ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଦୁର୍ଗମ ମହାଲିକପଡ଼ା ପଞ୍ଚାୟତର ଯାବର ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଜଣେ ପ୍ରଧାନଶିକ୍ଷକ ତାଙ୍କ ବନ୍ଧୁଙ୍କ ସହିତ ମଦ୍ୟପାନ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଲୋକଲୋଚନକୁ ଆସିବାପରେ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ଭାଇବୋହୂ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଛନ୍ତି। ଏହି ଘଟଣା ସରକାର ଓ ପ୍ରଶାସନ ବିରୋଧରେ ସମାଲୋଚନା କରିବାକୁ ବିରୋଧୀଙ୍କୁ ଖୋରାକ ଯୋଗାଇଛି।
ସୂଚନା ଅନୁସାରେ, ଯାବର ପ୍ରାଥମିକ ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୨୬ ଜଣ ପିଲା ପଢ଼ୁଛନ୍ତି। ଏମାନଙ୍କୁ ପଢ଼ାଇବାକୁ ଦୁଇଜଣ ନିୟମିତ ଗଣଶିକ୍ଷକ ଅଛନ୍ତି। ପ୍ରଧାନଶିକ୍ଷକ ସୁନିଲ ଦାସ ପାଠପଢ଼ା ସମୟରେ ଏକ ଶ୍ରେଣୀଗୃହରେ ବସି ଜଣେ ବନ୍ଧୁଙ୍କ ସହିତ ମଦ ପିଉଥିବା ଓ ମାଂସ ଖାଉଥିବା ଭିଡିଓ ସ୍ଥାନୀୟ ଵାର୍ଡମେମ୍ବରଙ୍କ ସ୍ବାମୀ ବବଲୁ ମାଝୀ ମୋବାଇଲରେ ରେକର୍ଡିଂ କରିଥିଲେ। ଭିଡିଓ କରିବା ସମୟରେ ପ୍ରଧାନଶିକ୍ଷକଙ୍କୁ ବିଭିନ୍ନ ପ୍ରଶ୍ନକରି ତାଙ୍କ କାରନାମାକୁ ପଦାରେ ପକାଇଥିଲେ। ପାଠପଢ଼ା ସମୟରେ ଓ ପିଲାଙ୍କ ମଧ୍ୟାହ୍ନଭୋଜନ ଖାଇବା ସମୟରେ କିପରି ଜଣେ କର୍ତ୍ତବ୍ୟରତ ପ୍ରଧାନ ଶିକ୍ଷକ ସ୍କୁଲ ଭିତରେ ମଦ, ମାଂସର ଆସର ଜମାଇଥିଲେ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପଟେ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ଦେଡ଼ଶୁର ହୋଇଥିବାରୁ ଏହାଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ଲୋକେ ଅନାଇ ବସିଛନ୍ତି। ଏ ସମ୍ପର୍କରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଅଜୟ କୁମାର ଲୁହାଙ୍କୁ ପଚାରିବାରୁ ସେ କହିଛନ୍ତି, ‘ମୁଁ ଭିଡିଓଟି ପାଇଛି। ଏହାଉପରେ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ।’