ଓଡ଼ିଶା ଭିଜିଲାନ୍ସର ପ୍ରଥମ ମାମଲା: ଫୋନ୍ ପେ’ରେ ଲାଞ୍ଚ ନେଇ ଧରାପଡ଼ିଲେ ଟାଟା ପାୱାର ଅଧିକାରୀ

ଭୁବନେଶ୍ୱର: ହାତରେ ନୁହେଁ, ଫୋନ ପେ’ରେ ଟଙ୍କା ପଠାଅ | ପ୍ରଥମ ଥର ଏଭଳି ଭାବେ ଲାଞ୍ଚ ନେଉଥିବା ଜଣେ ଲାଞ୍ଚୁଆ ବାବୁ ଓ ତାଙ୍କ ସହଯୋଗୀଙ୍କୁ ଧରିଛି ଭିଜିଲାନ୍ସ | ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ପ୍ରଥମ ମାମଲା ଯେତେବେଳେ ଜଣେ ଅଧିକାରୀ ହାତାହାତି ନୁହେଁ ଅନଲାଇନ ମୋଡରେ ଲାଞ୍ଚ ଟଙ୍କା ନେଉଥିଲେ | ଏହି ଅଧିକାରୀ ଜଣକ ହେଉଛନ୍ତି ଟାଟା ପାୱାର ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟର ଓଏଜି-୩  ତରୁଣ ରଂଜନ ନାୟକ | ସେହିପରି ଏହି ଲାଞ୍ଚ ନେବାରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ସହଯୋଗୀ ଶ୍ରୀମତୀ ଶୈଳଜା ମୁଦୁଲି |

ମିଳିଥିବା ସୂଚନା ମୁତାବକ ଅଭିଯୋଗକାରୀଙ୍କ ଘରେ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଏହି ଲାଞ୍ଚ ଟଙ୍କା ନେଇଥିଲେ | ଗତକାଲି ତରୁଣ ରଂଜନ ନାୟକ ଅଭିଯୋଗକାରୀଙ୍କୁ ୧୦୦୦୦ ଟଙ୍କା ଲାଞ୍ଚ ମାଗିଥିଲେ | ଆଉ ହାତାହାତି ନୁହେଁ ଫୋନ ପେ ମାଧ୍ୟମରେ ହିଁ ଟଙ୍କା ଦେବାକୁ ସଫା ସଫା କହିଦେଇଥିଲେ | ଏହି ଟଙ୍କା ଶୈଳଜାଙ୍କ ଫୋନପେକୁ ପଠାଇବାକୁ କହିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ତରୁଣଙ୍କ ସହଯୋଗୀ ଦେଇଥିବା ଫୋନ୍ ପେ ନମ୍ବରରେ ୧୦,୦୦୦ ଟଙ୍କା ଲାଞ୍ଚ ଦେଇଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା | ଉଭୟଙ୍କୁ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର