ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବରୁ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଚାରିଦ୍ବାର ଦେଇ ପ୍ରବେଶ କରୁଥିଲେ। କିନ୍ତୁ ଶୃଙ୍ଖଳା ଆଳରେ ଶ୍ରଦ୍ଧାଳୁଙ୍କୁ ନିର୍ଯାତନା ଦେଇ ଚାଲିଛି ଜିଲ୍ଲା ପ୍ରଶାସନ। ଚାରିଦ୍ବାର ବଦଳରେ କେବଳ ସିଂହଦ୍ବାରରେ ପ୍ରବେଶ ବ୍ୟବସ୍ଥା କରି ଶ୍ରଦ୍ଧାଳୁଙ୍କୁ ଡହ ଡହ ଖରାରେ ଛିଡ଼ା ହେବାକୁ ବାଧ୍ୟ କରୁଛନ୍ତି। ଛୁଟି ଦିନରେ ବଡ଼ଦାଣ୍ଡରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ତଥାପି କାହାରି ନିଦ ଭାଙ୍ଗୁନି। ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ଚାରିଦ୍ବାର ଖୋଲିବା ପ୍ରସଙ୍ଗ ରଥଯାତ୍ରା ସମନ୍ବୟ ବୈଠକରେ ଉଠିଥିଲା। ଆଇନମନ୍ତ୍ରୀଙ୍କ ଆଗରେ ସେବାୟତମାନେ ଏହି ଦାବି ରଖି ହଙ୍ଗାମା କଲେ। ନିଷ୍ପତ୍ତି ହେଲା, ଖୁବଶୀଘ୍ର ଜିଲ୍ଲାପାଳ ଏହା ଉପରେ ବୈଠକ ଡାକି ଆବଶ୍ୟକ ପଦକ୍ଷେପ ନେବେ। ଇତିମଧ୍ୟରେ ରଥଯାତ୍ରା ଶେଷ ହୋଇଥିଲେ ହେଁ ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇପାରିନି। ଖୋଲିବେ ଖୋଲିବେ କହି ଶ୍ରଦ୍ଧାଳୁଙ୍କୁ ଭଣ୍ଡାଇବାରେ ଲାଗିଛନ୍ତି ସରକାରୀ ଅଧିକାରୀ। ଯଦ୍ବାରା ବାହାର ଭକ୍ତ ତ କଷ୍ଟ ପାଉଛନ୍ତି, ଅଧିକ କଷ୍ଟ ପାଉଛନ୍ତି ସ୍ଥାନୀୟ ଲୋକେ। ବିଶେଷ କରି ଯେଉଁ ବୃଦ୍ଧବୃଦ୍ଧାମାନେ ନିଜ ସୁବିଧାରେ ଚାରିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରି ପାରୁଥିଲେ, ସେମାନେ ଆଉ ଆଗଭଳି ଦର୍ଶନ କରିପାରୁନାହାନ୍ତି।
ପୂର୍ବରୁ ନିଜ ସୁବିଧାରେ ଭକ୍ତମାନେ ଶ୍ରୀମନ୍ଦିରର ଚାରିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିଲେ ଓ ନିଜ ସୁବିଧାରେ ଚାରିଦ୍ବାର ଦେଇ ଫେରୁଥିଲେ। ଫଳରେ ମନ୍ଦିର ଭିତରେ ସେଭଳି ଅଯଥା ଭିଡ଼ ହେଉନଥିଲ। କେବଳ ପର୍ବପର୍ବାଣୀକୁ ଛାଡ଼ିଦେଲେ, ଅନ୍ୟ ଦିନରେ ଭକ୍ତମାନେ ସ୍ବାଭାବିକ ଦର୍ଶନ କରି ଫେରୁଥିଲେ। କିନ୍ତୁ ୨୦୧୮ ମସିହାରେ ଧାଡ଼ି ଦର୍ଶନ ପାଇଁ ଅଣ୍ଟା ଭିଡ଼ିଥିଲା ଜିଲ୍ଲା ପ୍ରଶାସନ। ଚାରିଦ୍ବାର ଦର୍ଶନ ବନ୍ଦ କରି କେବଳ ସିଂହଦ୍ବାର ଦେଇ ଭକ୍ତଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ବାଇଶି ପାହାଚରେ ଲୁହାର ରେଲିଂ ଲଗାଇଥିଲା। ଧାଡ଼ି ଦର୍ଶନ ଓ ଚାରିଦ୍ବାର ଦର୍ଶନ ବନ୍ଦକୁ ବିରୋଧ କରି ପୁରୀ ସହରବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ଥିତି ଏତେ ବିଗିଡ଼ି ଯାଇଥିଲା, ଦଙ୍ଗା ପରିସ୍ଥିତି ଉପୁଜିଥିଲା। ଉତ୍ତ୍ୟକ୍ତ ଲୋକେ ବ୍ୟାପକ ପୋଡ଼ାଜଳା କରିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ। ଏଭଳି ସ୍ଥିତି ଉପୁଜିବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। କିନ୍ତୁ କୋଭିଡ୍ ପରେ ଶ୍ରୀମନ୍ଦିର ଦର୍ଶନକୁ ବନ୍ଦ କରି ଦିଆଗଲା। କୋଭିଡ୍ ସ୍ଥିତି ସ୍ବାଭାବିକ ହେବା ପରେ ଦର୍ଶନ ଆରମ୍ଭ ହେଲା ସତ, କିନ୍ତୁ କେବଳ ସିଂହଦ୍ବାର ଦେଇ ଭକ୍ତଙ୍କୁ ଛଡ଼ାଗଲା। ପରେ ବହୁ ଦାବି ଓ ଆନ୍ଦୋଳନ ମୁଣ୍ଡ ଟେକିବାକୁ ସିଂହଦ୍ବାର ଦେଇ ବାହାର ଭକ୍ତ ଓ ଅନ୍ୟ ଦ୍ବାର ଦେଇ ସ୍ଥାନୀୟ ବାସିନ୍ଦାଙ୍କୁ ଦର୍ଶନ ପାଇଁ ଛଡ଼ାଗଲା। ସ୍ଥାନୀୟ ବାସିନ୍ଦା ଭାବେ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଥିଲା। ପରେ କୋଡିଭ୍ ମହାମାରୀ କାୟା ମେଲାଇବାରୁ ପୁନର୍ବାର ଦର୍ଶନ ବନ୍ଦ କରି ଦିଆଗଲା।
କୋଭିଡ୍ ସଂକ୍ରମଣ କମିବା ପରେ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିଲା ସତ, କିନ୍ତୁ ସେବେଠୁ କୋଭିଡ୍ ଆଳରେ ଚାରିଦ୍ବାର ଦର୍ଶନ ବନ୍ଦ କରି ଦେଇଛି ଜିଲ୍ଲା ପ୍ରଶାସନ। ବିବି ଦାଶ କମିସନ ରିପୋର୍ଟ ଓ କୋଭିଡ୍ ଆଳରେ ଦୁଇବର୍ଷ ହେଲାଣି କେବଳ ସିଂହଦ୍ବାର ଦେଇ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଉଛି। ମହାପ୍ରସାଦ ଆଣିବାକୁ ଚାହୁଁଥିବା ଭକ୍ତଙ୍କୁ ବି ଉତ୍ତରଦ୍ବାର ଦେଇ ଛଡ଼ାଯାଉନି। ବହୁ ଦାବି ପରେ ପଶ୍ଚିମଦ୍ବାର ଦେଇ ସ୍ଥାନୀୟ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଉଥିଲା। କିଛି ମାସ ହେଲାଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆଳରେ ଏହି ଦ୍ବାର ବନ୍ଦ କରି ଦିଆଯାଇଛି। କେବଳ ଭିଆଇପି, ଭିଭିଆଇପିକୁ ଏହି ବାଟ ଦେଇ ଛଡ଼ାଯାଉଛି।
ଏହି ପ୍ରସଙ୍ଗରେ ରଥଯାତ୍ରା ସମନ୍ବୟ ବୈଠକରେ ଆଇନମନ୍ତ୍ରୀଙ୍କୁ ଘେରିଥିଲେ ଉଭୟ ସେବାୟତ ଓ ବୁଦ୍ଧିଜୀବୀ। ବରିଷ୍ଠ ସେବାୟତ ରଜତ ପ୍ରତିହାରୀ, ବିଶ୍ବାବସୁ ବିନାୟକ ଦାସମହାପାତ୍ର, ତଳୁଛ ନୀଳକଣ୍ଠ ମହାପାତ୍ର, ଦାମୋଦର ମହାସୁଆରଙ୍କ ସହ ଅନ୍ୟ ବରିଷ୍ଠ ସେବାୟତମାନେ କେବେ ଚାରିଦ୍ବାର ଖୋଲିବ ଜବାବ ମାଗିଥିଲେ। ଶେଷରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଆଇନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବି ଏହି ପ୍ରସଙ୍ଗ ଉଠିଲା। ଗଣମାଧ୍ୟମ ପ୍ରଶ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଥିଲେ, ଜିଲ୍ଲାପାଳ ଏ ଉପରେ ଖୁବଶୀଘ୍ର ବୈଠକ ଡାକୁଛନ୍ତି। ବୈଠକ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ଇତିମଧ୍ୟରେ ଦୁଇ ମାସ ଗଡ଼ି ସାରିଥିଲେ ବି ବୈଠକ ବସିଲାନି କି କୌଣସି ନିଷ୍ପତ୍ତି ନିଆଗଲାନି। ଯାହା ଉଭୟ ସେବାୟତ ଓ ଭକ୍ତଙ୍କୁ ପୁଣିଥରେ ଆନ୍ଦୋଳିତ କଲାଣି।