ହୀରାକୁଦରୁ ଗେଟ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଛତିଶଗଡ଼ର ଉପରେ ଚାପ ପ୍ରସଙ୍ଗ: ମୁହଁ ଖୋଲିଲେ ତିନି ଦଳ

ଭୁବନେଶ୍ବର: ଛତିଶଗଡ଼ ହୀରାକୁଦରୁ ଗେଟ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରସଙ୍ଗରେ ମୁହଁ ଖୋଲିଲେ ତିନି ପ୍ରମୁଖ ରାଜନୈତିକ ଦଳ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ଘଟଣା। ଛତିଶଗଡ଼ ସରକାର ଗତ ମେ ମାସରେ ମହାନଦୀ ଶୁଖିଲା ପଡ଼ିଥିବାବେଳେ ପାଣି ଛାଡୁ ନଥିଲେ, ତାହାକୁ ଆମେ ନିନ୍ଦା କରୁଥିଲୁ। ଆଜିର ଛତିଶଗଡ଼ ସରକାରର ବ୍ୟବହାରକୁ ଆମେ ନିନ୍ଦା କରୁଛୁ। ରାଜ୍ୟ ସରକାର ଏବଂ ତାଙ୍କ ଜଳସେଚନ ବିଭାଗକୁ ଚେତାବନୀ ଦେଉଛୁ ଘର ପୋଡିବ ମୂଷା କେଂଚାଏ ପାଇବ ଏ ନୀତି ଅବଲମ୍ବନ କରି ଆମର ପଛୁଆ ପାଣି ଆମ୍ବାଘନୀ ବ୍ଲକ ଅଂଚଳରେ ଯେଉଁ ବନ୍ୟା ଦେଖା ଦେଇଛି ତାର ସମାଧାନ କର।ପ୍ରୋ ଆକ୍ଟିଭ ଗଭାର୍ନାଂଶ ଜାଗ୍ରତ ପ୍ରହରୀ ଭାବରେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରି ଶୀଘ୍ର ସମାଧାନ କରନ୍ତୁ। ସମସ୍ୟା ତ ରହିବ, କିନ୍ତୁ ମୁଖ୍ୟମନ୍ତ୍ରୀ ଏହାର ସମାଧାନ କରନ୍ତୁ।

Telegraph India

ଏଣେ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ପାଣି ଆସି ଘର ବୁଡିଲାଣି, ଆଲୋଚନା କଣ କରିବୁ। ୨୦୧୬ରେ ତତ୍କାଳୀନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ସେତେବେଳେ ସହମତିକୁ ଅଣଦେଖା କଲେ ରମଣ ସିଂ। ଶୁଖା ସମୟରେ ପାଣି ମାଗିଲୁ, ସେମାନେ ଦେଲେନି କି ବ୍ୟାରେଜ୍ ନିର୍ମାଣ କାମ ରୋକିଲେନି। ଏବେ ଭୂପେଶ ବାଘେଲ ସରକାର ଆସି ବି କିଛି କଲେନି। ବନ୍ଧ ହେବା ଯୋଗୁ ବନ୍ୟା ସମୟରେ ଛତିଶଗଡ଼ ପାଣି ଛାଡୁଛି। ସର୍ବୋଚ୍ଚ ଯନ୍ତ୍ରୀ କହିଲେ ଯେ ବର୍ଷକ ଦୁଇ ଥର ବୈଠକ ହେବା କଥା। ହେଲେ ଛତିଶଗଡ଼ ଆସୁନି। ଏହା ନିନ୍ଦନୀୟ କଥା। ଅଫିସରସ୍ତରୀୟ ଆଲୋଚନା କରନ୍ତୁ ଓ କେତେ ପାଣି ଛାଡ଼ିବେ ଜଣାନ୍ତୁ। ଆପୋଷ ଆଲୋଚନା ହିଁ ଆବଶ୍ୟକ। ମହାନଦୀ ବଞ୍ଚିବାକୁ ଯାହା ଦରକାର, ତାହା କରାଯିବ।

odishasuntimes.com

ତେଣେ କଂଗ୍ରେସ ବିଧାୟକ ଏହି ପ୍ରସଙ୍ଗରେ କହିଛନ୍ତି, ଦୀର୍ଘ ୧୫ ବର୍ଷ ପୂର୍ବରୁ ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ଗୋଟିଏ ପରେ ଗୋଟିଏ ବନ୍ଧ ବାନ୍ଧିବା ଚାଲିଛି। ଉପରମୁଣ୍ଡରେ ବନ୍ଧ ବାନ୍ଧିବା ଯୋଗୁଁ ମହାନଦୀ ଅଧିକାଂଶ ସମୟରେ ଶୁଖିଲା ରହଛି। ସେତେବେଳକୁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା ନାହିଁ। ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ମୁଖ୍ୟଯନ୍ତ୍ରୀ ସମସ୍ତେ ନିରବ ରହିଲେ। ବର୍ତ୍ତମାନ ଛତିଶଗଡ଼ ବନ୍ୟାରେ ଉବୁଟୁବୁ। ଏପରି ସମୟରେ ଓଡ଼ିଶାକୁ ଛତିଶଗଡ଼ ଅନୁରୋଧ କରୁଛି ହୀରାକୁଦରୁ ପାଣି ଛାଡିବା ପାଇଁ। ମହାନଦୀ ଯେତେବେଳେ ଶୁଖିଲା ପଡ଼ିଥିଲା, ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଲେ ନାହିଁ, ଛତିଶଗଡ଼ ମଧ୍ୟ ପାଣି ଛାଡିଲା ନାହିଁ। ଛତିଶଗଡ଼ ଓଡ଼ିଶାର ଅନୁରୋଧ ସେତେବେଳେ ଶୁଣି ନଥିଲା। ତେଣୁ ଓଡ଼ିଶା ସରକାର ମଧ୍ୟ ଏବେ ତାଙ୍କ ଅନୁରୋଧ ଶୁଣନ୍ତୁ ନାହିଁ।

ସମ୍ବନ୍ଧିତ ଖବର