ବାଲେଶ୍ୱର : ଲାଞ୍ଚ ମାମଲାରେ ଜେରା କରିବାକୁ ଭିଜିଲାନ୍ସ ଏକାଧିକ ଥର ନୋଟିସ୍ ଦେଇସାରିଲାଣି। ବାଲେଶ୍ବର ଏସ୍ପିଙ୍କୁ ଏ ସଂକ୍ରାନ୍ତରେ ଚିଠି ବି ଲେଖିଛନ୍ତି ଭିଜିଲାନ୍ସ ଏସ୍ପି। ତଥାପି ହାଜର ହେଉନାହାନ୍ତି ବାଲେଶ୍ୱର ଟାଉନ୍ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ। ବିବାଦୀୟ ପରିସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାକୁ ବଦଳି ହୋଇଥିଲେ ମଧ୍ୟ ନୂଆ ଜାଗାରେ ଯୋଗ ଦେଇନାହାନ୍ତି ସୁଶ୍ରୀ ନାୟକ, ଯଦିଓ ସେ ରିଲିଭ୍ ହୋଇସାରିଛନ୍ତି। ବ୍ୟକ୍ତିଗତ ଛୁଟି ଅବଧି ସରିଯିବା ପରେ ଏତେ ଲମ୍ବା ସମୟ ଧରି ସେ କେଉଁଠି ଅଛନ୍ତି, କୁଆଡ଼େ ଯାଇଛନ୍ତି, ସେ ସଂପର୍କରେ କାହାରି ପାଖରେ କିଛି ସୂଚନା ନାହିଁ।
ଜୁନ୍ ୩୧ ତାରିଖରେ ଏକ ଜମିବାଡ଼ି ମାମଲାର ସମାଧାନ ପାଇଁ ବାଲେଶ୍ବର ବୈରାମନଗର ଅଞ୍ଚଳର ବିଧୁଭୂଷଣ ପାତ୍ରଙ୍କୁ ଟାଉନ୍ ଥାନା ଏସ୍ଆଇ ବିମଳ ଚନ୍ଦ୍ର କର ଓ ଦଲାଲ ସନ୍ତୋଷ କୁମାର ଦାସ ୧୫ ହଜାର ଟଙ୍କା ମାଗିଥିଲେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ରେଡ୍ହ୍ୟାଣ୍ଡ ଧରିଥିଲା। ଦୁହିଁଙ୍କୁ ଏକାଠି ବସାଇ ଜେରା କରାଯିବା ବେଳେ ଆଇଆଇସି ସରୋଜିନୀ ନାୟକଙ୍କର ସମ୍ପୃକ୍ତି ଥିବା ସେମାନେ କହିଥିଲେ। ସେବେଠାରୁ ଆଇଆଇସି ସରୋଜିନୀଙ୍କର ଆଉ ପତ୍ତା ମିଳୁନି। ମୋବାଇଲ ବନ୍ଦ ଯୋଗୁ ଭିଜିଲାନ୍ସ ମଧ୍ୟ ତାଙ୍କ ସହ ଯୋଗାଯୋଗ କରିପାରୁନି। ଏହାରି ଭିତରେ ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଥମେ ୨ ଦିନ ଓ ପରେ ୭ ଦିନ ସେ ଛୁଟିରେ ରହିଥିଲେ। ଯୋଗାଯୋଗ ସମ୍ଭବ ନହେବାରୁ ତାଙ୍କୁ ଭିଜିଲାନ୍ସରେ ହାଜର ହେବା ପାଇଁ ଭିଜିଲାନ୍ସ ଏସ୍ପି ସନ୍ତୋଷ ମିଶ୍ର ବାଲେଶ୍ବର ଜିଲ୍ଲା ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଚିଠି ଲେଖିଥିଲେ। ଏହା ସତ୍ତ୍ବେ ବି ସରୋଜିନୀ ଏଯାଏ ହାଜର ହୋଇନାହାନ୍ତି।