ପଡ଼ିଆ ମେଡିକାଲର ଡାକ୍ତରଙ୍କୁ ଗିରଫ କଲା ଭିଜିଲାନ୍‌ସ

ମାଲକାନଗିରି/ପଡ଼ିଆ : ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଆଜି ଭିଜିଲାନସ ମାଲକାନଗିରି ଜିଲ୍ଲା ପଡ଼ିଆ ମେଡିକାଲର ଡାକ୍ତର ପାଣୁ ଚରଣ ମଣ୍ଡଳକୁ ଗିରଫ କରିଛି। ପଡ଼ିଆ ମେଡିକାଲର ବ୍ଲକ୍‌ ପ୍ରୋଗ୍ରାମିଂ ଅଫିସର ଶ୍ରୀମନ୍ତ ଅତିବୁଦ୍ଧି ଗତ ଅକ୍ଟୋବର ୨୦ ତାରିଖ ଦିନ ଲାଞ୍ଚ ନେବା ମାମଲାରେ ଭିଜିଲାନସ ଜାଲରେ ପଡ଼ିଥିଲେ । ଏହି ଘଟଣାରେ ଡାକ୍ତର ମଣ୍ଡଳଙ୍କ ସଂପୃକ୍ତି ଥିବା ଭିଜିଲାନ୍‌ସ ବିଭାଗ ଜାଣିବା ପରେ ତାଙ୍କୁ ଗିରଫ କରିଥିବା ଜଣାଯାଇଛି ।

ରାଜେଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଗାଡ଼ି ମେଡିକାଲରେ ଭଡ଼ା ସୂତ୍ରରେ ଲାଗିଥିଲା। ଭଡ଼ା ବାବଦ ଟଙ୍କା ପ୍ରଦାନ ନେଇ ସେ ମେଡିକାଲରେ ଆବେଦନ କରିଥିଲେ । ଏହି ବିଲ୍‌ କରିଦେବା ପାଇଁ ଡାକ୍ତର ମଣ୍ଡଳ କୁଆଡେ ବିପିଏମଙ୍କ ଜରିଆର‌େ ୨୦ ହଜାର ଟଙ୍କା ମାଗିବାକୁ କହିଥିଲେ। ଲାଞ୍ଚ ମାଗିବା ପରେ ଶ୍ରୀ ଦାସ ଏ ନେଇ ମାଲକାନଗିରି ଭିଜିଲାନସକୁ ସୂଚନା ଦେଇଥିଲେ । ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ବରେ ଭିଜିଲାନସ ଟିମ୍ ଆଜି ସକାଳୁ ଡାକ୍ତର ମଣ୍ଡଳଙ୍କୁ ଗିରଫ କରିବା ସହ ଆୟ ବହିର୍ଭୂତ ସଂପତ୍ତି ନେଇ ତଦନ୍ତ ପରିସରଭୁକ୍ତ କରାଯାଇଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଗତ ୨୦ ତାରିଖ ଦିନ ଗିରଫ ହୋଇଥିବା ଶ୍ରୀମନ୍ତ ଅତିବୁଦ୍ଧି ଗିରଫ ହୋଇ ଜେଲ ଯାଇଥିଲେ।

ସମ୍ବନ୍ଧିତ ଖବର