ବିଇଓ କାର୍ଯ୍ୟାଳୟରେ କେଳେଙ୍କାରୀ: ୩୯ ଲକ୍ଷ ହଡ଼ପ୍ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର ବିଇଓ କାର୍ଯ୍ୟାଳୟରେ କେଳେଙ୍କାରୀ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଶିକ୍ଷକଙ୍କ ଦରମା ଓ ଅନ୍ୟାନ୍ୟ ବାବଦ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ୍ କରିଥିବା ବିଇଓ ଭବାନୀପାଟଣା ଟାଉନ ଥାନାରେ ଏତଲା ଦେଇଥିଲେ। ସଂପୃକ୍ତ ମହିଳା ଆକାଉଣ୍ଟାଣ୍ଟ ତଥା ସହାୟତା କର୍ମଚାରୀ ଶୁଚିସ୍ମିତା ସୁଆର ଏକ୍ସ କ୍ୟାଡର ଶିକ୍ଷକଙ୍କ ସେପ୍ଟେମ୍ବର ମାସର ଦରମା ଓ ଅନ୍ୟାନ୍ୟ ବାବଦକୁ ଥିବା ୩୯ ଲକ୍ଷ ୩୦ ହଜାର ୪୬୮ ଟଙ୍କା ଅଫିସ ଏସ୍‌ବିଆଇ ଆକାଉଣ୍ଟ ନଂ.ମ୍ବର ୪୦୪୪୩୧୮୬୨୩୨ରୁ ତାଙ୍କ ବ୍ୟକ୍ତିଗତ ଏସବିଆଇ ଆକାଉଣ୍ଟ ନଂ.୧୧୦୮୩୬୨୫୮୫୫କୁ ଟ୍ରାନ୍ସଫର କରିଛନ୍ତି। ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ୨୦୨୨ ଜୁନ ୪ ତାରିଖରେ ୩ଲକ୍ଷ ୪୮ ହଜାର ଟଙ୍କା, ଜୁନ ୮ ତାରିଖରେ ୨ ଲକ୍ଷ ୧୩ ହଜାର ୪୨୬ ଟଙ୍କା , ଜୁନ ୨୮ରେ ୨ଲକ୍ଷ ୨୪ ହଜାର ୫୬୭ ଟଙ୍କା, ଜୁଲାଇ ୮ ତାରିଖରେ ୩ ଲକ୍ଷ ୮୬ ହଜାର ୮୮୦ ଟଙ୍କା , ଜୁଲାଇ ୨୦ ତାରିଖରେ ୩ ଲକ୍ଷ ୪୮ ହଜାର ଟଙ୍କା, ଜୁଲାଇ ୨୭ ତାରିଖରେ ୨ ଲକ୍ଷ ୭୮ ହଜାର, ଅଗଷ୍ଟ ୫ ତାରିଖରେ ୯ଲକ୍ଷ ୨୬ ହଜାର ୪୫୫ ଟଙ୍କା, ଅଗଷ୍ଟ ୨୦ ତାରିଖରେ ୨ ଲକ୍ଷ ୭୮ ହଜାର ଟଙ୍କା, ଅଗଷ୍ଟ ୨୯ ତାରିଖରେ ୨ ଲକ୍ଷ ୮୨ ହଜାର ୨୪୦ ଟଙ୍କା, ସେପ୍ଟେମ୍ବର ୧୪ ତାରିଖରେ ୩ ଲକ୍ଷ ୨୨ ହଜାର ୪୫୦  ଟଙ୍କା ଓ ସେପ୍ଟେମ୍ବର ୨୭ ତାରିଖରେ ୩ ଲକ୍ଷ ୨୨ ହଜାର ୪୫୦ ଟଙ୍କା ଟ୍ରାନ୍ସଫର୍ ହୋଇଛି। ସମୁଦାୟ ୩୯ ଲକ୍ଷ ୩୦ ହଜାର ୪୬୮ ଟଙ୍କା ଟ୍ରାନ୍ସଫର ହୋଇଛି।

ଶୁକ୍ରବାର ଭବାନୀପାଟଣା ବିଇଓ ଠାକୁର ସାହୁ ଓ ଏବିଇଓ ଜୟ କୁମାର ମାଝୀ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ୍‌ ପକ୍ଷରୁ କେସ ନମ୍ବର ୪୩୦/ତା ୭.୧୦.୨୦୨୨ରେ ଶୁଚିସ୍ମିତା ସୁଆରଙ୍କ ନାମରେ ମାମଲା ରୁଜୁ ହୋଇଛି। ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଆଜି କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଭିଜିଲାନ୍ସ ପକ୍ଷରୁ ସମଗ୍ର ଶିକ୍ଷା ଜିଲ୍ଲା ସଂଯୋଜକ ଅଫିସ ଯାଇ ତଥ୍ୟ ସଂଗ୍ରହ କରିଯାଇଛି। ବିଇଓ ଓ ଏବିଇଓଙ୍କ ଠାରୁ ତଥ୍ୟ ସଂଗ୍ରହ ପରେ ଆଜି ସନ୍ଧ୍ୟାରେ ଭିଜିଲାନ୍ସ କାର୍ଯ୍ୟାଳୟରେ ଦୁହିଁଙ୍କୁ ଡକାଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲେ। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ତଦନ୍ତ ଜାରି ରହିଥିଲା। ଆଗକୁ ତଦନ୍ତ କେଉଁ ବାଟକୁ ଯାଉଛି ଏହା ଉପରେ ସଭିଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର