ବିଧାନସଭା ଷ୍ଟାଣ୍ଡିଙ୍ଗ୍ କମିଟିର ଲକ୍ଷ୍ମୀପୁର ଗସ୍ତ : ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ପରଖିଲେ ଶିକ୍ଷା ବ୍ୟବସ୍ଥାର ସ୍ଥିତି

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ପରଖିବା ସକାଶେ ଆସିଥିବା ବିଧାନସଭାର ଚତୁର୍ଥ ଷ୍ଟାଣ୍ଡିଂ କମିଟିର ଏକ ଟିମ୍ କୋରାପୁଟ ଗସ୍ତ ସାରି ଫେରୁଥିବା ବାଟରେ ଗୁରୁବାର ହଠାତ୍ ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ପହଚିଂ ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାର ସ୍ଥିତି ପରଖିଥିଲେ। ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭୁପିନ୍ଦର ସିଂ ୩ଟି କ୍ଲାସ ରୁମ୍‌ରେ ପହଚିଂ ଛାତ୍ରଛାତ୍ରୀଙ୍କ ସହ ପ୍ରାୟ ଅଧଘଣ୍ଟା ଆଲୋଚନା କରି ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ୧୮ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯେଉଁମାନେ କଲେଜରେ ପଢୁଛନ୍ତି ସେମାନେ ନିଜେ ସରକାରଙ୍କ ଟ୍ରାଫିକ୍ ନିୟମ ମାନିବା ସହ ନିଜ ପରିବାର ଓ ଗାଁ ଗହଳିର ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକକୁ ଲାଗିରହିଥିବା ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର ଓ କାଶିପୁର ଭଳି ଦୁର୍ଗମ ବ୍ଲକରେ ଗୋଟିଏ ହେଲେ ଯୁକ୍ତ ତିନି ବିଜ୍ଞାନ ମହାବିଦ୍ୟାଳୟ ନଥିବା କାରଣରୁ ଏଠାକାର ସବୁବର୍ଗର ଛାତ୍ରଛାତ୍ରୀ ଦୁରରେ ରହୁଥିବା କଲେଜରେ ପାଠ ପଢିବାକୁ ବାଧ୍ୟ ହେଉଥିଲେ ମଧ୍ୟ ଅନେକ ଛାତ୍ରଛାତ୍ରୀ ଅର୍ଥଅଭାବରୁ ଅଧାରୁ ପାଠ ଛାଡୁଛନ୍ତି ବୋଲି କମିଟିର ଅଧକ୍ଷଙ୍କୁ ସ୍ଥାନୀୟ ଲୋକେ ଅବଗତ କରାଇବା ପରେ ଏ ବିଷୟ ସରକାରଙ୍କ ନଜରକୁ ଅଣାଯିବ ବୋଲି ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ପ୍ରକାଶ କରିଥିଲେ। ସେହିପରି ଲକ୍ଷ୍ମୀପୁର ମହାବିଦ୍ୟାଳୟର ଗୋଟିଏ ଗୋଟିଏ କ୍ଲାସରୁମରେ ୩ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବସିକି ପାଠ ପଢୁଛନ୍ତି। ଅଧିକ କ୍ଲାସ ରୁମର ଆବଶ୍ୟକତା ଥିବା ଜାଣି ନିଜେ କମିଟି ଅଧ୍ୟକ୍ଷ କଲେଜ୍ ଅଧ୍ୟକ୍ଷ ବିରେନ୍ କୁମାର ଶତପଥି ଓ ଅଧ୍ୟାପକମାନଙ୍କ ସହ ଆଲୋଚନା କରିଥିଲେ। ବର୍ତମାନ ସମସ୍ତ ବିଦ୍ୟାଳୟ ଓ କଲେଜମାନଙ୍କରେ କିପରି ଉତ୍ତମ ପାଠପଢା ହୋଇପାରିବା ସହ ବେସିକ୍ ଏଜୁକେସନ ଉପରେ ଗୁରୁତ୍ବ ଦେବାକୁ ଚେଷ୍ଟା କରାଯାଉଛି, ଏଥିପାଇଁ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବାକୁ ସରକାର ଚେଷ୍ଟା ଜାରି ରଖିଥିବା ମଧ୍ୟ ସେ ପ୍ରକାଶ କରିଥିଲେ। ଏହି କମିଟିର ଲକ୍ଷ୍ମୀପୁର ମହାବିଦ୍ୟାଳୟ ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ କହଁର, ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ଯୁକ୍ତ ତିନି ଅଧ୍ୟକ୍ଷ ପ୍ରକାଶ ସେନାପତି, ଅଧ୍ୟାପକ ଜଗନ୍ନାଥ ରଥ, କିଶୋର ଚନ୍ଦ୍ର ସାହୁ, ଗିରିଜା ଚୌଧୁରି, ମଧୁସୁଦନ ସାହୁ, ବିଜୁ ମୁଦୁଲି , ଅଧ୍ୟାପିକା ମଧୁସ୍ମିତା ବିଶ୍ୱାଳ, ମୌତୁସି ପ୍ରଧାନ, ତିଲୋତ୍ତମା ପଟନାୟକ, ବରିଷ୍ଠ କିରାଣି ହରେକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର