୧୪ ବର୍ଷରେ ୩୧ ଆଇଏଏସଙ୍କ ବିରୋଧରେ ଭିଜିଲାନ୍‌ସ କେସ୍‌: ମାତ୍ର ୨ ଜଣ ଦୋଷୀ ସାବ୍ୟସ୍ତ

ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମିଳିବାକୁ ଲାଗିଲା ୫ ବର୍ଷ

୨୦୦୦ରୁ ୨୦୧୪ ମସିହାରେ କେତେ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ଭିଜିଲାନ୍‌ସ କେସ୍‌ ହୋଇଛି ଓ ତାର ସ୍ଥିତି କଣ? ୫-ଟିକୁ କାର୍ଯ୍ୟକାରୀ କରିବାକୁ ସରକାର ଜୋର ଦେଉଥିବା ବେଳେ ଆଇଏଏସ୍‌ ଅଫିସରଙ୍କ ଉପରେ ଚାଲିଥିବା ଭିଜିଲାନ୍‌ସ ମାମଲାର ସ୍ଥିତି ଜାଣିବା ପାଇଁ ଲାଗିଲା ୫ ବର୍ଷ। ଶେଷରେ ସୂଚନା ଅଧିକାର ବଳରେ ଜଣାପଡ଼ିଛି। ସେହି ୧୪ ବର୍ଷରେ ୩୧ ଆଇଏଏସଙ୍କ ବିରୋଧରେ ଭିଜିଲାନ୍‌ସ କେସ୍‌ ହୋଇଥିବା ବେଳେ ମାତ୍ର ୨ ଜଣ ଦୁଇଟି କେସରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବର୍ଷ ବର୍ଷ ଧରି ଚାଲିଛି କେସ୍‌। ସରକାର ମାମଲା ପରିଚାଳନାରେ ତତ୍ପରତା ଦେଖାଉନାହାନ୍ତି।

ସୂଚନା ଅଧିକାର ଆଇନ ବଳରେ ଏ ନେଇ ରିପୋର୍ଟ ମଗା ଯାଇଥିଲା। ହେଲେ ଉତ୍ତର ମିଳିଲା ୨୦୧୯। ଏହାରି ଭିତରେ କିଛି ଅଧିକାରୀ ଅବସର ନେଇ ସାରିଛନ୍ତି ତ ଆଉ କେତେ ଜଣଙ୍କର ଚାକିରି ଶେଷ ପର୍ଯ୍ୟାୟରେ ପହଁଚିଛି। ଆରଟିଆଇ ତଥ୍ୟ କହୁଛି ୨୦୦୦ ମସିହାରୁ ୨୦୧୪ ମସିହା ଭିତରେ ଦୁର୍ନୀତି ଅଭିଯୋଗରେ ରାଜ୍ୟରେ ୩୧ଜଣ ଆଇଏଏସଙ୍କ ବିରୋଧରେ ଭିଜିଲାନ୍‌ସ ମାମଲା ହୋଇଛି। ସେଥିରୁ ମାତ୍ର ୨ ଜଣ ଦୁଇଟି ମାମଲାରେ ଦଣ୍ଡିତ ହୋଇଛନ୍ତି।

ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସଂଜୀବ ରାୟ । ୨୦୦୧ରେ ଭିଜିଲାନ୍‌ସ ମାମଲା ହୋଇଥିଲା। ୧୦ ବର୍ଷ ପରେ ସେ ଦଣ୍ଡିତ ହୋଇଥିଲେ। ସରକାର ତାଙ୍କର ଗଣ୍ଡମୁଣ୍ଡାରେ ଥିବା ଦୁଇ ମହଲା ଘରକୁ ଜବତ କରି ହୋମିଓପାଥି ଡିସପେନ୍‌ସରୀ କରିଦେଇଥିଲେ। ଅନ୍ୟଜଣେ ହେଲେ ଆଇଏଏସ୍‌ ବିନୋଦ କୁମାର। ସେ ଓଡ଼ିଶା ଗ୍ରାମ୍ୟ ଗୃହ ବିକାଶ ନିଗମ ବା ଓଆରଏଚଡିସିରେ ଏମ୍‌ଡି ଥିବା ବେଳେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ପାଇଁ ଦଣ୍ଡିତ ହୋଇଥିଲେ। ୨୦୦୬-୦୭ରେ ତାଙ୍କ ନାଁରେ ଭିଜିଲାନ୍‌ସ ମାମଲା ହୋଇଥିବା ବେଳେ ତାଙ୍କୁ ୨୦୧୮ରେ ସେ ଦଣ୍ଡିତ ହୋଇଥିଲେ।

ଅନେକଙ୍କ କ୍ଷେତ୍ରରେ ତଦନ୍ତ ପରେ ୧୦ରୁ ଅଧିକ ବର୍ଷ ହେଲା ମାମଲାର ଫାଇନାଲ୍‌ ରିପୋର୍ଟ କିମ୍ବା ଚାର୍ଜସିଟ୍‌ କୋର୍ଟରେ ପଡ଼ି ରହିଛି। ନା ମାମଲା ଆଗକୁ ବଢୁଛି, ନା ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। ଏପରିକି ସୂଚନା ଅଧିକାର ଆଇନରେ ତଥ୍ୟ ମିଳିବା ମଧ୍ୟ ସହଜ ହେଉନାହିଁ। ସବୁଠାରୁ ବଡ଼ କଥା ହେଲା, ସରକାର ୫-ଟି କଥା କହୁଥିବା ବେଳେ ସ୍ୱଚ୍ଛତା ଓ ସମୟ ଉପରେ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଏଥିରୁ ଜଣାପଡ଼ୁଛି।

ସମ୍ବନ୍ଧିତ ଖବର