ସମ୍ବଲପୁରରେ ପାଠକଙ୍କ ପାଠ ଖୋଲୁଛି ଭିଜିଲାନ୍ସ

ସମ୍ବଲପୁର : ବହୁଚର୍ଚ୍ଚିତ ଅଭୟକାନ୍ତ ପାଠକଙ୍କ ପାଠ ଖୋଲୁଛି ଭିଜିଲାନ୍ସ ବିଭାଗ। ୩୦ ବର୍ଷ ତଳେ ଅର୍ଥାତ୍‌ ୧୯୯୦-୯୧ ମସିହାରେ ଆଇଏଫ୍‌ଏସ୍‌ ଉତ୍ତୀର୍ଣ୍ଣ ହେବା ପରେ ସମ୍ବଲପୁରରେ ପ୍ରଥମ ପୋଷ୍ଟିଂ ପାଇ ସୋସିଆଲ ଫରେଷ୍ଟ୍ରି ବିଭାଗରେ ଏସିଏଫ୍‌ ଭାବେ ଚାକିରି ଆରମ୍ଭ କରିଥିବା ଅଭୟକାନ୍ତ ପାଠକ ବର୍ଷେ ଏଠାରେ ରହିବା ପରେ ବଦଳି ହୋଇଯାଇଥିଲେ। ଉକ୍ତ ସମୟରେ ସେ ପ୍ରାୟ ୧୦ ହଜାରଟଙ୍କା ଦରମା ପାଉଥିବା ଜଣାପଡ଼ିଛି। କିନ୍ତୁ ୧୯୯୦ ମସିହାର ଦସ୍ତାବିଜ୍‌ ବନବିଭାଗ ହାତରେ ଲାଗିପାରିନି। ଦୀର୍ଘ ୯ ବର୍ଷ ପରେ ଅର୍ଥାତ୍‌ ୧୯୯୯ ମସିହା ନଭେମ୍ବର ମାସରେ ଶ୍ରୀ ପାଠକଙ୍କୁ ସମ୍ବଲପୁର ଡିଏଫ୍‌ଓ ଭାବେ ବଦଳି ହୋଇଥିଲା। ସେ ଏଠାକୁ ଆସିଥିଲେ ସତ କିନ୍ତୁ ତତ୍କାଳୀନ ଡିଏଫ୍‌ଓ ତାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର ନକରିବାରୁ ସେ ଫେରି ଯାଇଥିଲେ। ତେବେ ନଭେମ୍ବରରୁ ୨୦୦୦ ମସିହା ଜାନୁଆରି ମାସ ଯାଏ ଶ୍ରୀ ପାଠକ ସମ୍ବଲପୁର ଡିଏଫ୍‌ଓ ଭାବେ ଦରମା ଗ୍ରହଣ କରିଥି‌ଲେ। ଏହି ସମୟରେ ସେ ୧୩,୧୨୫ ଟଙ୍କ‌ା ସ୍କେଲ୍‌ରେ ଦରମା ପାଉଥିଲେ। ଦରମା ଓ ଅନ୍ୟାନ୍ୟ ଇନ୍‌ସେନ୍‌ଟିଭ୍ସ ମିଶି ୧୫ ହଜାର ୨୦୫ ଟଙ୍କା ହେଉଥିଲା। ଏଥିରୁ ୪୦୨୦ ଟଙ୍କା ଜିପିଏଫ୍‌ କଟିବା ପରେ ସେ ମୋଟ ୧୧,୧୮୫ ଟଙ୍କା ଦରମା ଆକାରରେ ଗ୍ରହଣ କରୁଥିଲେ ବୋଲି ବନବିଭାଗ ପକ୍ଷରୁ ସମ୍ବଲପୁର ଭିଜିଲାନ୍ସକୁ ତଥ୍ୟ ପ୍ରଦାନ କରାଯାଇଛି।

ଶ୍ରୀ ପାଠକ ସମ୍ବଲପୁରରେ ପୋଷ୍ଟିଂ ହେବା ବେଳକୁ ସୋସିଆଲ୍‌ ଫରେଷ୍ଟ୍ରି ବିଭାଗର ଗ୍ରାମାଞ୍ଚଳ ବନୀକରଣ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏହି ସମୟରେ ଉଭୟ ସରକାରୀ ଓ ବେସରକାରୀ ଜମି ତଥା ଲଣ୍ଡା ପାହାଡ଼ଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏସିଏଫ୍‌ ଭାବେ ସମ୍ବଲପୁରରେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ପାଠକଙ୍କର ସମ୍ବଲପୁରରେ ଆଉ କେଉଁ କେଉଁ ବ୍ୟାଙ୍କ୍‌ରେ ଆକାଉଣ୍ଟ ରହିଥିଲା, ଦରମା ବ୍ୟତୀତ ତାଙ୍କ ଆକାଉଣ୍ଟରେ ଆଉ କିଛି କାରବାର ହୋଇଥିଲା କି ନାହିଁ, ତାଙ୍କ ପରିବାର ଲୋକଙ୍କ ନାଁରେ ଆକାଉଣ୍ଟ ରହିଥିଲା ନା ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର