ଭୁବନେଶ୍ୱର : ସୋସିଆଲ୍ ମିଡିଆରେ ମହିଳା ଓ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ପୁଲିସର ନିଷ୍କ୍ରିୟତା ନେଇ ଚର୍ଚ୍ଚା ଆଲୋଚନାର ଅନ୍ତଃ ଘଟିନି। ଠିକ୍ ଏମିତି ଏକ ସମୟରେ ଆଜି ଦୁଇ ଦୁଇଟି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁଇ ଦୁଇଜଣ ନିଷ୍ପାପ ଶିଶୁଙ୍କୁ ଦୁଷ୍କର୍ମ କରିଛନ୍ତି ପାପିଷ୍ଠ। ଗୋଟିଏ ଘଟଣା ଅନୁଗୁଳର ଜର଼ଡା ଅଞ୍ଚଳରେ ଘଟିଛି ଓ ଜଣେ ୯ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏ ନେଇ ଥାନାରେ ଏତଲା ଦିଆଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଅଭିଭାବକ ଆଜି ପ୍ରଧାନଶିକ୍ଷକଙ୍କୁ ତାଲା ପକାଇବା ସହିତ ଧାରଣା ଦେଇଥିଲେ। ଗତକାଲି ଦିନ ପ୍ରାୟ ୧୧ଟା ବେଳେ ଛାତ୍ରୀ ଜଣକ ଶୌଚ ପାଇଁ ସ୍କୁଲ ନିକଟ ଏକ ନାଳକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଫଳରେ ଛାତ୍ରୀ ଘଟଣାସ୍ଥଳରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ଅନ୍ୟପଟରେ ସେହି ଜରପଡ଼ା ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଏହି ନାବାଳିକା ପରିସ୍ରା କରିବାକୁ ଘର ବାହାରକୁ ଯାଇଥିବା ଦେଖି ୪ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ନାବାଳିକା ସେମାନଙ୍କ କବଳରୁ ବର୍ତ୍ତିବା ପାଇଁ ଜଣେ ଯୁବକଙ୍କ ହାତକୁ କାମୁଡ଼ି ଦେଇଥିଲେ ବି ଦୁର୍ବୃତ୍ତମାନେ ଛାଡ଼ି ନଥିଲେ।
କେବଳ ସେତିକି ନୁହେଁ, ବାରିପଦା ଓ କେନ୍ଦୁଝର ପରେ ପରେ ଏବେ ରାଜଧାନୀର ଜଣେ ଯୁବତୀଙ୍କ ନଗ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୧ ମିନିଟ ୪୨ ସେକେଣ୍ଡର ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲ୍ ଡେଇଁବା ଆରମ୍ଭ କରିଛି। ଯୁବତୀଙ୍କ ସହିତ ଜଣେ ଯୁବକ ବିତାଇଥିବା କେତେକ ଅନ୍ତରଙ୍ଗ ମୁହୂର୍ତକୁ ମୋବାଇଲ୍ ଫୋନ୍ରେ ସୁଟିଂ କରି ସୋସିଆଲ ମିଡିଆରେ ଛାଡି ଥିବା ଜଣାପଡ଼ୁଛି।
ଯୁବତୀ ଜଣକ ରାଜଧାନୀର ଏକ ପ୍ରମୁଖ ସରକାରୀ ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ରୀ ବୋଲି ତାଙ୍କ ଫେସବୁକ୍ ପୋଷ୍ଟର ପ୍ରୋଫାଇଲ୍ରେ ଉଲ୍ଲେଖ କରିଛନ୍ତି। ଭିଡିଓରେ ଯୁବତୀ ଜଣକ ଏକ ଘର ଭିତରେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ସମୟ ଅତି ବାହିତ କରୁଛନ୍ତି। ଏହି ସମୟରେ ଯାହା ଯାହା ଘଟୁଛି ଯୁବତୀଙ୍କ ପୁରୁଷ ବନ୍ଧୁ ଜଣକ ନିଜ ମୋବାଇଲ୍ ଫୋନ୍ରେ ସୁଟିଂ କରି ନେଉଛନ୍ତି।
ଏପଟେ ଆଜି ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ଓ ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ପଦକ୍ଷେପ ନିଆଯିବ। ମନ୍ତ୍ରୀଙ୍କ ଏଭଳି ବିବୃତି ବୁଦ୍ଧିଜୀବୀ ମହଲକୁ ବିସ୍ମିତ କରିଛି। ମହିଳା, ଯୁବତୀ, ଛାତ୍ରୀ ସମସ୍ତେ ବିିପଦ ଘେରକୁ ଚାଲିଆସିଥିବା ବେଳେ ମନ୍ତ୍ରୀଙ୍କ ଏଭଳି ହାଲକା ମନ୍ତବ୍ୟକୁ କେହି ଗ୍ରହଣ କରିପାରୁ ନାହାନ୍ତି। ନିର୍ଦିଷ୍ଟ କଣ ପଦକ୍ଷେପ ନିଆଯିବ, ମନ୍ତ୍ରୀ କଣ ଆଲୋଚନା କରିବାକୁ ଚାହୁଁଛନ୍ତି, ଗତ ୫ ଦିନ ଧରି ଏହି ପ୍ରସଙ୍ଗକୁ ନେଇ ସମଗ୍ର ରାଜ୍ୟ ଉଠୁଛି ପଡୁଛି। ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବା ପାଇଁ ମନ୍ତ୍ରୀ କଣ ସମୟ ପାଉନାହାନ୍ତି? ଏମିତି ଅନେକ ପ୍ରଶ୍ନ ଏବେ ଏହି ମହଲକୁ ଆନ୍ଦୋଳିତ କରୁଛି। ସମସ୍ତଙ୍କର ଗୋଟିଏ ପ୍ରଶ୍ନ ମା’ ଓ ମହିଳାଙ୍କୁ ସମ୍ମାନ କଣ ଏମିତି?
ଉଲ୍ଲେଖଯୋଗ୍ୟ, ସୋସିଆଲ୍ ମିଡ଼ିଆରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ଘଟଣାରେ ପୁଲିସ ପ୍ରଥମ ଦିନ ଯେଭଳି ତନାଘନା କରିଥିଲା, ଦ୍ୱିତୀୟ ଦିନରେ ତାହା ଦେଖାଗଲା ନାହିଁ। ଗଣମାଧ୍ୟମ ସାମ୍ନାରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ଚୁପ୍। କ୍ରାଇମବ୍ରାଞ୍ଚ, ସାଇବର ସେଲ୍ ଆଦିକୁ ଡାକି ଏସବୁ ଉପରେ ନିଷେଧାଜ୍ଞା ଜାରି ଲାଗି ପଦକ୍ଷେପ ପାଇଁ ଆନ୍ତରିକତା ଦେଖାଇନାହାନ୍ତି। ଅନ୍ୟପଟରେ ବଡ଼ ବଡିଆ ପୁଲିସ ଅଫିସର ଓ ଥାନା ବାବୁ ବି ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଇନାହିଁ।
ଉଲ୍ଲେଖଯୋଗ୍ୟ, ଯୋଗାଯୋଗ ବ୍ୟବସ୍ଥାର ଏକ ଉନ୍ନତ ମାଧ୍ୟମ ଭାବେ ସାମ୍ନାକୁ ଆସିଥିବା ସୋସିଆଲ ମିଡିଆ ଏବେ ଭୁଲ କାରଣ ପାଇଁ ଚର୍ଚ୍ଚାକୁ ଆସିଛି। କେତେକ ଅସମାଜିକ ବ୍ୟକ୍ତି ଏହାକୁ ବ୍ଲାକ୍ମେଲିିଂର ଏକ ମାଧ୍ୟମ କରି ଆତଙ୍କ ଖେଳାଇ ଦେଲାଣି। ଏମିତି ଯେ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି ଓ ମୋବାଇଲ୍ରୁ ମୋବାଇଲ୍କୁ ଡେଉଁଛି ମହିଳା, ଯୁବତୀ ଓ ଛାତ୍ରୀଙ୍କ ଉଜ୍ଜତ। ଉଦ୍ଧତ ଗୋଷ୍ଠୀକୁ ସାବାଡ କରିବା ଲାଗି ରାଜ୍ୟ ସରକାର ନା କୌଣସି ଠୋସ୍ ପଦକ୍ଷେପ ନେଉଛନ୍ତି ନା ସାମାଜିକ ଅଧୋପତନରୁ ମୁକୁଳାଇବା ଲାଗି କୌଣସି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବାରିପଦା ଘଟଣାରେ ପୁଲିସ ଅପରାଧୀଙ୍କୁ ଧରିଥିବା ବେଳେ ସୋସିଆଲ୍ ମିଡିଆରେ ଏହାର ଗତିକୁ ରୋକିବାରେ ସକ୍ଷମ ହୋଇନାହିଁ। ସାଇବର ସେଲ୍ର ଏ ବିଫଳତା ସଙ୍କେତ ଦେଉଛି ଯେ ଖୋଦ୍ ଡିଜିଙ୍କ ନିର୍ଦେଶକୁ ପୁଲିସ ବିଭାଗ କେତେ ମାନୁଛି। ସେହିଭଳି କେନ୍ଦୁଝର ଘଟଣାରେ ପୁଲିସ ମାମଲା ରୁଜୁ କରିବା ବ୍ୟତୀତ ବିଶେଷ କିଛି ଆଗେଇପାରିନି।
କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା ହେଉଛି, ରାଜ୍ୟରେ ଆଇନକାନୁନର ଅଭାବ ନାହିଁ। ମାତ୍ର ଏହାର କାର୍ଯ୍ୟାନ୍ଵୟନରେ ଶିଥିଳତା ଯୋଗୁଁ ବିଭିନ୍ନ ସମୟରେ ପୁଲିସ ବଦନାମ ହେଉଛି, ସରକାର ବି। ଅନ୍ୟାନ୍ୟ କାମରେ ପୁଲିସକୁ ମାତ୍ରାଧିକ ବ୍ୟବହାର କରାଯାଉଥିବା ଯୋଗୁଁ ନିଜ କାମରେ ଯଥେଷ୍ଟ କରିବାକୁ ବାଧ୍ୟ ହେଉଛି ପୁଲିସ। କେବଳ ସେତିକି ନୁହେଁ, ସମାଜର ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ବଢିବାରେ ଲାଗିଛି ଓ ଏହାକୁ ବ୍ୟବହାର କରି ଯେତିକି ଅପରାଧ ଘଟୁଛି, ତାକୁ ଧରିବାକୁ ହେଲେ ପୁଲିସକୁ ମଧ୍ୟ ସେଭଳି ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। ମାତ୍ର ଏ ଦିଗରେ ସରକାର ବିଶେଷ କୌଣସି ପଦକ୍ଷେପ ନେଇନାହାନ୍ତି। କୌଣସି ନା କୌଣସି କାରଣରୁ ପୁଲିସ ପ୍ରଭାବୀ ହୋଇପାରୁନି ଓ ଅପରାଧୀଙ୍କ ବିରୋଧରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନଥିବାରୁ ଏଭଳି ହୀନ ଅପରାଧର ସଂଖ୍ୟା ବଢୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/kartoon-duskarma.jpg)