ବାଲେଶ୍ୱର/ଜଳେଶ୍ବର: ଭିଜିଲାନ୍ସ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି। ଶ୍ରୀ ପ୍ରଧାନଙ୍କୁ ଗତକାଲି ଠାରୁ ଦୀର୍ଘ ସମୟ ଧରି ମାରାଥନ ଜେରା କରିବା ପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ପ୍ରଭାସ କୁମାର ପ୍ରଧାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା, ସ୍କୁଟି , କାର , ପୋଷ୍ଟଲ୍ ଡିପୋଜିଟ, ଇନ୍ସୁରାନ୍ସ, ସୁନା, ନଗଦ ଟଙ୍କା ଓ ଆସବା ପତ୍ର ଆଦି ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୧୮ ଲକ୍ଷ ୬୩ ହଜାର ୭୫୩ ଟଙ୍କା ମୂଲ୍ୟର ଆକଳନ କରିଛି ଭିଜିଲାନ୍ସ ବିଭାଗ।
ସେହିଭଳି ନବ ନିର୍ମିତ ୫ମହଲା ଘର , ପୈତୃକ ବାସଭବନ , ଜମି , ଫାର୍ମ ହାଉସ, ମାର୍କେଟ କମ୍ପ୍ଲେକ୍ସ ଓ ୮୫ଟି ପ୍ଲଟ ଆଦି ମିଶାଇ ସ୍ଥାବର ସମ୍ପତ୍ତି ୫ କୋଟି ୧୪ ଲକ୍ଷ ୯୨ ହଜାର ୫୬୧ ଟଙ୍କା ମୂଲ୍ୟର ଆକଳନ କରିଛି ଭିଜିଲାନ୍ସ ବିଭାଗ। ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬ କୋଟି ୩୩ ଲକ୍ଷ ୫୬ ହଜାର ୩୧୫ ଟଙ୍କା ଆକଳନ କରିଛି ଭିଜିଲାନ୍ସ ବିଭାଗ। ଏହାସହ ବେଆଇନ ଭାବରେ ଜବତ ହୋଇଥିବା ୨ ହଜାର ଟଙ୍କିଆ ବାବଦରେ ବ୍ୟାଙ୍କ ସହ ଯୋଗାଯୋଗ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ଏସ ପି କହିଛନ୍ତି।
କେବଳ ଜଳେଶ୍ବରରେ ୮୦ଟି ପ୍ଲଟ୍ ରହିଥିବା ବେଳେ ଡେଲାଙ୍ଗ-ପୁରୀରେ ୪ଟା ଓ ପଶ୍ଚିମବଙ୍ଗରେ ଗୋଟିଏ ରହିଛି। ଶ୍ରୀ ପ୍ରଧାନଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଗତକାଲି ଚଢ଼ଉ ପରେ ଭିଜିଲାନ୍ସ ଟିମ୍ ଏତିକି ପ୍ଲଟ୍ ଠାବକରିଛି। ତେବେ, ଏହି ସଂଖ୍ୟା ୮୫ରୁ ଅଧିକ ବୋଲି ଜଣାପଡ଼ିଛି। ଏଥିସହିତ, ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନରୁ ୧୧ ଲକ୍ଷ ନଗଦ ଟଙ୍କା, ତା’ ସାଙ୍ଗକୁ ବହୁ ପରିମାଣରେ ସୁନା ଅଳଙ୍କାର, ସୁନା ବିସ୍କୁଟ୍ ଜବତ କରିଛନ୍ତି। ଏତେ ପରିମାଣ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ତାଜୁବ୍। ଏବେ ବି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/b.jpg)