ବିଧାନସଭା ଅତିଥି ଭବନ ନେଇ ଗୃହରେ ଉଦ୍‌ବେଗ

ତୁରନ୍ତ ପଦକ୍ଷେପ ନେବାକୁ ନରସିଂହଙ୍କ ଦାବି

ଭୁବନେଶ୍ୱର : ପୁରୀ ତାଳବଣିଆରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ବିଧାନସଭା ଅତିଥି ଭବନ। ଏ ନେଇ ବହୁ ବିଧାୟକ ଅଜ୍ଞ ଥିଲା ବେଳେ ଆଜି ଏ ସଂକ୍ରାନ୍ତରେ ଏକ ବିସ୍ତତ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ଏହାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ଶ୍ରୀ ମିଶ୍ର କହିଥିଲେ, ବିଧାନସଭାର ଏମିତି ଏକ ଅତିଥି ଭବନ ପୁରୀରେ ରହିଛି ବୋଲି ଧାରଣା ନ ଥିଲା। ଅତିଥି ଭବନ ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣ ପାଇଁ ଜଣେ ଜଗୁଆଳିଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ପରେ ଆଉ କାହାରିକୁ ନିଯୁକ୍ତି ଦିଆଗଲା ନାହିଁ। ଅତିଥି ଭବନର ସମ୍ପତ୍ତି ଲୁଟ୍‌ ହୋଇଗଲା। କିଏ ଏହାର ଉତ୍ତର ଦେବ ? କର୍ମଚାରୀ ଅଭାବରୁ ଅତିଥି ଭବନର ଅବସ୍ଥା ଏମିତି ହେଲା। ବିଧାନସଭାରେ ମଧ୍ୟ କର୍ମଚାରୀ ସଙ୍କଟ ରହିଛି। କର୍ମଚାରୀ ଅଭାବରୁ ଏହି ବିଧାନସଭା କୋଠା ପ୍ରଭାବିତ ନ ହେଉ। ଏ ଦିଗରେ ବାଚସ୍ପତି ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର କହିଥିଲେ। ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ବାଚସ୍ପତି କହିଥିଲେ।

ସୂଚନାଯୋଗ୍ୟ ଯେ ପୁରୀର ତାଳବଣିଆରେ ୨ ଏକର ଜାଗା ଉପରେ ଅତ୍ୟାଧୁନିକ ବିଧାନସଭା ଅତିଥି ଭବନ ନିର୍ମାଣ ହୋଇଛି। ୨୦୦୮-୦୯ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ୨୦୦୯ ମାର୍ଚ୍ଚ ୨ରେ ତତ୍‌କାଳୀନ ବାଚସ୍ପତି କିଶୋର ମହାନ୍ତି ଏହାର ଶୁଭାରମ୍ଭ କରିଥିଲେ। ଉଦ୍‌ଘାଟନ ପର ଠାରୁ ଏହାର ବ୍ୟବହାର କରାଯାଇ ନାହିଁ। ଏପରିିକି ତାହାକୁ ରକ୍ଷଣାବେକ୍ଷଣ କରିବାକୁ ବି କେହି ନାହାନ୍ତି। ଫଳରେ ଅତିଥି ଭବନ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି।

ସମ୍ବନ୍ଧିତ ଖବର