ଉଦ୍ୟାନ ବିଭାଗ ‌କେଳେଙ୍କାରୀ: ଛତୁଚାଷୀଙ୍କ ଘର ନିର୍ମାଣ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ

ପୁରୁଣା ପାନବରଜକୁ ବିନା ଟେଣ୍ଡରରେ ୭୮ଲକ୍ଷ ଟଙ୍କାର ସାମଗ୍ରୀ ଯୋଗାଣ

ଯାଜପୁର : ଉଦ୍ୟାନ ବିଭାଗ ଦ୍ବାରା ଚାଷ ଓ ଚାଷୀଙ୍କ ବିକାଶ ଆଳରେ ବିଭିନ୍ନ ଯୋଜନାରେ ହୋଇଥିବା କେଳେଙ୍କାରୀର ଫର୍ଦ୍ଦ ଖୋଲିବାରେ ଲାଗିଛି। ଡିଏମ୍‌ଏଫ୍‌ ଅନୁଦାନରେ ପିଜୁଳି ଉଦ୍ୟାନ ଘୋଟାଲା ଲୋକଲୋଚନକୁ ଆସିବା ପରେ ଛତୁଚାଷୀଙ୍କ ଘର ନିର୍ମାଣ କେଳେଙ୍କାରୀ ବିଷୟ ଆଲୋଡ଼ନ ସୃଷ୍ଟି କରିଛି। ଛତୁଚାଷୀଙ୍କ ଘର ନିର୍ମାଣ ଠିକାଦାର ଦ୍ବାରା କରି ୬୦ଲକ୍ଷ ଟଙ୍କା ଚଳୁ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବାପରେ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି। ଛତୁଘର କେଳେଙ୍କାରୀ ସମ୍ପର୍କରେ ସବିଶେଷ ତଥ୍ୟ ଦେବା ପାଇଁ ଯାଜପୁର ଭିଜିଲାନ୍ସ ଡିଏସ୍‌ପି ଉଦ୍ୟାନ ବିଭାଗକୁ ଚିଠି ଲେଖିଛନ୍ତି। ସେହିପରି ବିନା ଟେଣ୍ଡରରେ ପାନବରଜ ପାଇଁ ୭୮ଲକ୍ଷରୁ ଅଧିକ ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଯାହାକି ଅନୁସନ୍ଧାନ ସାପେକ୍ଷ।

ଯାଜପୁର ଜିଲ୍ଲାର ୧୦ ବ୍ଲକରେ ଉଦ୍ୟାନ କୃଷିକୁ ଉତ୍ସାହିତ କରିବା ପାଇଁ ଯାଜପୁରଟାଉନରେ ଉଦ୍ୟାନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ରହିଛି। ବ୍ଲକ ଗୁଡ଼ିକରେ ହେଉଥିବା ଅଧିକାଂଶ ଯୋଜନା ଓ କାର୍ଯ୍ୟ ଏଡିଏଚ୍‌ଙ୍କ କାର୍ଯ୍ୟାଳୟ ଦ୍ବାରା ନିୟନ୍ତ୍ରଣ କରାଯାଉଥିବା ବେଳେ କ୍ଷେତ୍ର ଅଧିକାରୀମାନେ ଅନ୍ଧରରେ ରହିଛନ୍ତି। ସୁକିନ୍ଦା ଓ ଦାନଗଦୀ ବ୍ଲକ୍‌ରେ ଓମ୍‌ବାଡ୍‌ସି ଅନୁଦାନରୁ ହିତାଧିକାରୀ ଚାଷୀଙ୍କ ଦ୍ବାରା ଛତୁଘର କରିବା ପାଇଁ ଯୋଜନା କରାଯାଇଥିଲା। ତେବେ ଚଞ୍ଚକତା କରାଯାଇ ଠିକାଦାର ଜରିଆରେ ବିନା ଟେଣ୍ଡରରେ ୨ବର୍ଷ ମଧ୍ୟରେ ୫୭ଜଣ ଚାଷୀଙ୍କର ଛତୁଘର ବାବଦରେ ୧କୋଟି ୧୩ଲକ୍ଷ ୪୩ହଜାର ଟଙ୍କା ବ୍ୟୟ ହୋଇଛି। ପ୍ରତି ଛତୁଘରରେ ୧ଲକ୍ଷ ଟଙ୍କାରୁ କମ୍‌ ବ୍ୟୟ କରାଯାଇଥିବା ବେଳେ ୧ଲକ୍ଷ ୯୯ହଜାର ଟଙ୍କା ଠିକାଦାର ଜରିଆରେ ବିଲ୍ କରାଯାଇ ମୋଟ ୬୦ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହଡ଼ପ କରାଯାଇଛି। ଏହି କାମ ସିଧାସଳଖ ଚାଷୀମାନଙ୍କ ଦ୍ବାରା କରାଯିବାର ନିୟମ ଥିବା ବେଳେ କାହିଁକି କେଉଁ ସ୍ବାର୍ଥରେ ଠିକାଦାର ଦ୍ବାରା କରାଗଲା? ସରକାରୀ ନିୟମ ମୁତାବକ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାମର ଟେଣ୍ଡର ହେବାର ବିଧି ଥିବାବେଳେ ୧କୋଟି ୧୩ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାମକୁ ବିନା ଟେଣ୍ଡରରେ କିପରି କରାଗଲା? କ୍ଷେତ୍ର କର୍ମଚାରୀଙ୍କୁ ଅନ୍ଧାରରେ ରଖାଯାଇ ୬୦ଲକ୍ଷ ଟଙ୍କା ହରିଲୁଟ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଯାହାର ସବିଶେଷ ତଥ୍ୟ ଭିଜିଲାନ୍ସ ମାଗିଛନ୍ତି।

ସେହିପରି ଏବେ ପାନବରଜ କେଳେଙ୍କାରୀ ନେଇ ମଧ୍ୟ ଅଭିଯୋଗ ଆସିଛି। ଯାଜପୁର ଜିଲ୍ଲାର ୪ଟି ବ୍ଲକ୍ ଦଶରଥପୁର, ବରୀ, ରସୁଲପୁର ଓ ଯାଜପୁରରେ ବହୁ ପୂର୍ବରୁ ପାନବରଜ ଥିବା ବେଳେ ଉଦ୍ୟାନ ବିଭାଗ ସହଯୋଗ କରିଆସିଛି। ମାତ୍ର ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗାରେ ପାନବରଜ ପାଇଁ କେବଳ ସାମଗ୍ରୀ ଯୋଗାଣ ବାବଦରେ ୭୮ଲକ୍ଷ ୩୭ହଜାର ଟଙ୍କାରୁ ଅଧିକ ବିଲ୍ ହୋଇଛି। ଏହି ସାମଗ୍ରୀ ଯୋଗାଣ ପାଇଁ କୌଣସି ଟେଣ୍ଡର କରାଯାଇ ନାହିଁ। ନିର୍ଦ୍ଦିଷ୍ଟ ଠିକାଦାରଙ୍କ ଜରିଆରେ ଏହି କାରବାର ହୋଇଛି। ଯାଜପୁର ଜିଲ୍ଲାରେ ମୋଟ ୮୪ୟୁନିଟ ପାନବରଜକୁ ସାମଗ୍ରୀ ଯୋଗାଣ ବାବଦରେ ଏହି ଅର୍ଥ ବ୍ୟୟ ହୋଇଥିବା ଦର୍ଶାଯାଇଛି। ଛତୁଘର କେଳେଙ୍କାରୀ ପରି ପାନବରଜ ବାବଦ ଖର୍ଚ୍ଚର ଭିଜିଲାନ୍ସ ତଦନ୍ତ ପାଇଁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର