ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମର୍ଥନ କଲେ ପୁରୀ ବିଧାୟକ, ଶାସକ ଦଳ ମୁଖ୍ୟ ସଚେତକଙ୍କ ବିରୋଧ

ବାଚସ୍ପତିଙ୍କୁ ନରସିଂହ ମିଶ୍ରଙ୍କ ସମାଲୋଚନା

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା ମିଳିଛି। ଏନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, କାମକୁ କେହି ବିରୋଧ କରୁନାହାନ୍ତି, ଅନୁମତିକୁ ନେଇ ବିବାଦ ଦେଖା ଦେଇଛି। ଅନୁମତି ଆଣିବା ରାଜ୍ୟ ସରକାରଙ୍କ ଦାୟିତ୍ୱ, କେନ୍ଦ୍ରଠୁଁ ଅନୁମତି ଆଣିବା ଦରକାର। ବଡ଼ ବଡ଼ ନିର୍ମାଣ ହେଉନି। ସ୍ଥାୟୀ କାମ ହେଉଛି। ଏଏସଆଇ ସବୁ ଜାଣୁଛି। ସମାଧାନ ହେବା ଦରକାର। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁଁ ସମର୍ଥନ କରୁଛି। କାଲି ଅପରାଜିତା ଦର୍ଶନ ପାଇଁ ଯାଇଥିଲେ। ଆଜି ବି କହୁଛି ବିକାଶକୁ ବିରୋଧ କରୁନି। ନିୟମ ଅନୁସାରେ ହେବା ଦରକାର। ବିକାଶକୁ ନେଇ ରାଜନୀତି କରାନଯାଉ। ଏଏସଆଇ ହେଉଛି ବଦମାସ।

ଏଣେ ପୁରୀକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗ୍ରସ୍ତ ପ୍ରସଙ୍ଗରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁହଁ ଖୋଲିଛନ୍ତି। ମୁଖ୍ୟ ସଚେତକ କହିଛନ୍ତି, ଅପରାଜିତା କେବଳ ସୋବାଜି କରୁଛନ୍ତି। ତାଙ୍କୁ ତାଙ୍କ ଦଳ ମଧ୍ୟ ସମର୍ଥନ କରୁନି। ସରକାରୀ କର୍ମଚାରୀମାନେ ମନା କରିବା ସତ୍ତ୍ୱେ, କେବଳ ସେ ଆଡଭାର୍ଟାଇଜ କରିବାକୁ ଚାହୁଛନ୍ତି। ନୂଆ ରାଜନୀତିକୁ ଆସିଛନ୍ତି, ସୋ ବାଜି ଯଦି କରିବେ ସେ ତିଷ୍ଠି ପାରିବେନି। ବେଆଇନ ହେଉଛି କି ଆଇନ୍ ଅନୁଯାୟୀ ହେଉଛି ତାହା ପ୍ରଶାସନ ବୁଝିସୁଝି କରୁଛନ୍ତି , ନ ବୁଝି କୌଣସି କାର୍ଯ୍ୟ ହେଉନି।ସେବାୟତ ଓ ଗଜପତି ଯେତେ ବେଳେ କହୁଛନ୍ତି ଉଚିତ୍ କାର୍ଯ୍ୟ ହେଉଛି , ସେ ଏକା କହୁଛନ୍ତି ଭୁଲ ହେଉଛି ବୋଲି। ଯେତେବେଳେ ଏତେ ବଡ଼ କଥା ସେ କହୁଛନ୍ତି ତାଙ୍କ ସହ କିନ୍ତୁ ନିଜ ଦଳ ରହୁନି। ଏହାକୁ ନେଇ ସେ ଲଜ୍ଜାବୋଧ କରିବା କଥା।

ଶ୍ରୀ ମନ୍ଦିର ସୁରକ୍ଷା ଓ ବାଚସ୍ପତିଙ୍କ ରାଜନୀତି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଶ୍ରୀ ମନ୍ଦିର ସୁରକ୍ଷା ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିଲା। ପର ମୁହୁର୍ତ୍ତରେ ମୁଁ ସମର୍ଥନ ଦେଇ ସରକାରଙ୍କ ଠାରୁ ଉତ୍ତର ମାଗିଥିଲେ। ସୁରକ୍ଷାକୁ ନେଇ ବିଭିନ୍ନ ଆଲୋଚନାକୁ ଖଣ୍ଡନ କରିବା ଓ ଜଗନ୍ନାଥ ପ୍ରେମୀଙ୍କୁ ତାଙ୍କ ମନ୍ଦିର ସୁରକ୍ଷା ଅଛି କି ନାହିଁ, ଏହାର ଯାଞ୍ଚ କରାଯାଉ ଦାବି କରିଥିଲେ। ଗୃହରେ ବିରୋଧୀଙ୍କ ହଟଗୋଳ ପରେ ସରକାରଙ୍କ ପକ୍ଷରୁ ସେନେଇ ଏକ ଗୃହ କମିଟି ଗଠନ ପାଇଁ ରାଜି ହୋଇଥିଲେ ସରକାର। କିନ୍ତୁ ଗୃହ କମିଟି ଆଜି ସ୍ଥାଣୁ ପଡ଼ିଛି। ମୁଁ ବୈଠକ ପାଇଁ କହିଥିଲି ବାଚସ୍ପତି ବୈଠକ ଡାକି ପୁଣି ଦୁଇ ଘଣ୍ଟାରେ ମଧ୍ୟ ବାତିଲ କରିଛନ୍ତି। ବାଚସ୍ପତି ଆଇନର ଆଳ ନେଇ ଗୃହ କମିଟି କିଛି କରିପାରୁ ନାହିଁ କହିବା ଭୁଲ। ବିଧାନସଭାର ଏକ ସ୍ବତନ୍ତ୍ର ପାହ୍ୟା ଗୃହ କମିଟି ପାଇଁ କୌଣସି ଆଇନ୍ ନାହିଁ। ମୁଁ ଏହାକୁ ଗ୍ରହଣ କରିପାରୁ ନାହିଁ। ମୁଁ ବ୍ୟକ୍ତିଗତ ଭାବେ ଶ୍ରୀ ମନ୍ଦିର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରି କାହାକୁ କିଛି ନ କହି ପୁରୀ ଯାଇ ଚତୃଃପାର୍ଶ୍ବରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରିଛି। ନିର୍ମାଣର ଦୃଶ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟ। କିନ୍ତୁ ଯେହେତୁ ମୁଁ କମିଟି ସଦସ୍ୟ ଅଛି, ତେଣୁ ମତ ଦେଇପାରିବି ନାହିଁ। ଯଦି ସମୟ ଆସିବ କମିଟିରୁ ଇସ୍ତଫା ଦେଇ ମୁଁ ତାହା ପରିପ୍ରକାଶ କରିବି। ଶ୍ରୀ ମନ୍ଦିର ସୁରକ୍ଷାକୁ ନେଇ ସ୍ୱର ଉଠାଇବା ଯଦି ବାଚସ୍ପତି କହିବେ ରାଜନୀତି ହେଉଛି। ତାହା ଦୁର୍ଭାଗ୍ୟଜନକ। ଜଗନ୍ନାଥ ପ୍ରେମୀ ଭାବେ ମୁଁ ଶ୍ରୀମନ୍ଦିର ସୁରକ୍ଷା ଚାହୁଁଛି , ସ୍ୱର ବି ଉଠାଇଛି ତାହାଲେ କଣ ମୁଁ ବି ରାଜନୀତି କରୁଛି । ଆଉ ଏହାକୁ ବି ରାଜନୀତି କହି ଆଳ ଦେଖାଇ ଗୃହ କମିଟି ନଯିବା କଥା କହିବା ବାଚସ୍ପତିଙ୍କ କ୍ଷେତ୍ରରେ ଶୋଭନୀୟ ନୁହେଁ । ଖୁବ୍ ଶୀଘ୍ର ବାଚସ୍ପତି ଗୃହ କମିଟିକୁ ନେଇ ପୁରୀ ଯାଇ ନିର୍ମାଣର ଅନୁଧ୍ୟାନ କରନ୍ତୁ। ଆଉ ସେ ବିଭିନ୍ନ ବାହାନା ନକରି ସମୟ ଆସିଛି, ଯାଆନ୍ତୁ ଶ୍ରୀ କ୍ଷେତ୍ର। ରାଜନୀତି କଥା ସେ କହିବା ଉଚିତ୍ ନୁହେଁ, ସେ ଯେଉଁ ପଦବିରେ ଅଛନ୍ତି ତାର ମର୍ଯ୍ୟାଦା ରଖନ୍ତୁ।

ସମ୍ବନ୍ଧିତ ଖବର