ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ: ଘର କେନ୍ଦ୍ରାପଡ଼ା, ପାରାଦୀପରେ ମିଳିଛି ବିଜୁ ପକ୍କା ଘର

କୁୁଜଙ୍ଗ: ଜଗତ୍‌ସିଂହପୁରର କୁଜଙ୍ଗ ବ୍ଳକ ଅନ୍ତର୍ଗତ ପାରାଦୀପଗଡ଼ ପଂଚାୟତରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସି ଭଡ଼ାରେ ରହୁଥିବା ଜନୈକା ମହିଳାଙ୍କୁ ବେଆଇନଭାବେ ବସୁନ୍ଧରା ଯୋଜନାରେ ଘରଡ଼ିହ ଏବଂ ବିଜୁ ପକ୍କାଘର ପ୍ରଦାନ କରାଯାଇଥିବା ଭଳି ସଂଗିନ ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ପୂର୍ବରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା। ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଜନୈକ ସ୍ଥାନୀୟ ବ୍ୟକ୍ତି ମାନ୍ୟବର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଫଳରେ ହାଇକୋର୍ଟ ଏହି ଅଭିଯୋଗକୁ ଏଫଆଇଆର ଭାବେ ଗ୍ରହଣ କରି ତଦ୍ଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ଯଦୁପୁର ଗ୍ରାମର ସ୍ନେହଲତା ପ୍ରଧାନ ନାମକ ଜନୈକା ମହିଳା ତାଙ୍କ ପରିବାର ସହିତ ପାରାଦୀପର ଶିଳ୍ପାଂଚଳରେ ଜୀବିକା ନିର୍ବାହ କରିବାକୁ ଆସି ସ୍ଥାନୀୟ ନିମିଢି ଗ୍ରାମରେ ଘର ଭଡ଼ା ନେଇ ରହି ଆସୁଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ତାଙ୍କର ବାପା ଏବଂ ଶ୍ବଶୁରଙ୍କ ନାମରେ ରେକର୍ଡ଼ଭୁକ୍ତ ଜମି ରହିଛି। କିନ୍ତୁ ସେ କୁଜଙ୍ଗ ତହସିଲ ଅନ୍ତର୍ଗତ ପାରାଦୀପଗଡ଼ ପଂଚାୟତରେ ଭୂମିହୀନଭାବେ ବସୁନ୍ଧରା ଯୋଜନାରେ ଘରଡ଼ିହ ପାଇଁ ଆବେଦନ କରିଥିଲେ। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ମଧ୍ୟ ଅନୁକୂଳ ରିପୋର୍ଟ ପ୍ରଦାନ କରିଥିଲେ। ଫଳରେ ତାଙ୍କୁ ନିହାରୁଣୀ କନ୍ଧା ଅଂଚଳରେ ସ୍ଥାନୀୟ ତହସିଲ ପକ୍ଷରୁ ଖାତା ନମ୍ବର ୮୨/୧୩୭ ୨୦୧୭ ମସିହାରେ ବସୁନ୍ଧରା ଯୋଜନାରେ ୪ ଡିସିମିଲ ଘରଡ଼ିହ ପ୍ରଦାନ କାଯାଇଥିଲା। ଏହାପରେ ସମ୍ପୃକ୍ତ ମହିଳା ବ୍ଳକ ପ୍ରଶାସନକୁ ହାତକରି ଏକ ବିଜୁ ପକ୍କାଘର ନିଜ ନାମରେ କରାଇ ନେଇ ସେଠାରେ ନିଜର ଭବ୍ୟ ବାସଭବନ ନିର୍ମାଣ କରିଥିଲେ।

ଏହି ଘଟଣାରେ ସ୍ଥାନୀୟ ନିମିଢି ଗ୍ରାମର ବାବାଲି ନାୟକ ପ୍ରଥମେ ଗତ ୨୦୧୯ ନଭେମ୍ବର ମାସ ୧୫ ତାରିଖରେ କଟକ ଭିଜିଲାନ୍ସ ଏସପିଙ୍କୁ ଏହି ଅନିୟମିତତା ସମ୍ପର୍କରେ ଲିଖିତଭାବେ ଅବଗତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେ ମାନ୍ୟବର ହାଇକୋର୍ଟରେ ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ,ଏସପି ଭିଜିଲାନ୍ସ କଟକ, ଜଗତସିଂହପୁର ଡିଏସପି ଭିଜିଲାନ୍ସଙ୍କୁ ପକ୍ଷକରି ସିଆର୍‌ଏଲଏମପି ୧୮୦୮/୨୦୧୯ରେ ମାମଲା ରୁଜୁ କରିଥିଲେ। ମାନ୍ୟବର ହାଇକୋର୍ଟ ମାମଲାର ବିଚାରକରି ଭିଜିଲାନ୍ସ ଏସପି କଟକକୁ ଅଭିଯୋଗକାରୀଙ୍କ ଅଭିଯୋଗକୁ ଗ୍ରହହ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର