କଟକ : ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ପୁଲିସ ଏଡିଜି ଡକ୍ଟର ଦେବାଶିଷ ପାଣିଗ୍ରାହୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତ ସପ୍ତାହରୁ ସେ କଟକର କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବାବେଳେ ଗତକାଲିଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇଛି। ଉଚ୍ଚତର ଚିକିତ୍ସା ପାଇଁ ଆସନ୍ତାକାଲି ତାଙ୍କୁ ହାଇଦ୍ରାବାଦ୍ ପଠାଯିବ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଡକ୍ଟର ପାଣିଗ୍ରାହୀ କରୋନା ଆକ୍ରାନ୍ତ ହୋଇ ଗତ ମେ ୨୯ତାରିଖ ଦିନ କଟକର ଅଶ୍ବିନୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ତେବେ, ଡାକ୍ତରଖାନାରେ ଭର୍ତ୍ତି ହେବାର ଦିନେ/ଦୁଇଦିନ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାକୁ ଲାଗିଥିଲା। ଆଇସିୟୁ ଓ ଭେଣ୍ଟିଲେଟର୍ରେ ରଖାଯାଇ ଚିକିତ୍ସା କରାଯାଇଥିଲେ ବି କ୍ରମାଗତ ଭାବେ ତାଙ୍କ ଅକ୍ସିଜେନ୍ ସ୍ତର କମିଥିଲା। ଚିକିତ୍ସା ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ହାଇଦ୍ରାବାଦ୍କୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ହାଇଦ୍ରାବାଦ୍ର ହସ୍ପିଟାଲ୍ ସହ ଯୋଗାଯୋଗ କରାଯାଇଛି। ଆସନ୍ତାକାଲି ତାଙ୍କୁ ଏୟାର୍ ଆମ୍ବୁଲାନ୍ସରେ ହାଇଦ୍ରାବାଦ୍ ପଠାଯିବ ବୋଲି ସୂଚନା ମିଳିଛି।