ର ପ୍ରମୁଖ ବି ନଜର ଆସିଛନ୍ତି। ଶିଶିର କୁମାର ଷଡ଼ଙ୍ଗୀ ‘ପ୍ରେମମ୍’ର ପ୍ରଯୋଜନା କରିଛନ୍ତି। ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ତାପସ ସରଘରିଆ ଏହାର ନିର୍ଦ୍ଦେଶକ ।

ସମ୍ବନ୍ଧିତ ଖବର