ଭୁବନେଶ୍ବର : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ ପଦ୍ମାବତୀ ଗ୍ରାମ ପଞ୍ଚାୟତରେ ପୋଖରୀ ଓ ନଳକୂଅ ଖୋଳାରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ତଦନ୍ତ ଲାଗି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ନୟାଗଡ଼ ଡିଏସ୍‌ପି(ଭିଜିଲାନ୍‌ସ) ଘଟଣାର ତଦନ୍ତ କରି ଏ ସଂପର୍କିତ ରିପୋର୍ଟ ଭୁବନେଶ୍ବରସ୍ଥିତ ଭିଜିଲାନ୍‌ସ ଏସ୍‌ପିଙ୍କୁ ପ୍ରଦାନ କରିବା ଲାଗି ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ପରେ ଏହି ଦୁର୍ନୀତି ଅଭିଯୋଗ ପ୍ରସଙ୍ଗଟି ଏବେ ଭିନ୍ନ ମୋଡ଼ ନେଇଛି।

Advertisment

ଆବେଦନକାରୀ ରବୀନ୍ଦ୍ରନାଥ ସାହୁଙ୍କ ଅଭିଯୋଗ ମୁତାବକ ପଦ୍ମାବତୀ ଗ୍ରାମ ପଞ୍ଚାୟତରେ ୨୦୧୭ରୁ ୨୦୨୨ ମସିହା ଭିତରେ ପୋଖରୀ, ନଅକୂଳ ଖୋଳାରେ ୪ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏଥିରେ ସରପଞ୍ଚ ଲକ୍ଷ୍ମୀପ୍ରିୟା ସାହୁ, ସମିତି ସଭ୍ୟ ସୁବାସ ଚନ୍ଦ୍ର ବାରିକ, ଜିଆରଏସ୍‌ ଶ୍ରୀଧର ନାୟକ, ଉପାଧ୍ୟକ୍ଷ ଗୟାଧର ପରିଡ଼ା, ଯୋଗେନ୍ଦ୍ର କୁମାର ସ୍ବାଇଁ ଓ ସରପଞ୍ଚଙ୍କ ସ୍ବାମୀ ଶ୍ରୀକାନ୍ତ ସାହୁ ସାମିଲ ଅଛନ୍ତି। ଏହି ସମୟ ଭିତରେ ୯୮ଟି ପୋଖରୀ, ୫୯ଟି ନଳକୂଅ ଖୋଳିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏ ବାବଦରେ ମଞ୍ଜୁର ଅର୍ଥ ଆତ୍ମସାତ କରାଯାଇଛି। ଧାର୍ଯ୍ୟ ୯୮ଟି ଭିତରୁ ୧୦ଟି ପୋଖରୀ, ୫୯ଟି ନଳକୂଅ ମଧ୍ୟରୁ ୯ଟି ଖୋଳା ଯାଇଥିବା ବେଳେ ମିଛ ବିଲ୍‌ ପ୍ରସ୍ତୁତ କରି ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଯାଇଛି। ଯେଉଁ ହିତାଧିକାରୀଙ୍କ ନାଁରେ ମିଛ ବିଲ୍‌ କରାଯାଇଛି ସେମାନେ ହେଉଛନ୍ତି ଭୂମିହୀନ ଓ ‌ଏହି ପ୍ରକଳ୍ପ ପାଇବା ଲାଗି ସେମାନେ ଆବେଦନ କରିଥିଲେ।

ପଞ୍ଚାୟତରେ ହୋଇଥିବା ଏହି ଦୁର୍ନୀତି ନେଇ ଆବେଦନକାରୀଙ୍କ ପକ୍ଷରୁ ୬ମାସ ପୂର୍ବରୁ ଭିଜିଲାନ୍‌ସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ତଦନ୍ତ ଦୂରର କଥା ମାମଲା ପଞ୍ଜୀକୃତ ମଧ୍ୟ ହୋଇ ନ ଥିଲା। ବାଧ୍ୟ ହୋଇ ଆବେଦନକାରୀ ଗତ ଜାନୁଆରି ମାସରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ନୟାଗଡ଼ ଭିଜିଲାନ୍‌ସ ଡିଏସ୍‌ପିଙ୍କୁ ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଥିବା ବେଳେ ତଦନ୍ତ ବେଳେ ଆବେଦନକାରୀଙ୍କୁ ତଦନ୍ତରେ ସହଯୋଗ କରିବା ସହିତ ସମସ୍ତ କାଗଜପତ୍ର ପ୍ରଦାନ ଲାଗି ନିର୍ଦେଶ ଦେଇଛନ୍ତି। ଚଳିତମାସ ୧୦ତାରିଖରେ ମାମଲାର ପରବର୍ତୀ ଶୁଣାଣି କରାଯିବ।