ମହିଳାଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଘଟଣା: ମଧ୍ୟପ୍ରଦେଶରୁ ୨ ଅଭିଯୁକ୍ତକୁ ଗିରଫ କଲା ସାଇବର୍‌ ପୁଲିସ

ସମ୍ବଲପୁର:  ସମ୍ବଲପୁର ସାଇବର୍‌ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ପରକୀୟା ପ୍ରୀତି ପରେ ସାମାଜିକ ଗଣମାଧ୍ୟମରେ ଭିଡିଓ ଓ ଫଟୋ ଭାଇରାଲ୍‌ କରି ଫସିଲେ ୨ ଜଣ। ସମ୍ବଲପୁରର ଜଣେ ମହିଳାଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ କରିବା ଏବଂ ବ୍ଲାକ୍‌ମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ପୁଲିସ ମଧ୍ୟପ୍ରଦେଶରୁ ଅଭିଶେକ ଯାଦବ ଓ ବଂଶୀଲାଲ ଯାଦବକୁ ଗିରଫ କରିଛି।

ସୂଚନାନୁସାରେ, ସମ୍ବଲପୁର ସହରର ମହିଳା(୩୪)ଙ୍କର ବିବାହ ହୋଇଥିଲା ଜଣଙ୍କ ସହ, ବିବାହ ପରେ ପ୍ରେମ ହେଲା ସମ୍ବଲପୁରରେ ରହୁଥିବା ସଞ୍ଜୟ ରାଜକଙ୍କ ସହ। ସ୍ବାମୀଙ୍କ ଅନୁପସ୍ଥିତିରେ ସଞ୍ଜୟଙ୍କ ସହ ସବୁ ପ୍ରକାର ସମ୍ପର୍କ ଆରମ୍ଭ ହୋଇଗଲା। ସଞ୍ଜୟ ମଧ୍ୟ ବିବାହିତ ଥିଲେ। କିନ୍ତୁ କିଛି ଖାତିର ନକରି ଦୁହେଁ ପରକୀୟା ପ୍ରୀତିରେ ପାରଙ୍ଗମ ହୋଇ ଚାଲିଲେ। ଏସବୁ ଭିତରେ ମୁମ୍ବାଇର ଏକ ଘରୋଇ କମ୍ପାନିରେ ଚାକିରି ହେବାରୁ ସଞ୍ଜୟ ସେଠାକୁ ଚାଲିଗଲେ। ତାପରେ ଉଭୟେ ଭିଡିଓ କଲିଂ ମାଧ୍ୟମରେ ସମ୍ପର୍କ ବଢ଼ାଇ ଚାଲିଲେ। ବାଥ୍‌ରୁମ୍‌ ଭିଡିଓ କଲିଂ ଉଭୟଙ୍କ ପାଇଁ ନିତିଦିନିଆ ହୋଇଗଲା। ସଞ୍ଜୟ କିଛି କିଛି ସ୍କ୍ରିନ୍‌ ରେକର୍ଡିଂ ମଧ୍ୟ ନିଜ ଫୋନ୍‌ରେ ରଖିଲେ। ଯାହା ବିଷୟରେ ସମ୍ବଲପୁରର ମହିଳାଙ୍କୁ କିଛି ଜଣା ନଥିଲା। ଦିନେ ହଠାତ୍‌ ସଞ୍ଜୟଙ୍କ ସ୍ତ୍ରୀ ହେମଲତା ରାଜକଙ୍କ ହାବୁଡ଼ରେ ତାଙ୍କ ମୋବାଇଲ୍‌ଟି ପଡ଼ିଲା। ସେଥିରେ ଥିବା ଫଟୋ ଓ ଭିଡିଓ ସବୁ ହେମଲତା ଦେଖିଦେଲେ।

ହେମଲତା ଏସବୁ ଦେଖିବା ପରେ ମୁଖ୍ୟ କାହାଣୀ ଆରମ୍ଭ ହେଲା। ଅଭିଷେକ ଓ ବଂଶୀଲାଲଙ୍କ ସହ ହେମଲତାଙ୍କର ସମ୍ପର୍କ ଥିଲା। ତାଙ୍କ ପାଖକୁ ମହିଳାଙ୍କ ଅନ୍ତରଙ୍ଗ ଭିଡିଓ ଓ ଫଟୋଗୁଡ଼ିକ ହେମଲତା ପଠାଇ ଦେଲେ ଏବଂ ମହିଳାଙ୍କୁ ବ୍ଲାକମେଲିଂ କରିବାକୁ ଯୋଜନା କଲେ। ଏହାପରେ ମହିଳାଙ୍କୁ କଲ୍‌ କରି ୧୦ରୁ ୧୫ ଲକ୍ଷ ଟଙ୍କା ଦେବାକୁ କହିଲେ, ନଦେଲେ ସବୁ ଫଟୋ ଭିଡିଓ ଭାଇରାଲ୍‌ କରିଦେବାକୁ ଧମକ ଦେଲେ। ପରେ ସେମାନେ ଫେସ୍‌ବୁକ୍‌ରେ ଏକ ଫେକ୍‌ ଆଇଡି ତିଆରି କରି ସମ୍ବଲପୁର ମହିଳାଙ୍କର ଅନ୍ତରଙ୍ଗ ଭିଡିଓ ଓ ଫଟୋଗୁଡିକୁ ଗୋଟିଏ ପରେ ଗୋଟିଏ ଅପ୍‌ଲୋଡ୍‌ କରିଚାଲିଲେ।

ଏ ବିଷୟରେ ସମ୍ବଲପୁରର ମହିଳା ଜଣକ ଜାଣିବା ପରେ ଫଟୋ ଡିଲିଟ୍‌ କରିବା ପାଇଁ ସେମାନଙ୍କୁ ଅନୁରୋଧ କଲେ। କିଛି ଲାଭ ନମିଳିବାରୁ ଶେଷରେ ଫେବ୍ରୁଆରି ୨ ତାରିଖରେ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଇବର୍‌ ଥାନାଧିକାରୀ ପଦ୍ମାସିନୀ ମେହେର ଓ ଟିମ୍‌ ମଧ୍ୟପ୍ରଦେଶ ଯାଇ ସ୍ଥାନୀୟ ପୁଲିସ ସହାୟତାରେ ୨ ଅଭିଯୁକ୍ତ ଅଭିଷେକ ଓ ବଂଶୀଲାଲ୍‌କୁ ଗିରଫ କରିଥିବା ବେ​ଳେ ହେମଲତା ରାଜକ ଫେରାର୍‌ ହୋଇଯାଇଥିଲେ। ଅନ୍ୟପଟେ ସଞ୍ଜୟ ରାଜକ କୋର୍ଟରୁ ଆଗୁଆ ଜାମିନ ଆଣିଥିବା ଜଣାପଡ଼ିଛି। ୨ ଅଭିଯୁକ୍ତ ଅଭିଷେକ ଓ ବଂଶୀଲାଲ୍‌କୁ ପୁଲିସ ମଙ୍ଗଳବାର କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର