ଯାଜପୁର/କବାଟବନ୍ଧ : ଯାଜପୁର ଜିଲ୍ଲାରେ ଆଜି ଭିଜିଲାନ୍ସ ଓ ବନ ବିଭାଗ ଅଧିକାରୀ ମିଳିତ ଚଢ଼ଉ କରି ୨ଟି ସ୍ଥାନରୁ ୪ଟି ଗାଡ଼ି ଓ ଗୋଟିଏ ଜେସିବି ଜବତ କରିବା ସହିତ ୫ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ମୋରମ ଓ କଳାପଥର ଚୋରା ଚାଲାଣ ଘଟଣାରେ ମୋଟ ୧କୋଟି ୧୦ଲକ୍ଷ ୩୭ହଜାର ୪ଶହ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଅପରପକ୍ଷରେ ବିଛାଖଣ୍ଡିରେ ଧର୍ମଶାଳା ତହସିଲ ଓ ଜେନାପୁର ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ଏଠାରୁ କେବଳ ହିଟାଚି ମେସିନ ଓ କମ୍ପ୍ରେସର ଜବତ ହୋଇଥିବା ବେଳେ ​କାହାକୁ ଧରାଯାଇ ନାହିଁ।
ରାଜ୍ୟ ଭିଜିଲନ୍ସର ବନ ଶାଖା(କଟକ) ନେତୃତ୍ବରେ ଡାଳିଯୋଡ଼ା ରେଞ୍ଜ ଜଙ୍ଗଲ ବିଭାଗର କର୍ମଚାରୀ ଓ ପୁଲିସ ଫୋର୍ସ ଦର୍ପଣ ତହସିଲ ତଥା ବୈରୀ ଥାନା ଅଞ୍ଚଳର ଅମିୟଝାରି ଅଞ୍ଚଳରେ ଚଢ଼ଉ କରି ମୋରମ ବୋଝେଇ ୨ଟି ଟାଟା ହାଇୱା (ଓଡି- ୧୯ଇ ୮୧୮୬), ଅଶୋକ ଲିଲାଣ୍ଡ(ଓଆର ୦୨ ଏପି -୨୪୧୫) ଓ ଏକ ଜେସିବ ଜବତ କରିଛନ୍ତି। ଏହି ଘଟଣାରେ ଡ୍ରାଇଭର ସିଲୁ ବେହେରା(ଚୌଦ୍ବାର), ସୁରେନ୍ଦ୍ର ଯାଦବ(କଟକ), ରଞ୍ଜନ ପ୍ରଧାନ( ବଡ଼ଚଣା) ଗିରଫ ହୋଇଛନ୍ତି। ସେହିପରି ବେଆଇନ କଳାପଥର ପରିବହନ କରୁଥିବ ଦୁଇଟି ଟ୍ରକ (ଓଆର୦୯ କ୍ୟୁ ୫୧୯୬ , ଓଆର ୦୯ଇ ୧୮୯୮) ଚଣ୍ଡିଖୋଲ ନିକଟରୁ ଜବତ କରିଛନ୍ତି। ଏହି ଘଟଣାରେ ଡ୍ରାଇଭର ସନ୍ତୋଷ କୁମାର ପାତ୍ର( ପଦ୍ମନାଭପୁର), ଗଣେଶ ଦାସ( ନାକପୋଲ)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ସମ୍ପତ୍ତିର ମୂଲ୍ୟ ୧କୋଟି ୧୦ଲକ୍ଷ ୩୭ହଜାର ୪ଶହ ଟଙ୍କା ହେବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି।
ଆଜିର ଚଢ଼ଉରେ ଡିଏଫଓ(ଭିଜିଲାନ୍ସ ଶାଖା) ଆର କେ ମହାନ୍ତିଙ୍କ ପରାମର୍ଶରେ ଡିଏସ୍ପି ରବୀନ୍ଦ୍ରକାନ୍ତ ସୋନା, ଇନ୍ସପେକ୍ଟର ବିଜୟ କୁମାର ସେଠୀ, ବଲାଇ ମୁର୍ମୁ, ଆରକେ ସ୍ବାଇଁ, ପ୍ରଶାନ୍ତ କୁମାର ବେହେରା, ରେଞ୍ଜର ଅଭିମନ୍ୟୁ ଜେନା, ଶଶିକାନ୍ତ ବେହେରା, ମନିକା ମୁ୍ଣ୍ଡା, କୃଷ୍ଣଚନ୍ଦ୍ର ଟୁଡୁ, ସଂଜିବ କୁମାର ବାଇପେଇ, ଅଶ୍ବିନୀ କୁମାର ସାହୁ ଓ ଏପିଆର ଫୋର୍ସ ସାମିଲ ହୋଇଥିଲେ। ଦୀର୍ଘ ଦିନ ହେଲା ଏହି ମୋରମ କାରବାର ଏଠାର ଚାଲିଥିବା ବେଳେ ବୈରୀ ଥାନା ପୁଲିସ ଓ ଦର୍ପଣ ତହସିଲ କିପରି ଜାଣି ପାରୁନଥିଲେ ବୋଲି ପ୍ରଶ୍ନ ହେଉଛି।
ସେହିପରି ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ତି ପାହାଡ଼ରେ ରାଜସ୍ବ ବିଭାଗ ଓ ଜେନାପୁର ପୁଲିସ ପକ୍ଷରୁ ଆଜି ମିଳିତ ଚଢ଼ଉ କରାଯାଇ ଗୋଟିଏ ହିଟାଚି ମେସିନ୍ ଓ ଗୋଟିଏ କମ୍ପ୍ରେସର ଜବତ କରଯାଇଛି। ଧର୍ମଶାଳା ତହସିଲଦାର ସ୍ବାଗତ ଦାସ ଓ ଜେନାପୁର ଥାନା ଆଇଆଇସି ଉମାକାନ୍ତ ନାୟକ ଚଢ଼ଉ କରିଥିଲେ। ଏଥିରେ ରାଜସ୍ବ ନିରୀକ୍ଷକ ଚନ୍ଦନ କୁମାର ସାହୁ, ବିରଞ୍ଚି ନାରାୟଣ ବୋଇତେଇ, ମାନସ ବେଜଙ୍କ ସମେତ ଜେନାପୁର ପୁଲିସ ସାମିଲ ଥିଲେ। ମାତ୍ର କାହାରିକୁ ଗିରଫ କରାନଯିବା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/jaj-mines-raid.jpg)