କାମାକ୍ଷାନଗର/ପର୍ଜଙ୍ଗ: ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟର୍‌ ଓ ହାତୀ ସ୍କ୍ବାଡ୍‌ର ଜଣେ ସଦସ୍ୟ। ମହାବିରୋଡ଼ ରେଞ୍ଜ କୁଟୁରିଆ ଗ୍ରାମର ବଳରାମ ସାହୁଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଫରେଷ୍ଟର୍‌ ବିଶ୍ୱନାଥ ସୋରେନ ଓ ହାତୀ ସ୍କ୍ବାଡ୍‌ର ସଦସ୍ୟ ସନ୍ଦୀପ୍ତ କୁମାର ସାହୁଙ୍କୁ ଭିଜିଲାନ୍ସ ଧରିଛି। 

Advertisment

ସୂଚନା ଅନୁସାରେ, ଗରିବ କୃଷକ ବଳରାମ ସାହୁଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥି‌ଲେ। ଏକ ଜମିକୁ ଶ୍ରୀ ସାହୁ ନିଜ ଅକ୍ତିଆରରେ ରଖିଥିଲା ବେଳେ ଏହାକୁ ନେଇ ତାଙ୍କ ନାମରେ ମାମଲା କରିବାକୁ ଧମକ ଦେଇ ଆଗରୁ ୧୫ ହଜାର ଟଙ୍କା ନେଇଥିଲେ। ବାକି ୧୦ ହଜାର ଟଙ୍କା ଆଜି ଦେବା ପାଇଁ ସ୍ଥିର ହୋଇଥିଲା। ନ ହେଲେ ତାଙ୍କ ଜିନିଷପତ୍ର ସବୁ ଜବତ କରିବାକୁ ଫରେଷ୍ଟର୍‌ ଚେତାବନୀ ଦେଇଥିଲେ। ହେ‌ଲେ ଏତେ ଟଙ୍କା ଦେବାକୁ ଶ୍ରୀ ସାହୁ ଅକ୍ଷମତା ପ୍ରକାଶ କରିଥି‌ଲେ। ପରେ ଏ ସଂପର୍କରେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ଆଜି ବନ ବିଭାଗ କାର୍ଯ୍ୟାଳୟରେ ହାତୀ ସ୍କ୍ବାଡ୍‌ର ଜଣେ ସଦସ୍ୟଙ୍କ ସହଯୋଗରେ ଫରେଷ୍ଟର୍‌ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲେ। ଉଭୟଙ୍କୁ ଭିଜିଲାନ୍‌ସ ଅଧିକାରୀମାନେ ଅନୁଗୁଳ ନେଇ ଯାଇଛନ୍ତି।  ଫରେଷ୍ଟର୍‌ଙ୍କ କାମାକ୍ଷାନଗର ଜିରିଡ଼ାମାଳି ଭଡ଼ାଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ଚଢ଼ଉ ଶେଷ ହେବା ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି। ସେହିପରି ହାତୀ ସ୍କ୍ବାଡ୍‌ର ସଦସ୍ୟଙ୍କ ଘରେ ମଧ୍ୟ ଚଢ଼ଉ ହେଉଛି। ଭିଜିଲାନ୍‌ସର ଅନୁଗୁଳ ଓ କଟକର ୨ଟି ଟିମ୍ ଚଢ଼ଉରେ ସାମିଲ ଅଛନ୍ତି।