ଲାଞ୍ଚ ନେଇ ଧରାପଡ଼ିଲେ ନିର୍ଦ୍ଦେଶକ, କାରଖାନା ଲାଇସେନ୍ସ ପାଇଁ ନେଉଥିଲେ ୫୦ ହଜାର ଟଙ୍କା

ଭୁବନେଶ୍ବର: କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ନିର୍ଦ୍ଦେଶକ ତଥା ମୁଖ୍ୟ ନୀରିକ୍ଷକ ସତ୍ୟ ନାରାୟଣ ସେଠୀ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ଶ୍ରୀ ସେଠୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗୋପାଳପୁରରେ ପାନ୍ନା ସିମେଣ୍ଟ୍‌ ଇଣ୍ଡଷ୍ଟ୍ରିଜ୍‌ର କାରଖାନା ଲାଇସେନ୍ସ ପାଇଁ ସୁଶାନ୍ତ କୁମାର ବିହାରୀ ଆବେଦନ କରିଥିଲେ। ଏଥିପାଇଁ ନିର୍ଦ୍ଦେଶକ ଶ୍ରୀ ସେଠୀ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସୁଶାନ୍ତ ଭିଜିଲାନ୍ସର ଦ୍ବାରସ୍ଥ ହେଲା ପରେ ଭିଜିଲାନ୍ସ ଜାଲ ବିଛାଇଥିଲା। ଶ୍ରୀ ସେଠୀ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ପ୍ୟାଣ୍ଟ୍‌ ପକେଟ୍‌ରୁ ଏହି ଲାଞ୍ଚ ଅର୍ଥ ବାହାରିଥିଲା। ତାଙ୍କ ପ୍ୟାଣ୍ଟ୍‌ ପକେଟ୍‌ ଓ ଦୁଇ ହାତ ଧୋଇଲା ପରେ ଟଙ୍କାରେ ପୂର୍ବରୁ ଲାଗିଥିବା କେମିକାଲ୍‌ ଯୋଗୁ ସେସବୁ ନାଲି ହୋଇଯାଇଥିଲା। ଫଳରେ ଟଙ୍କା ନେଇଥିବା ପ୍ରମାଣିତ ହେବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହାପରେ ଶ୍ରୀ ସେଠୀଙ୍କ ଶୈଳଶ୍ରୀବିହାରସ୍ଥିତ ଘରେ ଚଢ଼ାଉ କରାଯାଇଛି।

ସମ୍ବନ୍ଧିତ ଖବର