ବିଦ୍ୟୁତ ସଂଯୋଗ ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କଟକ: ଆଜି ଲାଞ୍ଚ ନେବା ବେଳେ ଭିଜିଲାନସ ହାତରେ ଧରାପଡ଼ିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ । ମିଳିଥିବା ସୂଚନା ଅନୁଯାୟୀ, କଟକ ଗୋଡ଼ିସାହି ଇଲେକଟ୍ରିକ ସେକସନର କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ମହାନ୍ତ ଜଣେ ଉପଭୋକ୍ତାଙ୍କୁ ନିଜର କଟକ ସନ୍ନିକଟ ତ୍ରିଶୂଳିଆଠାରେ ନିର୍ମିତ ଘରେ ବିଦ୍ୟୁତ ସଂଯୋଗ ଲାଗି ଲାଞ୍ଚ ମାଗିଥିଲେ। ଏକାଧିକ ବାର ଉକ୍ତ ଉପଭୋକ୍ତା କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ମହାନ୍ତଙ୍କ ପାଖକୁ ଯାଇ ଅନୁରୋଧ କରିବାପରେ ବି ବିଦ୍ୟୁତ ସଂଯୋଗ ସମ୍ଭବପର ହୋଇନଥିଲା।

ଶେଷରେ କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ମହାନ୍ତଙ୍କ ଦାବି ଅନୁଯାୟୀ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେବାକୁ ରାଜି ହୋଇଥିଲେ। ଆଜି କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ମହାନ୍ତ ଉପଭୋକ୍ତାଙ୍କ ସଂପର୍କୀୟ ବିଜୟ କୁମାର ପାତ୍ରଙ୍କଠାରୁ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନସ ହାତରେ ଧରାପଡ଼ିଛନ୍ତି।

ଘଟଣାସ୍ଥଳରୁ ୧୦ ହଜାର ଟଙ୍କା ଜବତ କରାଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ମହାନ୍ତଙ୍କ ନାଆଁରେ ଭିଜିଲାନସ ଏକ ମାମଲା ରୁଜ୍ଜୁ କରିଥିବା ଜଣାଯାଇଛି। ବିଜୟ କୁମାର ପାତ୍ରଙ୍କ ଘର କଟକର ମଙ୍ଗଳାବାଗ ଥାନା ଅନ୍ତର୍ଗତ ମହ୍ଲାସାହି ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର