ଭିଜିଲାନ୍ସ ପଞ୍ଝାରେ କୋଟିପତି ଖଣି କିରାଣି

ଖଣି ଅଞ୍ଚଳରୁ ବଟି ଆଦାୟ ଘଟଣାର ପର୍ଦ୍ଦାଫାସ

ଯାଜପୁର/କାଳିଆପାଣି : ଖଣି ଅଞ୍ଚଳରୁ ବଟି ଆଦାୟ ଘଟଣାର ପର୍ଦ୍ଦାଫାସ ହୋଇଛି। ଖଣି ବିଭାଗର କନିଷ୍ଠ କିରାଣି ଚିନ୍ମୟ କୁମାର ବେହୁରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। କଟକ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦେଶ କ୍ରମେ କଟକ ଭିଜିଲାନ୍ସ ପକ୍ଷରୁ ଆଜି ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ବେଳେ ଶ୍ରୀ ବେହୁରାଙ୍କର ପ୍ରାୟ ୧ କୋଟି ୨ ଲକ୍ଷ ୮୦ ହଜାର ଟଙ୍କାର ଆୟ ବହିର୍ଭୂତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି।

ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ବେହୁରାଙ୍କ ଧବଳଗିରିରେ ଥିବା ସରକାରୀ ବାସଭବନ, ଟିସ୍କୋ କାଳିଆପାଣିରେ ଥିବା ସରକାରୀ କ୍ବାର୍ଟର୍ସ, ଯାଜପୁର ସୁକିନ୍ଦାଗଡ଼ ପାଇକସାହିରେ ଥିବା ବାସଭବନ, ଯାଜପୁରରୋଡ କୁସୁନୁପୁରରେ ଥିବା ସାଇ ରେସିଡେନସୀ ଆପାର୍ଟମେଣ୍ଟ, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଥିବା ସଂପର୍କୀୟଙ୍କ ଘର ଏବଂ ଟିସ୍କୋର ତାଙ୍କ ଅଫିସରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେ‌େ‌ଳ ଭିଜିଲାନ୍ସ ଅଧିକାରୀମାନେ ଯାଜପୁରରୋଡ ସାଇ‌ ରେସିଡେନସୀରେ ଥିବା ଟୁ ବିଏଚ୍‌କେ ଘର, ସୁକିନ୍ଦାଗଡ଼ରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, ସୁକିନ୍ଦାରେ ଥିବା ଦୁଇଟି ବାସୋପଯୋଗୀ ପ୍ଲଟ(୫୭ ଲକ୍ଷ), ଟାଟା ଇଣ୍ଡିଗୋ(ଏଫସିଏସ୍)କାର, ଦୁଇଟି ମଟର ସାଇକଲ, ଗୋଟିଏ ଜୁପିଟର ସ୍କୁଟର, ୧୩ ଲକ୍ଷ ୧୧ ହଜାର ୮୪୭ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ରାଶି, ୪୬୧ ଗ୍ରାମ ସୁନା ଅଳଙ୍କାର, ନଗଦ ୭୧ ହଜାର ଟଙ୍କା, ୫ଲକ୍ଷ ୪୦ ହଜାର ଟଙ୍କାର ଗୃହୋପକରଣ ଠାବ କରାଯାଇଥିଲା। ଚଢ଼ଉରେ ଢେ଼ଙ୍କାନାଳ ଭିଜିଲାନ୍ସ ଡିଏସ୍‌ପି ପିକେ ସିହ୍ନା, ଆରକ୍ଷୀ ନିରୀକ୍ଷକ ଏସ୍‌କେ ମିଶ୍ର, ଯାଜ୍ଞସେନୀ ପ୍ରଧାନ, ସେକେ ନାୟକ, କଲ୍ୟାଣୀ ପଣ୍ତା, କେନ୍ଦ୍ରାପଡା ଡିଏସ୍‌ପି ସୁରେନ୍ଦ୍ର ନାଥ ରାୟଗୁରୁ ,ଆରକ୍ଷୀ ନିରୀକ୍ଷକ ହେମନ୍ତ କୁମାର ବୈଦ୍ୟ, ଲକ୍ଷ୍ମୀପ୍ରୀୟା ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ। ସୂଚନା ଥାଉକି, କାଳିଆପାଣି କ୍ରୋମ ଉପତ୍ୟକାରେ କୋଟି କୋଟି ଟଙ୍କା ବଟି ଆଦାୟ ଖବର ବାରମ୍ବାର ‘ସମ୍ବାଦ’ରେ ପ୍ରକାଶ ପାଇଆସୁଛି। ଆଜିର ଭିଜିଲାନସ ଚଢ଼ଉ ପରେ ବଟି ଆଦାୟ ଘଟଣା ସ୍ପଷ୍ଟ ହୋଇଛି। ‘ମାମୁଲି’ ନାଁରେ କ୍ରୋମ୍ ଉପତ୍ୟକାର ସବୁ କ୍ରୋମାଇଟ୍ ଖଣିରୁ ପରିବହନ ବେଳେ ସମସ୍ତ ଟ୍ରକରୁ ବଟି ଆଦାୟ ଏକ ଅଭ୍ୟାସରେ ପଡ଼ିଯାଇଥିବା ସାଧାରଣରେ ଅଭିଯୋଗ ହୋଇଆସିଛି।

ସମ୍ବନ୍ଧିତ ଖବର