ଆଠଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ବୁଧବାର ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା।
ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ପ୍ରଦୀପଙ୍କ ଭୁବନେଶ୍ୱର ଗୌତମନଗରସ୍ଥିତ ଶ୍ରୀଏନକ୍ଲେଭ୍ ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭାଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା ୩ ମହଲା କୋଠା,ରାଜସୁନାଖଳାରେ ଥିବା ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ ଓ କ୍ୱାର୍ଟସରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉବେଳେ ବିଡିଓଙ୍କର ଭୁବନେଶ୍ୱରରେ ୨ଟି କୋଠା, ଗୋଟିଏ ଫ୍ଲାଟ ଠାବ କରାଯାଇଥିଲା। ସେହିପରି ୩ଟି ପ୍ଲଟ, ୪୭ ଲକ୍ଷର ଜମା, ୬ ଲକ୍ଷ ନଗଦ ଟଙ୍କା ଓ ୪୫୨ ଗ୍ରାମ୍ ସୁନା, ୨ଟି କାର୍ ସମ୍ପର୍କରେ ମଧ୍ୟ ଭିଜିଲାନ୍ସ ଟିମ୍ ସୂଚନା ପାଇଥିଲା
ପ୍ରଦୀପଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ହେଲେ ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି ସମ୍ପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ। ଗୁରୁବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୨୩ ମସିହା ଫେବ୍ରୁଆରୀ ୨୩ ତାରିଖରେ ପ୍ରଦୀପ ଆଠଗଡ଼ରେ ବିଡ଼ିଓ ଭାବେ ନିଯୁକ୍ତି ପାଇଥିଲେ। ଏହାର୍ପୂବରୁ ସେ ନରସିଂହପୁରରେ କାର୍ଯ୍ୟରତ ଥିଲେ।