କଟକ : ମାହାଙ୍ଗା ପୂର୍ତ୍ତ ବିଭାଗରେ ଟେଣ୍ଡର ଦୁର୍ନୀତି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଆଜି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ନେଇ ‘ସମ୍ବାଦ‌ର ୨୦୧୯, ସେପ୍ଟେମ୍ବର ୧୭ ସଂସ୍କରଣରେ ପ୍ରକାଶ ପାଇଥିବା ଖବରକୁ ଆଧାର କରି ରୁଜୁ ମାମଲାର ଶୁଣାଣି କରି ଲୋକାୟୁକ୍ତ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଆଦେଶ ଦିଆଯାଇଛି। ୬ ମାସ ଭିତରେ ତଦନ୍ତ ଶେଷ କରିବାକୁ ଭିଜିଲାନ୍ସ ନି‌ର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ଆଦେଶ ଦେଇଛନ୍ତି। ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂ ଓ ସଦସ୍ୟ ଡକ୍ଟର ଆର.ପି.ଶର୍ମା ଏ ସଂପର୍କିତ ଅଭିଯୋଗର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପୂର୍ବରୁ ଏ ସଂପର୍କିତ ଖବରରୁ ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର କରା ନ ଯାଇ ୭ କୋଟି ୭୯ ଲକ୍ଷ ୩୬ ହଜାର ୨୭ ଟଙ୍କାର ଅର୍ଥ ତୋଷରପାତ ହୋଇଥିବା ନେଇ ଜଣାପଡ଼ିଥିଲା। ଏହି ଘଟଣାକୁ ବିଚାର ପାଇଁ ଗ୍ରହଣ କରି ଲୋକାୟୁକ୍ତ କଟକ ଆର୍‌ ଆଣ୍ଡ ବି ଡିଭିଜନ୍-୨ ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ୍ ଜାରି କରିଥିଲେ। ଏଭଳି ଠିକା କାର୍ଯ୍ୟାଦେଶ ପାଇଁ କେଉଁ ‌ପରିସ୍ଥିତିରେ ଅନୁମତି ପ୍ରଦାନ କରାଯାଇଥିଲା ସେ ନେଇ ସ୍ପଷ୍ଟ କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ପୂର୍ତ୍ତ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀଙ୍କୁ ମଧ୍ୟ ଏହି ପ୍ରସଂଗରେ ମତାମତ ରଖିବାକୁ ଲୋକାୟୁକ୍ତ ନୋଟିସ୍ ଜାରି କରିଥିଲେ। ୫ ଲକ୍ଷ ଟଙ୍କାରୁ କମ୍‌ର କାମ ହୋଇଥିବାରୁ ଟେଣ୍ଡର ପ୍ରକାଶ ଆବଶ୍ୟକ ନଥିଲା ବୋଲି ନିର୍ବାହୀ ଯନ୍ତ୍ରୀ ଲୋକାୟୁକ୍ତଙ୍କ ନିକଟରେ ଉତ୍ତର ରଖିଥିଲେ। ଏଥିସହିତ ମାହାଙ୍ଗା ଆର ଆଣ୍ଡ ବି ସେକ୍ସନରେ ୨୦୧୫-୧୬, ୧୬-୧୭, ୧୭-୧୮, ୧୮-୧୯ ବର୍ଷରେ ‌ଯେଉଁ କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ତାହାର ସବିଶେଷ ତଥ୍ୟ ନିର୍ବାହୀ ଯନ୍ତ୍ରୀ ଦାଖଲ କରିଥିଲେ। କ୍ଷମ‌ତାର ଅପବ୍ୟବହାର କରି ବଡ ପ୍ରକଳ୍ପ ଗୁଡିକୁ ଭାଙ୍ଗି ଛୋଟ ଛୋଟ ୫ ଲକ୍ଷ ଟଙ୍କା ସୀମା ଭିତରର ପ୍ରକଳ୍ପରେ ପରିଣତ କରାଯିବା ଅଭିଯୋଗର ତଦନ୍ତ ହେବା ଉଚିତ ବୋଲି ସ୍ପଷ୍ଟ ହୋଇଥିଲା।

ଏହି ଘଟଣାରେ ନୋଟିସ୍ ପାଇ ପୂର୍ତ୍ତ ମନ୍ତ୍ରୀ ନିଜ ମତାମତ ଲୋକାୟୁକ୍ତଙ୍କ ନିକଟକୁ ପଠାଇଥିଲେ। ଏ ସଂପର୍କିତ ଖବରକୁ ମନ୍ତ୍ରୀ ଗୁରୁତ୍ବର ସହିତ ଗ୍ରହଣ କରି ପୂର୍ତ୍ତ ସଚିବଙ୍କୁ ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଚିବ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଘଟଣାର ତଦନ୍ତ ପରେ ୨୦୧୯, ନଭେମ୍ବର ୨୦ରେ ମୁଖ୍ୟ ଯନ୍ତ୍ରୀ (ଡିପିଆଇ ଆଣ୍ଡ ରୋଡ୍ସ) ଓ ଇଂଜିନିୟର-ଇନ୍-ଚିଫ୍ (ସିଭିଲ) ଏ ସଂପର୍କିତ ସବିଶେଷ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗରେ ସତ୍ୟାସତ୍ୟ ଥିବା ନେଇ ପ୍ରାଥମିକ ପ୍ରମାଣ ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ବୋଲି ମନ୍ତ୍ରୀଙ୍କ ପକ୍ଷରୁ ଦର୍ଶାଯିବା ସହିତ ଏ ସଂପର୍କିତ ତଦନ୍ତ ରିପୋର୍ଟ ମତାମତ ସହିତ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ସହିତ ନିମ୍ନମାନର ରାସ୍ତା କାମ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା।

ଏଥିସହିତ ପ୍ରକଳ୍ପ ଅନ୍ତର୍ଗତ ରାସ୍ତା କାମ ଏ ପର୍ଯ୍ୟନ୍ତ ସରି ନଥିବା ବେଳେ କାମ ସଂପୂର୍ଣ୍ଣ କରିବାର ଅବଧି‌ ଶେଷ ହୋଇଗଲାଣି। ତ୍ରୁଟି କରିଥିବା ଅଧିକାରୀଙ୍କ ବିରୋଧରେ ଓଡ଼ିଶା ସିଭିଲ ସର୍ଭିସ ରୁଲ୍ସ, ୧୯୬୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ତ୍ରୁଟି ସୁଧାରିବାକୁ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତାବ ରହିଥିବା ଜଣାପଡ଼ିଥିଲା। ଏପରି ପରିସ୍ଥିତିରେ ‌ଓଡ଼ିଶା ଲୋକାୟୁକ୍ତ ଆଇନର ଧାରା ୨୦(୬)ରେ ଅନୁସାରେ ଭିଜିଲାନ୍ସକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଲୋକାୟୁକ୍ତଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।