ଭୁବନେଶ୍ବର: ବିଜେପି ସରକାର ବର୍ଷକ ମଧ୍ୟରେ ବହୁ ବରିଷ୍ଠ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଚଢ଼ଉ କଲେଣି। ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଛନ୍ତି। କିନ୍ତୁ ପିସି କାରବାର ବନ୍ଦ ହେଉନି। ବିଶେଷ କରି ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ଏବେ ବି ଖୋଲାଖୋଲି ପିସି କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏହା ଉପରେ ରୋକ୍ ଲଗାଇବାକୁ ଏବେ ସରକାର ବଡ଼ ଯୋଜନା କରିଛନ୍ତି। ଯେପରି ‌କୌଣସି ଦୁର୍ନୀତିଖୋର୍ ଯନ୍ତ୍ରୀ ଖସି ନଯାଆନ୍ତି, ସେଥିପାଇଁ ଭିଜିଲାନ୍ସ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ନିକଟରେ ମୁଖ୍ୟଯନ୍ତ୍ରୀ ପାହ୍ୟାର କେତେକ ଯନ୍ତ୍ରୀଙ୍କ ଘରେ ଅବସରର କିଛି ଦିନ ପୂର୍ବରୁ ହଠାତ୍ ଚଢ଼ାଉ ହୋଇଥିବାବେଳେ ଏବେ କେଉଁ ଯନ୍ତ୍ରୀ କେଉଁ ମାସରେ ଅବସର ନେବେ ତା’ର ତାଲିକା ଭିଜିଲାନ୍ସକୁ ଧରାଇ ଦିଆଯାଇଛି। ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି କୌଣସି ଯନ୍ତ୍ରୀଙ୍କ ନାମରେ ଭିଜିଲାନ୍ସ ପାଖରେ ପିଟିସନ୍ ପଡ଼ିଛି ସେଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରିବାକୁ କୁହାଯାଇଛି। ଏପରିକି କୌଣସି ବିଭାଗରେ ଯଦି ଅଧିକାରୀମାନେ ଦୁର୍ନୀତିରେ ଲିପ୍ତ ଥିବା ଆଭାସ ମିଳୁଛି ତେବେ ଏ ନେଇ ଭିଜିଲାନ୍ସ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି। ଏହାକୁ ଭିତ୍ତି କରି ଅବସର ପୂର୍ବରୁ ଚଢ଼ାଉ କରି ଆୟ ବର୍ହିଭୂତ ସମ୍ପତ୍ତି ଜବତ କରିବାକୁ ଭିତିରିଆ ନିର୍ଦ୍ଦେଶ ଦିଆଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଜଳସମ୍ପଦ ବିଭାଗ ପକ୍ଷରୁ ୨୦୨୫ ମସିହାରେ କେଉଁ ଯନ୍ତ୍ରୀମାନେ ଅବସର ନେବେ ତା’ର ଏକ ତାଲିକା ଡିସେମ୍ବର, ୨୦୨୪ରେ ପ୍ରସ୍ତୁତ କରାଯାଇଥିଲା। ଏଥିରେ ସେମାନଙ୍କର ଅବସରଜନିତ କିଛି ଅଭିଯୋଗ ଥିଲେ ଜଣାଇବାକୁ କୁହାଯାଇଥିଲା। କିନ୍ତୁ ଗତ ସପ୍ତାହରେ ହଠାତ୍ ଏହି ତାଲିକାକୁ ଭିଜିଲାନ୍ସ ବିଭାଗକୁ ପଠାଇ ଦିଆଯାଇଛି। ସରକାରୀ ଅଧିକାରୀଙ୍କର ଅବସର ପୂର୍ବରୁ ଭିଜିଲାନ୍ସ କ୍ଲିୟରାନ୍ସ ଆଣିବା ବାଧ୍ୟତାମୂଳକ ଥିବାରୁ ଏହି ତାଲିକା ପଠାଯାଇଛି ବୋଲି ଜଳସମ୍ପଦ ବିଭାଗର ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ଭିଜିଲାନ୍ସ କ୍ଲିୟରାନ୍ସ ପାଇଁ ଅଧିକାରୀମାନଙ୍କର ଗୋଟିକିଆ ଫାଇଲ୍ ପଠାଯାଉଥିବାବେଳେ ଏବେ କାହିଁକି ସମସ୍ତ ଅଧିକାରୀଙ୍କ ତାଲିକା ପଠାଗଲା, ତା’ ବାବଦରେ ସେ କିଛି କହିନାହାନ୍ତି। 

ଜଳସମ୍ପଦ ବିଭାଗ ହଠାତ୍ ତାଲିକା ପଠାଇବା ପରେ ବଢ଼ିଲା ଚର୍ଚ୍ଚା
ଭିଜିଲାନ୍ସ କ୍ଲିୟରାନ୍ସ ନା ଆଉ କିଛି?

ଏହି ତାଲିକାରେ ଜାନୁଆରିରୁ ଡିସେମ୍ବର, ୨୦୨୫ ମଧ୍ୟରେ କେଉଁ ଯନ୍ତ୍ରୀ କେଉଁ ମାସରେ ଅବସର ନେବେ ତା’ର ତାଲିକା ରହିଛି। ଏବେ ଜୁଲାଇରୁ ଡିସେମ୍ବର ମଧ୍ୟରେ ୩୧ ଜଣ ଯନ୍ତ୍ରୀ ଅବସର ନେବାକୁ ଥିବାବେଳେ ଏଥିରେ ମୁଖ୍ୟଯନ୍ତ୍ରୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀମାନେ ଅଛନ୍ତି। ତେଣୁ ନିକଟରେ ଅବସର ନେବାକୁ ଥିବା ଅଧିକାରୀମାନେ ଭିଜିଲାନ୍ସ ରାଡାର୍‌ରେ ଅଛନ୍ତି ବୋଲି କୁହାଯାଉଛି। କେବଳ ଜଳସମ୍ପଦ ନୁହେଁ, ପୂର୍ତ୍ତ, ଗୃହନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଇଡ୍‌କୋ, ଗ୍ରାମ୍ୟ ଉନ୍ନୟନ ସମେତ ସମସ୍ତ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଉପରେ ଭିଜିଲାନ୍ସର ନଜର ରହିଛି। ଭିଜିଲାନ୍ସର କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନଜର ରଖୁଛନ୍ତି କେଉଁ ଯନ୍ତ୍ରୀ କାହାଠାରୁ କେମିତି ପିସି ଆଦାୟ କରୁଛନ୍ତି, ଯନ୍ତ୍ରୀ ହାତାହାତି ପିସି ନେଉଛନ୍ତି ନା ଆଉ କିଏ ତାଙ୍କ ପାଇଁ ପିସି ସଂଗ୍ରହ କରୁଛନ୍ତି। ଏପରିକି କାହାର କେତେ ସମ୍ପତ୍ତି, କିଏ ନିଜ ନାମରେ କେତେ ସମ୍ପତ୍ତି କରିଛନ୍ତି ଏବଂ ଆଉ କାହା ନାମରେ କେତେ କରିଛନ୍ତି, ସେ ନେଇ ମଧ୍ୟ ରେକର୍ଡ ସଂଗ୍ରହ କରୁଛନ୍ତି।

ଭିଜିଲାନ୍ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆମ ପାଖରେ ପ୍ରତିଦିନ ଶହଶହ ପିଟିସନ୍ ପଡ଼ୁଛି। ଏହାବାଦ୍ ସମସ୍ତ ବିଭାଗରେ ଦାୟିତ୍ବପ୍ରାପ୍ତ ଭିଜିଲାନ୍ସ ଅଧିକାରୀମାନଙ୍କୁ କିପରି ‌ସେମାନେ ସେମାନଙ୍କ ବିଭାଗର ଦୁର୍ନୀତିଗସ୍ତ ଅଧିକାରୀଙ୍କ ଉପରେ ନଜର ରଖିବେ, ସେ ବାବଦରେ ତାଲିମ୍ ଦେଉଛୁ। ବିଭିନ୍ନ ସରକାରୀ ଅଡିଟ୍ ସମୟରେ ଧରାପଡ଼ୁଥିବା ଆର୍ଥିକ ହେରଫେର୍‌ରେ କିଏ ସଂପୃକ୍ତ ଅଛନ୍ତି ତା’ଉପରେ ନଜର ରଖାଯାଉଛି। ଯଦି ଏସବୁରେ କାହାର ଦୁର୍ନୀତି ଧରାପଡ଼ିବ ‌ତେବେ ଅବସର ପୂର୍ବରୁ ସେମାନଙ୍କ ଉପରେ ଚଢ଼ାଉ କରାଯିବ। ଏହାସହ ସେ କହିଛନ୍ତି ଯେ ଯେଉଁମାନେ ଅବସର ନେବାର ଅଛି ସେମାନଙ୍କ ଉପରେ ଚଢ଼ାଉ ହେବ ବୋଲି କହିହେବନି। ଯେଉଁ ପିଟିସନ୍ ସବୁ ଆସୁଛି ସେଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯାଉଛି। ଅଭିଯୋଗ ପ୍ରମାଣିତ ହେବା ପରେ ଆମେ ରେଡ୍‌ କରୁଛୁ। ଅବସର ପରେ ବି ୪ବର୍ଷ ପର୍ଯ୍ୟନ୍ତ ଭିଜିଲାନ୍ସ ଚଢ଼ଉ କରିପାରିବ। କିନ୍ତୁ କେସ୍‌କୁ ମଜଭୁତ କରିବା ପାଇଁ ଚାକିରି ଥିବା ସମୟରେ ଚଢ଼ଉ କରିବାକୁ ଅଗ୍ରାଧିକାର ଦେଉ। ଏବେ ମୁଖ୍ୟମନ୍ତ୍ରୀ ଦୁର୍ନୀତିଗସ୍ତ ଅଧିକାରୀଙ୍କୁ କୌଣସି ପରିସ୍ଥିତିରେ ନ ଛାଡ଼ିବାକୁ କହୁଥିବାରୁ କ୍ଲାସ୍-୧ ଅଧିକାରୀଙ୍କ ବାସଭବନରେ ଚଢ଼ଉ କରିବାକୁ ଶୀଘ୍ର ଅନୁମତି ମିଳୁଛି। ଯାହା ଗତ କିଛି ମାସର ଭିଜିଲାନ୍ସ ରେଡ୍ ଦେଖିଲେ ଜାଣିପାରିବେ।