ଅସ୍ତରଙ୍ଗ : ୮ ହଜାର ଟଙ୍କା ଲାଞ୍ଚ ନେଇ ଅମିନ ଗିରଫ

ଅସ୍ତରଙ୍ଗ : ଅସ୍ତରଙ୍ଗ ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଅମିନ ଲାଞ୍ଚ ନେଉଥିବାବେଳେ ଆଜି ପୁରୀ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଜଣାପଡ଼ିଛି। ଗିରଫ ଅମିନ ହେଲେ ପ୍ରଫୁଲ୍ଲ ବେହେରା। ସେ ବାତ୍ୟାରେ ଘର ଭାଙ୍ଗିବା ରିପୋର୍ଟ ଦେବାକୁ ଜଣେ ହିତାଧିକାରୀଙ୍କଠାରୁ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁରୀ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅସ୍ତରଙ୍ଗର ସର୍ବେଶ୍ୱର ଓଝା ନାମକ ଜଣେ ବୃଦ୍ଧଙ୍କ ବାତ୍ୟାରେ ଘର ଭାଙ୍ଗିବା ରିପୋର୍ଟ ଦାଖଲ କରିବା ନିମନ୍ତେ ଅସ୍ତରଙ୍ଗ ତହସିଲ ଅମିନ ପ୍ରଫୁଲ୍ଲ ବେହେରା ୧୨ ହଜାର ଟଙ୍କା ଦାବି କରି ଆସୁଥିଲେ। ସେଥିପାଇଁ ଶ୍ରୀ ଓଝା ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ପ୍ରଥମେ ୪ ହଜାର ଟଙ୍କା ଦେଇଥିଲେ। ଆଉ ୮ ହଜାର ଟଙ୍କା ଅମିନ ଦାବି କରିବାରୁ ଶ୍ରୀ ଓଝା ପୁରୀ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ। ଭିଜିଲାନ୍ସ ଡିଏସ୍‌ପି ହରିନାରାୟଣ ପତି ଏକ ଟିମ୍ ଗଠନ କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ଶ୍ରୀ ଓଝାଙ୍କ ଠାରୁ ଅମିନ ପ୍ରଫୁଲ୍ଲ ବେହେରା ଦାବି କରିଥିବା ଟଙ୍କା ଗ୍ରହଣ କରୁଥିବାବେଳେ ପୂର୍ବରୁ ଛକିଥିବା ଭିଜିଲାନ୍ସ ଟିମ୍ କୌଶଳ କ୍ରମେ ତାଙ୍କୁ କାବୁ କରି ନେଇଥିଲେ। ଅମିନ ଶ୍ରୀ ବେହେରାଙ୍କୁ ଗିରଫ କରି ପୁରୀ ନିଆଯାଇଥିବା ଡିଏସ୍‌ପି ଶ୍ରୀ ପତି ସୂଚନା ଦେଇଛନ୍ତି। ଶ୍ରୀ ଓଝା ପୂର୍ବରୁ ତହସିଲର ଜଣେ କିରାଣି ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର