ଲୁଟ୍ କରି ମଉଜ; ଆଇଏଫ୍‌ଏସ୍‌ ଅଭୟକାନ୍ତଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ୍‌

ପୁଅ ଆକାଶ ଆକାଉଣ୍ଟରେ ୯.୪ କୋଟି ଟଙ୍କା
ଆକାଶକୁ ବିମାନରେ ମୁମ୍ବାଇରୁ ଅଣାଗଲା, ଜେରା ଆରମ୍ଭ
ସରକାରୀ ବାସଭବନରୁ ଏୟାର ଗନ୍ ମିଳିଲା
ବାହାଘର ପାଇଁ ଉଦୟପୁରରେ ୫କୋଟିର ଯୋଜନା

ଭୁବନେଶ୍ୱର : ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ବି କୋଟିପତି। ପୂରା ୯.୪କୋଟି ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହୋଇଛି। ମୁମ୍ବାଇ ତାଜ୍‌ ପ୍ୟାଲେସରେ ଆକାଶ ଅଏସ୍ କରିବା ବାହାନାରେ ୯୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଛନ୍ତି।

ଅଭୟକାନ୍ତ ଓ ତାଙ୍କ ସଂପର୍କୀୟଙ୍କ ଘରୁ ଏବେ ସୁଦ୍ଧା ୬୦ଲକ୍ଷ ଟଙ୍କା ନଗଦ ଅର୍ଥ ମିଳିଛି। କେବଳ ସେତିକି ନୁହେଁ, ୮୦୦ ଗ୍ରାମର ସୁନା ଅଳଙ୍କାର ଓ ୨୩ ଲକ୍ଷ ଟଙ୍କାର ଆହୁରି ଗହଣା କିଣା ଯାଇଥିବା ସଂକ୍ରାନ୍ତ ଏକ ବିଲ୍ ମିଳିଛି। ଚଢଉ ଜାରି ରହିଛି।

ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ଘରେ ଗତକାଲିଠାରୁ ଚାଲିଥିବା ଚଢ଼ଉର ପ୍ରଥମ ଦଫା ରିପୋର୍ଟ ଆଜି ସନ୍ଧ୍ୟାରେ ଏଭଳି ଢଙ୍ଗରେ ଭିଜିଲାନ୍ସ ଜାରି କରିଛି। ଏହି କରିତ୍‌କର୍ମା ଜଙ୍ଗଲ ବିଭାଗର ଅଫିସରଙ୍କ ରାଜାଭଳି ଜୀବନ ଯାପନ ସଂପର୍କରେ ଯେତିକି ରୋଚକ ତଥ୍ୟ ସାମ୍ନାକୁ ଆସିଛି ତାଙ୍କର ସଂପତ୍ତି ଆହରଣ ନିଶା ଆହୁରି ତାଜୁବ୍ କରିଛି ତଦନ୍ତକାରୀ ଅଧିକାରୀଙ୍କୁ।

ଘଟଣାକୁ ଗମ୍ଭୀରତାର ସହିତ ନେଇ ଆଜି ସକାଳ ଅଭୟକାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଛି। ମୁମ୍ବାଇରୁ ବିମାନରେ ତାଙ୍କ ପୁଅକୁ ଭୁବନେଶ୍ବର ଆଣି ହେପାଜତକୁ ନେଇ ଜେରା ଆରମ୍ଭ କରିଛି। ପୁତୁରା, ଡ୍ରାଇଭର, ପିଏସଓକୁ ମଧ୍ୟ ମାରାଥନ୍ ଜେରା ଚାଲିଛି। ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ବେଳକୁ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ।

କଳା ଟଙ୍କାରେ ବୁଡ଼ି ରହି ଅମାପ ସମ୍ପତ୍ତିର ଅଧିକାରୀ ହୋଇଛନ୍ତି ଆଇଏଫ୍ଏସ୍‌ ଅଫିସର ତଥା ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ। ନିଜ କେଳେଙ୍କାରୀରେ ଯୋଡ଼ି ଦେଇଛନ୍ତି ପୁଅକୁ। ପରିଣାମ ହେଲା, ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିବା ଅଭୟକାନ୍ତଙ୍କ ୪୨୦ (ଚାରିଶବିସ୍) ପୁଅ ଆକାଶ କୋଟି କୋଟି ଟଙ୍କାର ମାଲିକ ବନି ଯାଇଛି। ଉଭୟଙ୍କ ଠାରୁ ଆଖି ଖୋସି ଦେଲା ଭଳି ସମ୍ପତ୍ତିର ସୁରାକ୍‌ ମିଳିବା ପରେ ତାଜୁବ୍ ହୋଇ ଯାଇଛନ୍ତି ଭିଜିଲାନ୍ସ ଅଧିକାରୀ। କେବଳ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯.୪ କୋଟି ଟଙ୍କା ଜମା ଥିବା ଜଣାପଡ଼ିଛି। ଏହି ଟଙ୍କା ଭିତରୁ ୮ କୋଟି ୪୦ ଲକ୍ଷ ଟଙ୍କା ଭୁବନେଶ୍ବରର ସହିଦନଗର ଓ ନୂଆପଲ୍ଲୀରେ ବିଭିନ୍ନ ଏଟିଏମ୍ କାଉଣ୍ଟର ଜରିଆରେ ଜମା ହୋଇଛି।

ଅନ୍ୟପକ୍ଷରେ ଏବେ ସୁଦ୍ଧା ଅଭୟକାନ୍ତଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ମିଳି ସାରିଥିବା ବେଳେ ଏହି ପରିମାଣ ଆହୁରି ବଢିବ ବୋଲି ଅନୁମାନ ଲଗାଇଛି ଭିଜିଲାନ୍ସ। ମିଳିଥିବା ୩ ଦାମୀ ଓ ବିଳାସପୂର୍ଣ୍ଣ ଗାଡ଼ି ଟାଟା ହ୍ୟାରିୟର, ମର୍ସିଡିଜ୍ ଏବଂ ବିଏମଡବ୍ଲୁ କାର ମାଲିକାନା ଆକାଶଙ୍କ ନାମରେ ରହିଛି। ପୁନେରେ ରହୁଥିବା ଆପାର୍ଟମେଣ୍ଟରେ ତିନୋଟି ଦାମୀ ମର୍ସିଡିଜ୍ କାର ମଧ୍ୟ ମିଳିଛି। ଯେଉଁଥିରେ ଦୁଇଟି ଭଡ଼ା କାର ବୋଲି ଜଣାପଡ଼ିଛି। ଯେଉଁ ଟ୍ରାଭେଲ୍ସରୁ କାର ଆସିଥିଲା ସେଠାରେ ଏକ ଟିମ୍ ଖୋଳତାଡ଼ କରିବା ପରେ ୨୫ ଲକ୍ଷ ଭଡ଼ା ଦିଆ ଯାଇଥିବା ଜଣାପଡ଼ିଛି। ଆକାଶ ନାଁରେ ଥିବା ୩ଟି ଦାମୀ ୟମାହା ଏଫଜେଡ୍ଏସ୍ ବାଇକ୍ ମଧ୍ୟ ଜବତ କରିଛି।

ଆକାଶ ବେଶ୍ ରଙ୍ଗିନ୍ ମିଜାଜର ଥିଲା ଓ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଉଥିଲା। ପଞ୍ଚ ତାରକା ହୋଟେଲରେ ରହିବା ଓ ବିଦେଶରେ ବୁଲିବା ଥିଲା ସେମାନଙ୍କ ପରିବାରର ସଉକ। ବିଦେଶ ବୁଲାରେ ବି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭିଜିଲାନ୍ସ ହାତରେ ଲାଗିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଅଭୟକାନ୍ତ ମାଲେସିଆ, ହଂକଂ, ବ୍ରିଟେନ, ୟୁନାଇଟେଡ୍ ଆରବ୍ ଏମିରେଟସ୍ ଓ ମାଳଦୀପ ବୁଲିଛନ୍ତି। ସେହିଭଳି ଚାର୍ଟର ବିମାନରେ ଭୁବନେଶ୍ବରରୁ ପୁନେ, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ବୁଲିଛନ୍ତି, ଯେଉଁଥିରେ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ହିସାବ ମିଳିଲାଣି।

ସେହିପରି ମୁମ୍ବାଇ ତାଜ ପ୍ୟାଲେସରେ ଆକାଶ ଅଏସ୍ କରି ୯୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ବିଲ୍ ଭିଜିଲାନ୍ସ ହାତରେ ଲାଗିଛି। ଏହି ବିଲ୍ ପରିମାଣ ଆହୁରି ବଢିବ ବୋଲି କୁହାଯାଉଛି। ଆସନ୍ତା ଡିସେମ୍ବର ୧୧ ତାରିଖରେ ଆକାଶର ବିବାହ ପାଇଁ ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ ବୁକିଂ ହୋଇ ସାରିଥିଲା। ଯାହାର ଖର୍ଚ୍ଚ ପାଖାପାଖି ୫ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଅନୁମାନ କରୁଥିବା ବେଳେ ଅଗ୍ରୀମ ୨୦ ଲକ୍ଷ ଟଙ୍କା ଦିଆ ଯାଇଥିବା ଏକ ବିଲ୍ ମିଳିଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁନେରେ ଵାର୍ଟର ଆପାର୍ଟମେଣ୍ଟ ଓ ଗଡ୍ ବ୍ଲେସିଂ ଆପାର୍ଟମେଣ୍ଟରେ ୨ଟି ବିଳାସପୂର୍ଣ୍ଣ ଫ୍ଲାଟ୍ ଠାବ ହୋଇଛି। ଭଡ଼ା ବାବଦରେ ଏବେ ସୁଦ୍ଧା କୋଟିଏ ଟଙ୍କା ଦିଆଯାଇଛି। ଠକେଇ ରାସ୍ତାରେ ପାଦ ଦେଇଥିବା ଆକାଶ ପୁନେରେ ଏକ ଅଫିସ ମଧ୍ୟ ଖୋଲିଥିଲା। ଯାହାର ଭଡ଼ା ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଜଣାପଡ଼ିଛି। ଖାଲି ଅଫିସ୍ ଖୋଲି ନ ଥିଲା ଫିଲ୍ମ ଷ୍ଟାଇଲରେ ଉଚ୍ଚ ଦରମାରେ ମ୍ୟାନେଜର ମଧ୍ୟ ନିଯୁକ୍ତି ଦେଇଥିଲା।

ଇତିମଧ୍ୟରେ ଭିଜିଲାନ୍ସ ଅଧିକାରୀମାନେ ସାମନ୍ତ କଲୋନୀ ଅଞ୍ଚଳରେ ରହୁଥିବା ଏହି ମ୍ୟାନେଜର ଘରେ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ପୁନେ ମୁଲସି ଭୂଗାଓଁରେ ବିରାଟ ଫାର୍ମ ହାଉସ୍ ଠାବ ହୋଇଛି। ଅଭୟକାନ୍ତ ଓ ଆକାଶ ସେହି ଫାର୍ମ ହାଉସରେ ଅୟସ୍ କରୁଥିଲେ। ଜୁହୁ ବିଚ୍ ନିକଟରେ ଏକ ରେସ୍ତୁରାଁ ମଧ୍ୟ ଖୋଲିଥିଲା ଆକାଶ। ମୁଲୁଣ୍ଡରେ ଆଉ ଏକ ଘର ଥିବା ଜଣାପଡିଛି। ଆଉ କିଛି ଫ୍ଲାଟ୍ କିଣିବାକୁ ଆକାଶ ଯୋଜନା ରଖିଥିଲା ବୋଲି କାଗଜପତ୍ର ଦେଖି ସନ୍ଦେହ କରୁଛି ଭିଜିଲାନ୍ସ।

ଗତକାଲି ଅଭୟଙ୍କ ସରକାରୀ ବାସଭବନରୁ ନଗଦ ୫ ଲକ୍ଷ ଟଙ୍କା ମିଳିଥିବା ବେଳେ ଆଜି ଆଉ ୫ ଲକ୍ଷ ମିଳିଥିବା କୁହାଯାଉଛି। ଦାନ୍ତ ଡାକ୍ତର ଥିବା ପୁତୁରା ହର୍ଷ ପାଠକଙ୍କ ଘରୁ ନଗଦ ୫୦ ଲକ୍ଷ ଟଙ୍କା ମିଳିଥିଲା। ଘାଟିକିଆ ଭିପୁଲ ଗାର୍ଡେନରେ ରହୁଥିବା ପୁତୁରା ହର୍ଷଙ୍କ ପାଖରେ ୫୦ ଲକ୍ଷ ଟଙ୍କା କେଉଁଠୁ ଆସିଲା ତାକୁ ନେଇ ଚାଲିଛି ଖୋଳତାଡ଼। ଅଭୟକାନ୍ତ ଏହି ଟଙ୍କା ପୁତୁରାଙ୍କ ଘରେ ରଖିଥିବା ଭିଜିଲାନ୍ସ ସନ୍ଦେହ କରୁଛି। ଆଜି ମଧ୍ୟ ଦିନତମାମ୍ ତାଙ୍କ ଫ୍ଲାଟ୍, ସରକାରୀ ବାସଭବନ ଓ ସିଆରପି ଛକରେ ଥିବା ହର୍ଷଙ୍କ କ୍ଲିନିକରେ ଚଢ଼ଉ କରାଯିବା ସହ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

ସେହିଭଳି ସରକାରୀ ବାସଭବନରୁ ଏକ ଏୟାର ଗନ୍ ଜବତ କରାଯାଇଛି। ସମ୍ପତ୍ତି ପରିମାଣ ଏତେ ବଢି ଯାଇଛି ଯେ ହିସାବ କରିବା ପାଇଁ ଏକାଧିକ ଚାଟାର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କ ଅଧିକାରୀ, ଇଣ୍ଟେରିଅର ଡିଜାଇନର ଓ ନଥିପତ୍ର ଯାଞ୍ଚ କରୁଥିବା ସଂସ୍ଥାର ସହାୟତା ନେଇଛି ଭିଜିଲାନ୍ସ।

ପୁଣେ କୋରେଗାଓଁରେ ଅଭୟକାନ୍ତଙ୍କ ପୁଅ ଆକାଶ ରହୁଥିବା ଫ୍ଲାଟରେ ଆଜି ଚଢ଼ଉ ଶେଷ ହୋଇଛି। ଆକାଶକୁ ଧରି ଭିଜିଲାନ୍ସର ୧୦ ଜଣିଆ ଟିମ୍ ଆଜି ଭୁବନେଶ୍ବର ଫେରିଛନ୍ତି। ଆକାଶକୁ ମାରାଥନ୍ ଜେରା ଜାରି ରହିଥିବା ବେଳେ ଟାଟା ମୋଟର୍ସ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ରୁଜୁ ହୋଇଥିବା ମାମଲାକୁ ନେଇ ଆକାଶକୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଖୁବ ଶୀଘ୍ର ଜେରା ଆରମ୍ଭ କରିବ ବୋଲି ସୂଚନା ମିଳିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଆକାଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ।

ସୂଚନାଯୋଗ୍ୟ ଯେ ଗତକାଲି ସକାଳୁ ଆରମ୍ଭ ହୋଇଥିବା ବଡ଼ଧରଣର ଅପରେସନକୁ ପାଖପାଖି ଦୁଇ ଦିନ ଛୁଇଁଥିବା ବେଳେ ଆହୁରି ସମୟ ଲାଗିବ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର