ଦୁର୍ନୀତି ବିରୋଧରେ ସାଧାରଣ ଲୋକ ସ୍ବର ଉତ୍ତୋଳନ କରନ୍ତୁ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଭିଜିଲାନ୍ସ ସଚେତନତା ସପ୍ତାହ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ସାଧାରଣ ଲୋକ ସ୍ବର ଉତ୍ତୋଳନ କଲେ ସ୍ବଚ୍ଛତା ଆସିବା ସହ ସରକାରଙ୍କୁ ସହଯୋଗ ମିଳିବ। ମୋର ସରକାର ଦୁର୍ନୀତି ବିରୋଧରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏଥିପାଇଁ ୫-ଟି ଯୋଜନା ଲାଗୁ କରାଯାଇଛି। ମୋର ସରକାର ଉତ୍ତମ ପ୍ରଶାସନ, ସ୍ବଚ୍ଛ ଶାସନ ଓ ଦୁର୍ନୀତି ବିରୋଧରେ ଅହରହ କାର୍ଯ୍ୟ କରି ଆସୁଛି। ସେଥିପାଇଁ ଦୁର୍ନୀତି ବିରୋଧରେ ଆମେ ‘ଜିରୋ ଟଲରାନ୍ସ’ ବା ଶୂନ୍ୟ ସହନଶୀଳତା ନୀତି ଆପଣାଇଛୁ। ମୋ‌ର ସରକାର ମାଧ୍ୟମରେ ସାଧାରଣ ଲୋକ କିଭଳି ସେମାନଙ୍କ ଅଧିକାରୀ ସାବ୍ୟସ୍ତ କରିବେ, ସେ ଦିଗରେ ମଧ୍ୟ ଆମେ ଯତ୍ନବାନ ଅଛୁ। ଆଜି ରବୀନ୍ଦ୍ର ମଣ୍ଡପଠାରେ ରାଜ୍ୟସ୍ତରୀୟ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ବିଭିନ୍ନ ସ୍କୁଲ, କଲେଜରେ ଇଣ୍ଟିଗ୍ରିଟି କ୍ଲବ ଗଠନ କରାଯାଇ ଦୁର୍ନୀତି ନିବାରଣ ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଛି। ପଞ୍ଚାୟତସ୍ତରରେ ଗ୍ରାମସଭା କରାଯାଇ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ମଧ୍ୟ ସେଚତନତା କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଜିଲାନ୍ସର କର୍ମଚାରୀ ଓ ସେମାନଙ୍କ କାମକୁ ଅନେକ ପ୍ରଶଂସା କରିଥିଲେ। ଭୁବନେଶ୍ବରରେ ଏକ ଭିଜିଲାନ୍ସ ଏକାଡେମି ଓ ରାଉରକେଲାରେ ନୂଆ ଭିଜିଲାନ୍ସ ଡିଭିଜନ୍‌ ପ୍ରତିଷ୍ଠା ହେବା ପରେ ଭିଜିଲାନ୍ସର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର, ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ, ଭିଜିଲାନ୍ସ ଆଇଜି ପିଏସ ରଣପିସେ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ୍‌ ଭାବେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍‌, ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍‌ର ଇନ୍ସପେକ୍ଟର ସଦାନନ୍ଦ ପାଣି, କଟକ ଭିଜିଲାନ୍ସ ଡିଭିଜନ୍‌ ଇନ୍ସପେକ୍ଟର ଅନସୂୟା ସେନାପତି, ଭୁବନେଶ୍ବର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପିପି ତଥା ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ସ୍ବାଇଁ, ଝାରସୁଗୁଡ଼ା ଭିଜିଲାନ୍ସ ଡିଭିଜନ୍‌ ଡିଏସ୍‌ପି ଦିଲ୍ଲୀପ କୁମାର କର ଓ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର