ଚର୍ଚ୍ଚାରେ ସାଂସଦ ଅନୁଭବଙ୍କ ଭିଡିଓ: ‘ନ୍ୟାୟ ଅପେକ୍ଷାଠୁ ଭଲ ମୃତ୍ୟୁକୁ ଆପଣାଇନେବା’

ଯଦିବା ମୁଁ ସେମିତି କିଛି ଭୁଲ (ଆତ୍ମହତ୍ୟା) କରିବାକୁ ଚାହେନି, ମାନସିକ ଯନ୍ତ୍ରଣା ମଧ୍ୟରେ ଏଭଳି ଏକ ନିଷ୍ପତ୍ତି ନେବାକୁ ଚେଷ୍ଟା କରିସାରିଛି

ଭୁବନେଶ୍ବର : ମୁଁ ଜାଣିସାରିଲିଣି ନ୍ୟାୟ ଅପେକ୍ଷାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା…। ଏହା କୌଣସି ଚଳଚ୍ଚିତ୍ର ଡାଏଲଗ୍‌ ନୁହେଁ। ପତ୍ନୀ ବର୍ଷାଙ୍କ ସହ ଛାଡ଼ପତ୍ର ନେଇ ଲମ୍ବା ନ୍ୟାୟିକ ଲଢ଼େଇ ଲଢ଼ୁଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ‌କ୍ଷୋଭ। ନିଜେ ଭିଡିଓ କରି ତାହାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ସାଂସଦ ଆତ୍ମହତ୍ୟାର ଧମକ ଦେବାସହ ଏ କଥା ବି କହିଛନ୍ତି ଯେ ଯଦିବା ମୁଁ ସେମିତି କିଛି ଭୁଲ କରିବାକୁ ଚାହେଁନି, ଏତେ ମାନସିକ ଯନ୍ତ୍ରଣା ମଧ୍ୟରେ ଏଭଳି ଏକ ନିଷ୍ପତ୍ତି ନେବାକୁ ଚେଷ୍ଟା କରିସାରିଛି। ଯେଉଁମାନେ (ସେ ପୁରୁଷ ହୁଅନ୍ତୁ ବା ମହିଳା) ନ୍ୟାୟରେ ଥାଇ ଅନ୍ୟାୟର ଦଣ୍ଡ ଭୋଗୁଛନ୍ତି ମୁଁ ଅନୁଭବ ମହାନ୍ତି ଶେଷ ନିଶ୍ବାସ ଯାଏ ତାଙ୍କ ସହ ଠିଆ ହେବି।

ଗତ କିଛି ମାସ ହେଲା ଓଲିଉଡ୍‌ର ଚର୍ଚ୍ଚିତ ଦମ୍ପତି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ବେଶ୍‌ ଚର୍ଚ୍ଚାରେ ରହିଥିବାବେଳେ ଆଜି ଅନୁଭବଙ୍କ ଏହି ଭିଡିଓ ଆଲୋଚନାର ବିଷୟ ହୋଇଛି। ଭିଡିଓରେ ସେ ବର୍ଷାଙ୍କ ନାମ ନେଇ ନ ଥିଲେ ମଧ୍ୟ ତାଙ୍କୁ ଇଙ୍ଗିତ କରି ସବୁ କହୁଥିବାର ସ୍ପଷ୍ଟ ଜଣାପଡ଼ୁଛି। ସେ କହିଛନ୍ତି, ‘ଜୀବନରେ ବହୁ ପରିଶ୍ରମ କଲି, ଝାଳ, ରକ୍ତ ବୁହାଇଲି। ବାପାମା’ଙ୍କ ସବୁ ସ୍ବପ୍ନ ପୂରଣ କରିବାକୁ ଚେଷ୍ଟା କଲି। ‌ଅନେକ ସ୍ବପ୍ନ ପୂରଣ ବି କଲି। କିନ୍ତୁ ଜୀବନର ସବୁଠୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ଭୁଲ କରିଦେଲି। ମୁଁ ଜୀବନସାଥୀ ବାଛିବାରେ ଭୁଲ କରିଦେଲି। ଭଲ ପାଇ ଭୁଲ କରିଦେଲି। ଭଲ ପାଇ ମଣିଷ ଖୁସି ହୁଏ। ମୁଁ କିନ୍ତୁ କେବେ ଦେଖିନଥିବା ଥାନା, କୋର୍ଟ, କଚେରି ଓ ପୁଲିସ ପାଖକୁ ଦୌଡ଼ୁଛି।’

ଭିଡିଓରେ ଅନୁଭବ ଲଗାତାର ମାନସିକ ଯନ୍ତ୍ରଣା ଦେଇ ଗତି କରୁଥିବା ପ୍ରକାଶ କରିଥିବା ‌ବେଳେ କୌଣସି ଏକ ବଡ଼ ଶକ୍ତି ତାଙ୍କୁ ତଳିତଳାନ୍ତ କରିଦେବାକୁ ପ୍ରୟାସ କରୁଥିବା କହିଛନ୍ତି। ଏଥିସହ ପରୋକ୍ଷରେ ନିଜ ରାଜନୈତିକ ଜୀବନକୁ ନେଇ ଅସୁରକ୍ଷିତ ମନେ କରିଛନ୍ତି। ‘ଏହି ଭିଡିଓ ପରେ ମୋତେ ରାଜନୀତିରୁ ବାହାର କରିଦିଆଯାଉ କି ଗ୍ରହଣ କରାଯାଉ, ସେ ସବୁ ପାଇଁ ମୁଁ ପ୍ରସ୍ତୁତ। କିନ୍ତୁ ମୁଁ ନିଷ୍ପତ୍ତି ନେଇଛି ମୁଁ ଲଢ଼ିବି, ଲଢ଼େଇ ଜାରି ରଖିବି ଓ ନ୍ୟାୟ ପାଇବି’ ବୋଲି ସେ କହିଛନ୍ତି।

ଅନୁଭବ କହିଛନ୍ତି, ଭିଡିଓ କରିବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା। କିନ୍ତୁ କଷ୍ଟ ଯେତେବେଳେ ସୀମା ଲଂଘେ ସେତେବେଳେ ମଣିଷ ଆଉ କ’ଣ କରିପାରିବ। ମୋ ଦୁଃଖ ମୁଁ ରାଜ୍ୟବାସୀଙ୍କୁ ଜଣାଇବାକୁ ଚାହିଁଲି। ବହୁକଷ୍ଟ କରି ମୋ ବାପାମା’ ଆମ ଦୁଇ ଭାଇଙ୍କୁ ମଣିଷ କରିଛନ୍ତି। ୧୭ ବର୍ଷ ବୟସରେ ଯେତେବେଳେ ମୋର ମଧୁମେହ ରୋଗ ନିରୂପଣ ହୋଇଥିଲା; ପ୍ରତିମାସରେ ମୋର ଇନ୍‌ସୁଲିନ୍‌ ପାଇଁ ୨୮୫ ଟଙ୍କା ଦରକାର ପଡ଼ୁଥିଲା। ସେତେବେଳେ ଆର୍ଥିକ ଦୁରାବସ୍ଥା ସତ୍ତ୍ବେ ମୋ ବାପାମା’ ମୋର ସମସ୍ତ ଚିକିତ୍ସା କରୁଥିଲେ। ଇନ୍‌ସୁଲିନ୍‌ ପାଇଁ ମୋ’ ମା’ ତାଙ୍କ ସୁନା ବନ୍ଧା ପକାଉଥିଲେ। ଅନେକ ସମୟରେ ସେ ସେହି ସୁନା ଉଠାଇ ବି ପାରୁନଥିଲେ। ତଥାପି କେବେ ସେ ଦୁଃଖ କରିନାହାନ୍ତି। କିନ୍ତୁ ଆଜି ମୋର ସେହି ଭୁଲ ନିଷ୍ପତ୍ତି ପାଇଁ ମୋ ପୂରା ପରିବାର କାନ୍ଦୁଛନ୍ତି, ମାନସିକ ଯନ୍ତ୍ରଣା ଭୋଗୁଛନ୍ତି।

ସେ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହିଛନ୍ତି, ୨୦୦୪ରେ ମୋର ପ୍ରଥମ ଚଳଚ୍ଚିତ୍ର ପରେ ମୁଁ ଓଡ଼ିଶାବାସୀଙ୍କ ପ୍ରଚୁର ଭଲ ପାଇବା ପାଇଛି। ୨୦୦୮ ମସିହାରେ ମୁଁ ଜଣଙ୍କୁ ନିଜଠୁ ବି ଅଧିକା, ଦୁନିଆର ସମସ୍ତଙ୍କଠୁ ବି ଅଧିକା ଭଲ ପାଇବସିଲି। ତାଙ୍କୁ ଭଲ ପାଇବା ପରଠାରୁ ମୁଁ ଆଉ କାହା କଥା କେବେ ଭାବିନାହିଁ। କିନ୍ତୁ ଉଭୟ ପରିବାର ଆମ ବାହାଘର ପାଇଁ ରାଜି ନଥିଲେ। ତାଙ୍କ ପରିବାର ବାହାଘର ପାଇଁ ରାଜି ନଥିବାର କାରଣ ସେତେବେଳେ ମୋତେ ଅଲଗା କୁହାଯାଇଥିଲା। ସେ ସମୟରେ ମୁଁ ସତ ଜାଣିନଥିଲି। ସମସ୍ତଙ୍କୁ ରାଜି କରାଇ ଆମେ ୨୦୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ। କିନ୍ତୁ ବିବାହ ପରେ ମୁଁ ସତ ଜାଣିବାକୁ ପାଇଲି। ଯଦି ଓଡ଼ିଶାବାସୀ ଚାହିଁବେ ତେବେ ଅନ୍ୟ ଏକ ଭିଡିଓରେ ସେ ସତ ମୁଁ ପ୍ରକାଶ କରିବି। ଏ‌ କୋର୍ଟ, କଚେରି, ଥାନା, ପୁଲିସ କେବେ ଦେଖିନଥିଲି। କିନ୍ତୁ ଏସବୁକୁ ଏବେ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି; ସେ ପୁଣି ଜଣକୁ ଭଲ ପାଇ, ଏକଥା ମୁଁ କେବେ କଳ୍ପନା ବି କରିନଥିଲି। ଜଣେ କେବଳ ମହିଳା ବୋଲି, ସେ ଯାହା ଦେଖାଇବେ କିମ୍ବା କ‌ହିବେ ତାହା କ’ଣ ସତ? ମୁଁ ଏତେ ବର୍ଷରେ କ’ଣ ଭୋଗିଛି ମୋ ଚାରିପାଖର ଲୋକ ଦେଖିଛନ୍ତି। ସମସ୍ତେ ଜାଣିଛନ୍ତି ସତ କ’ଣ, ମିଛ କ’ଣ। କିନ୍ତୁ ଯଦି ଗୋଟେ ବଡ଼ ଶକ୍ତି ମୋତେ ବଦ୍‌ନାମ ତଥା ତଳିତଳାନ୍ତ କରିବାକୁ ନିଷ୍ପତ୍ତି ନେଇସାରିଛି, ସେଠି କିଏ ବା କ’ଣ କରିପାରିବ? ଦର୍ଶକ ଓ ଓଡ଼ିଶାବାସୀ ସତ ଜାଣିବାକୁ ଚାହିଁଲେ, ମୁଁ ଅନ୍ୟ ଏକ ଭିଡିଓ କରି ଉକ୍ତ ମହିଳାଙ୍କ ସମ୍ପର୍କରେ ସମସ୍ତ ସତ କହିବି।

ଭିଡିଓ ଭାଇରାଲ ହେବାପରେ ତାଙ୍କର କିଛି ପ୍ରଶଂସକ ତାଙ୍କୁ ବର୍ଷାଙ୍କ ସହ ବୁଝାମଣା କରିନେବାକୁ ଅନୁରୋଧ କରିଥିଲେ। ଏହାର ଉତ୍ତରରେ ଅନୁଭବ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କୁ ଏହି ଜନ୍ମରେ ନୁହେଁ କି ଅନ୍ୟ କୌଣସି ଜନ୍ମରେ ଆଉ ଆପଣାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର